ଭୁବନେଶ୍ବର, ୨୮/୧ : ରାଜ୍ୟସଭା ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ରାଜ୍ୟସଭାର ଚତୁର୍ଥ ଆସନ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏହି ଆସନରେ କିଏ ପ୍ରାର୍ଥୀ ଦେଉଛି ? ଏବଂ କାହା ମଧ୍ୟରେ ବୁଝାମଣା ହେଉଛି ଏହାକୁ ନେଇ ସବୁଠି ଚର୍ଚ୍ଚା । ସେପଟେ ରାଜନୈତିକ ବିଜେପି ୨, ବିଜେଡି ଗୋଟିଏ ଆସନ ଲାଗି ପ୍ରାର୍ଥୀ ଦେବେ। ଏମିତି ଏକ ଚର୍ଚ୍ଚା ଭିତରେ ଚତୁର୍ଥ ଆସନରେ ବିଜେପ-ବିଜେଡି ନାଁ ବିଜେଡି-କଂଗ୍ରେସ କାହା ମଧ୍ୟରେ ହେବ ବୁଝାମଣା । ଏମିତି ଏକ ଚର୍ଚ୍ଚା ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ । ଫେବୃଆରୀ ପ୍ରଥମ ସପ୍ତାହରେ ଦେଖା କରିବାକୁ ସମୟ ମାଗିଛନ୍ତି । ଚତୁର୍ଥ ଆସନ ନେଇ ଆଲୋଚନା ହେବ । ଚତୁର୍ଥ ଆସନରେ ଜଣେ ପଦ୍ମଶ୍ରୀ କିମ୍ବା ବୁଦ୍ଧିଜୀବୀଙ୍କୁ ପଠାଇଲେ ଓଡ଼ିଶାର ସମ୍ମାନ ରହିବ ବୋଲି କହିଛନ୍ତି ଭକ୍ତ ଦାସ ।
ସେପଟେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି କି, ଯିଏ ନିର୍ବାଚନ ଲଢ଼େ ସେ ସମସ୍ତଙ୍କୁ ଭୋଟ ମାଗେ । ଯିଏ ଯିଏ ଆମକୁ ସାହାଯ୍ୟ କରିବେ ଆମେ ତାଙ୍କୁ ସମର୍ଥନ ମାଗିବୁ । ନବୀନ ବାବୁ ଦେବେ କି ନାହିଁ ଜଣା ନାହିଁ ସେ ନିଷ୍ପତ୍ତି ସେ ନେବେ । ସମୟ ଆସୁ ଆମର ଶକ୍ତି କେତେ ଅଛି ଆମେ କେତେଟା ସିଟ ଜିତି ପାରିବୁ ଓ ବଳକା ଭୋଟ କେତେ ରହୁଛି। ବଳକା ଭୋଟରେ ଆଉ ଗୋଟେ ସିଟ୍ ହୋଇ ପାରିବ କି ନାହିଁ ତାର ହିସାବ କିତାବ କରି ନିଷ୍ପତ୍ତି ନେବୁ । ବିଭିନ୍ନ ଦଳ ଭିତରେ ଅନ୍ତର୍ଦ୍ୱନ୍ଦ ଚାଲିଛି । ଏବେ ସେମାନଙ୍କ ଦଳୀୟ କନ୍ଦଳ ରାଜା ରାସ୍ତାରେ ପହଁଚିଲାଣି । ରାଜ୍ୟସଭା ନିର୍ବାଚନ ବେଳକୁ ସେ ଦଳ ଥିବ କି ନଥିବ ଦେଖନ୍ତୁ ।
ସେପଟେ ଭକ୍ତ ଦାସ ନବୀନଙ୍କୁ ଭେଟିବାକୁ ନେଇ ନିଜର ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି କି, ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ବିଜେଡି ସମର୍ଥନ ଦେବାର ସମ୍ଭାବନା ଦେଖୁଥିବ କଂଗ୍ରେସ । ସେଥିପାଇଁ ପିସିସି ସଭାପତି ଏଭଳି ମନ୍ତବ୍ୟ ରଖିଛନ୍ତି । ବିଧାନସଭାରେ ଅନେକ ସମୟରେ ବିଜେପିକୁ ଘେରିବା ପାଇଁ ନିଜକୁ ଅଣ କଂଗ୍ରେସ କହୁଥିବା ବିଜେଡି କଂଗ୍ରେସ ସହ ହାତ ମିଳାଇ ଦିଏ । ବିଗତ ନିର୍ବାଚନରେ ବି କଂଗ୍ରେସ ସହ ବିଜେଡି ମ୍ୟାଚ ଫିକ୍ସିଂ କରିଥିଲା । କଂଗ୍ରେସ ଅନୁମାନ କରୁଥିବ ରାଜ୍ୟସଭା ନିର୍ବାଚନରେ ସମର୍ଥନ ମାଗିଲେ ନବୀନ ସମର୍ଥନ ଦେବେ । ନବୀନ ବାବୁ ନିଷ୍ପତ୍ତି କରନ୍ତୁ କଂଗ୍ରେସକୁ ସମର୍ଥନ ଦେବେ କି ନାହିଁ । ଘୋଡ଼ା ବେପାର କରିବା ଆଉ ଯେଉଁମାନେ ମାନେ ବିଚାର ଧାରାର ବିରୋଧୀ ସେମାନଙ୍କୁ ଯଦି ନବୀନ ବାବୁ ସମର୍ଥନ ଦେବେ ତେବେ ତାହା ବିଚାର ଧାରାକୁ ପ୍ରମାଣିତ କରିବ ।
ଏହାସହ ପଢ଼ନ୍ତୁ : ଚର୍ଚ୍ଚାରେ ବିରାଟଙ୍କ ପୋଷ୍ଟ, ଅରିଜତଙ୍କ ପାଇଁ ଲେଖିଥିଲେ ଏମିତି କିଛି