ରାମ ରହିମଙ୍କୁ ଆଜୀବନ ଜେଲ

ପଞ୍ଚକୁଲା/ପାନିପତ୍, ୧୭ ।୧ (ଏଜେନ୍ସି): ହରିଆନାର ସିରସା ଜିଲ୍ଲାରେ ୧୬ ବର୍ଷ ତଳେ ରାମଚନ୍ଦ୍ର ଛତ୍ରପତି ନାମକ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିବା ମାମଲାରେ ସ୍ଥାନୀୟ ସିବିଆଇ କୋର୍ଟ ଆଜି ଡେରାସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କଆଜୀବନ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କର ଆଉ ୩ ଜଣ ସହଯୋଗୀ ନିର୍ମଳ ସିଂହ, କୁଲଦୀପ ସିଂହ ଓ କିଶନ ଲାଲଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ମିଳିଛି । ଏଥିସହିତ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ସ୍ୱତନ୍ତ୍ର ବିଚାରପତି ଜଗଦୀପ ସିଂହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ରାୟ ଶୁଣାଇଛନ୍ତି । ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ୍ଦଣ୍ଡ ଭୋଗୁଥିବା ରାମରହିମଙ୍କ ଦଣ୍ଡ ଶେଷ ହେବା ପରେ ଯାଇ ଏହି ଆଜୀବନ ଜେଲ୍ ଦଣ୍ଡ ଆରମ୍ଭ ହେବ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।
ରିପୋର୍ଟ ଅନୁସାରେ ରାମରହିମଙ୍କ ବିରୋଧରେ ତାଙ୍କ ଆଶ୍ରମର ଦୁଇଜଣ ସାଧ୍ୱୀ ଯୌନ ନିର୍ଯାତନା ଓ ବଳାତ୍କାର ବଳାତ୍କାର ଅଭିଯୋଗ ଆଣିଥିଲେ । ଏହି ମାମଲାରେ ପୂର୍ବରୁ ରାମରହିମଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡ ହୋଇସାରିଛି । ସାଧ୍ୱୀ ଦ୍ୱୟ କରିଥିବା ଅଭିଯୋଗର ଏକ ଚିଠି ସାମ୍ବାଦିକ ରାମଚନ୍ଦ୍ର ନିଜର ଖବରକାଗଜ ‘ ପୂରା ସଚ୍’ରେ ଖବର ପ୍ରକାଶିତ କରିଥିଲେ । ଏହା ପ୍ରକାଶ ପାଇବା ପରେ ପଞ୍ଜାବ ଓ ହରିଆନା ହାଇକୋର୍ଟ ଅଭିଯୋଗର ତଦନ୍ତ କରିବା ଲାଗି ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ପରେ ରାମଚନ୍ଦ୍ରଙ୍କ ଉପରେ ଚାପ ସୃଷ୍ଟି କରାଯିବା ସହ ଧମକ ମଧ୍ୟ ଦିଆଯାଇଥିଲା । ମାତ୍ର ସେ ଧମକ ଆଗରେ ମୁଣ୍ଡ ନଇଁନଥିଲେ । ଶେଷରେ ୨୦୦୨ ଅକ୍ଟୋବର ୨୪ ତାରିଖରେ ତାଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା । ରାମ ରହିମଙ୍କ ନିର୍ଦ୍ଦେଶରେ ତାଙ୍କ ଆଶ୍ରମରେ କାଠକାମ କରୁଥିବା କୁଲଦୀପ ଓ ନିର୍ମଳ ହିଁ ରାମଚନ୍ଦ୍ରଙ୍କୁ ଗୁଳି କରିଥିଲେ । ଯେଉଁ ବନ୍ଧୁକରୁ କୁଲଦୀପ ଗୁଳି ଚଳାଇଥିଲେ ତାର ଲାଇସେନ୍ସ ଡେରା ସଚ୍ଚା ସୌଦାର ମ୍ୟାନେଜର କିଶନ ଲାଲଙ୍କ ନାମରେ ଥିଲା । ଗୁରୁତର ଅବସ୍ଥାରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୨୧ରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପୁଲିସ ୨୦୦୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମାତ୍ର ତଦନ୍ତରେ ସେଭଳି ଆଗେଇ ପାରି ନଥିଲା । ରାମରହିମ ଜଣେ ପ୍ରଭାବଶାଳୀ ଲୋକ ହୋଇଥିବାରୁ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା କରି ଛତ୍ରପତିଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ଦାବିରେ ପଞ୍ଜାବ ଓ ହରିଆନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୦୬ରେ ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟତ୍ୱ ଦେଇଥିଲେ । ବର୍ଷକ ପରେ ୨୦୦୭ ଜୁଲାଇରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା । ଗରୁମିତ୍ଙ୍କ ପୂର୍ବତନ ଡ୍ରାଇଭର ଖ; ସିଂହ ଏହି ମାମଲାର ମୁଖ୍ୟ ସାକ୍ଷୀ ଥିଲେ । ୨୦୧୮ ମେ’ରେ କୋର୍ଟରେ ହାଜର ହୋଇ ସେ କହିଥିଲେ ଯେ ତାଙ୍କ ଉପସ୍ଥିତିରେ ସାମ୍ବାଦିକ ଛତ୍ରପତିଙ୍କୁ ହତ୍ୟା କରିବା ଲାଗି ରାମରହିମ ଡେରା ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ୧୧ ତାରିଖରେ କୋର୍ଟ ରାମରହିମଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି)ର ଦଫା ୩୦୨ (ହତ୍ୟା) ଓ ୧୨୦-ଖ (ଅପରାଧ ଷଡଯନ୍ତ୍ର)ରେ ଦୋଷୀ ସାବ୍ୟସ୍ତ କରିଥିଲେ।
ଆଜିର ଶୁଣାଣି ବେଳେ ରାମ ରହିମ ସୁନରିଆ ଜେଲ୍ରୁ ଓ ଅନ୍ୟ ୩ ଅଭିଯୁକ୍ତ ଅମ୍ବାଲା ଜେଲ୍ରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିଲେ । ଅପରପକ୍ଷରେ ରାମରହିମଙ୍କୁ ଦଣ୍ଡ ମିଳିବା ପରିପ୍ରେକ୍ଷୀରେ ହିଂସାକାଣ୍ଡ ସୃଷ୍ଟି ହେବା ଆଶଙ୍କାରେ ହରିଆନାର ସିରସା, ପଞ୍ଚକୁଲା ଓ ରୋହତକ ଜିଲ୍ଲାରେ ଆଜି ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା । ରୋହତକରେ ସୁନରିଆ ଜେଲ୍, ପଞ୍ଚକୁଲାରେ ସିବିଆଇ କୋର୍ଟ ଓ ସିରସାରେ ଡେରା ସଚ୍ଚା ସୌଦା ମୁଖ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏପରିକି ଡ୍ରୋନ୍ ଜରିଆରେ ସମୁଦାୟ ଅଞ୍ଚଳ ଉପରେ ପୁଲିସ ତୀକ୍ଷଣ ନଜର ରଖିଥିଲା । ସିରସାରେ ସିଆରପିଏଫ୍ର ୨ଟି କଂପାନିର ଯବାନକୁ ମୁତୟନ କରାଯାଇଥିଲା । ସୂଚନାଥାଉକି, ସାଧ୍ୱୀଙ୍କୁ ବଳାତ୍କାର ମାମଲାରେ ୨୦୧୭ ଅଗଷ୍ଟ ୨୫ ତାରିଖରେ ସ୍ୱତନ୍ତ୍ର କୋର୍ଟ ରାମରହିମଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିବା ବେଳେ ଏବେ ସେ ସୁନରିଆ ଜେଲ୍ରେ ସଜା କାଟୁଛନ୍ତି ।