ନୂଆଦିଲ୍ଲୀ, ୪।୨: ଶତ୍ରୁ ହେବେ ଥରହର । ଶତ୍ରୁ ଦେଶ ବିରୁଦ୍ଧରେ ବାୟୁସେନାକୁ ଆହୁରି ଶକ୍ତିଶାଳୀ ହେବାକୁ ପ୍ରସ୍ତୁତ ହେଉଛି ଭାରତ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ ମଙ୍ଗଳବାର ଏକ ରାମଜେଟ୍ର ସଫଳ ପରୀକ୍ଷଣ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପରୀକ୍ଷଣ ଭାରତର ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ଆହୁରି ସଠିକତାର ସହିତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ପରୀକ୍ଷଣ ଓଡ଼ିଶାର ଉପକୂଳ ଚାନ୍ଦିପୁରରେ ଥିବା ପରୀକ୍ଷଣ ରେଞ୍ଜରେ କରାଯାଇଥିଲା ।
ରାମଜେଟ୍ କ’ଣ ?
ରାମଜେଟ୍ ହେଉଛି ଏକ ପ୍ରକାରର ଏୟାର-ବ୍ରିଦିଙ୍ଗ ଜେଟ୍ ଇଞ୍ଜିନ, ଯାହା ଆସୁଥିବା ବାୟୁକୁ ସଙ୍କୁଚିତ କରିବା ପାଇଁ କ୍ଷେପଣାସ୍ତ୍ରର ଆଗୁଆ ଗତି ବ୍ୟବହାର କରେ । ଏହି ପ୍ରଯୁକ୍ତିବିଦ୍ୟା ଜେଟ୍ ଇଞ୍ଜିନ ପରି ଘୂର୍ଣ୍ଣନ କରୁଥିବା ପାର୍ଟସ ଉପରେ ନିର୍ଭର କରିବାକୁ ପଡ଼େନି । କଠିନ ସଲିଡ୍-ଫୁଏଲ୍ ଡକ୍ଟେଡ୍ ରାମଜେଟ୍ରେ, ଇନ୍ଧନକୁ ନିୟନ୍ତ୍ରିତ ଉପାୟରେ ଜଳାଯାଏ, ଯେତେବେଳେ ବାହାର ପବନ ଇଞ୍ଜିନ ମାଧ୍ୟମରେ ପ୍ରବାହିତ ହୁଏ । ଏହା କ୍ଷେପଣାସ୍ତ୍ରକୁ ଦୀର୍ଘ ସମୟ ପାଇଁ ଶକ୍ତି ପ୍ରଦାନ କରେ । ରାମଜେଟ୍ ଚାଳିତ କ୍ଷେପଣାସ୍ତ୍ରଗୁଡ଼ିକ ଦୀର୍ଘ ସମୟ ପାଇଁ ବହୁତ ଉଚ୍ଚ ଗତିରେ ନିଜର ଶକ୍ତି ବଜାୟ ରଖିପାରେ । ଏହି ପ୍ରଯୁକ୍ତିବିଦ୍ୟା ଏକ କ୍ଷେପଣାସ୍ତ୍ରର ଉଡ଼ାଣର ଶେଷ ପର୍ଯ୍ୟାୟରେ ବିଶେଷ ଭାବରେ ଲାଭଦାୟକ ହୋଇଥାଏ । ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଦ୍ରୁତ, ଅଧିକ ଗତିଶୀଳ ଏବଂ ଶତ୍ରୁ ବିମାନକୁ ଏଡ଼ାଇ ଯିବା କଷ୍ଟକର କରିଥାଏ । ବିପରୀତରେ ପାରମ୍ପରିକ ରକେଟ୍ ମୋଟରଗୁଡ଼ିକ ଶୀଘ୍ର ଇନ୍ଧନ ଜାଳିଥାଏ, ଯାହା ସେମାନଙ୍କୁ କେବଳ ସେମାନଙ୍କର ଗତି ଉପରେ ଭାସମାନ କରିଥାଏ ।
ସ୍ୱତନ୍ତ୍ର ଦେଶ ତାଲିକାରେ ଭାରତ ସାମିଲ:
ଏହି ସଫଳ ପ୍ରଦର୍ଶନ ଭାରତକୁ ଏହି ପ୍ରଯୁକ୍ତିବିଦ୍ୟା ଥିବା କିଛି ମନୋନୀତ ଦେଶମାନଙ୍କ ମଧ୍ୟରେ ସ୍ଥାନିତ କରିଛି, ଯାହା ଦୂରଗାମୀ ବାୟୁରୁ ବାୟୁ କ୍ଷେପଣାସ୍ତ୍ର ବିକାଶକୁ ସକ୍ଷମ କରିଥାଏ । ଯାହା ଦ୍ୱାରା ପ୍ରତିଦ୍ୱନ୍ଦୀମାନଙ୍କ ଉପରେ ଏକ ରଣନୈତିକ ଲାଭ ପ୍ରଦାନ କରିଥାଏ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ପ୍ରାରମ୍ଭିକ ଭାବରେ ଗ୍ରାଉଣ୍ଡ ବୁଷ୍ଚର ମୋଟର ଦ୍ୱାରା ଚାଳିତ ହେବା ପରେ ନୋଜଲ୍-ଲେସ୍ ବୁଷ୍ଟର, SFDR ମୋଟର ଏବଂ ଇନ୍ଧନ ପ୍ରବାହ ନିୟନ୍ତ୍ରକ ସମେତ ସମସ୍ତ ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରୟୋଗଶାଳା, ଉଚ୍ଚ ଶକ୍ତି ସାମଗ୍ରହୀ ଗବେଷଣା ପ୍ରୟୋଗଶାଳା, ଗବେଷଣା କେନ୍ଦ୍ର ଇମାରତ ଏବଂ ITR ସମେତ ବିଭିନ୍ନ DRDO ପ୍ରୟୋଗଶାଳାର ବରିଷ୍ଠ ବୈଜ୍ଞାନିକମାନେ ଏହି ପରୀକ୍ଷଣକୁ ତଦାରଖ କରିଥିଲେ ।
ଆହୁରି ପଢ଼ନ୍ତୁ... ୬ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ , ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ