​​​​​​​ପାଟନା, ୮।୨: ବିହାରର ଦରଭଙ୍ଗାରେ ଜଣେ ୬ ବର୍ଷର ନାବାଳିକାକୁ ନିର୍ମମ ଭାବେ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି । ଶନିବାର ରାତିରେ ବିଶ୍ୱବିଦ୍ୟାଳୟ ଥାନା ଅଞ୍ଚଳରେ ବେଲାରେ ଏଭଳି ଘଟଣା ଘଟିଥିଲା । ଏହି ମାମଲାରେ, ପୁଲିସ ପଡ଼ୋଶୀରେ ରହୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି । ତାଙ୍କ ପୋଷାକରେ ରକ୍ତ ଦାଗ ଥିବା ପ୍ରମାଣ ମିଳିଛି । ଯୁବକ ଜଣକ ୨୨ ବର୍ଷୀୟ ବିକାଶ ମାହେତୋ ବୋଲି ଜଣାପଡ଼ିଛି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଲୋକମାନେ ଅଭିଯୁକ୍ତଙ୍କୁ ହସ୍ତାନ୍ତର ଦାବି କରିବା ସହ ତାଙ୍କୁ ତାଲିବାନୀ ଦଣ୍ଡ ଦେବା ପାଇଁ ଅଟଳ ଅଛନ୍ତି । ପୁଲିସ ଏବଂ ଜନସାଧାରଣ ମୁହାଁମୁହିଁ ହୋଇଛନ୍ତି । ପଥର ଫିଙ୍ଗାଳିଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଛି । ବରିଷ୍ଠ ପ୍ରଶାସନ ଏବଂ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

​​​​​​​ଏହା ବି ପଢ଼ନ୍ତୁ... କର୍ଣ୍ଣାଟକର ବିଜୟପୁରାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ଗୁରୁତର

ଘଟଣାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଓ ପରିବାର ସଦସ୍ୟ ସୁନ୍ଦରପୁର ବେଲା ମନ୍ଦିର ନିକଟରେ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ପ୍ରତିବାଦକାରୀମାନେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ପାଇଁ ଦାବି କରିଥିଲେ । ସୂଚନା ପାଇ ବିଶ୍ୱବିଦ୍ୟାଳୟ ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାର ଗମ୍ଭୀରତାକୁ ବିଚାର କରି ଏସଏସପି ଜଗୁନାଥ ରେଡ୍ଡୀ ଜଲାରେଡ୍ଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ତଦନ୍ତ ପାଇଁ ଏକ ଏଫଏସଏଲ ଦଳକୁ ମଧ୍ୟ ଡକାଯାଇଛି । ଘଟଣାସ୍ଥଳରେ ୫ଟି ପୁଲିସ ଷ୍ଟେସନର ପୁଲିସ ମୁତୟନ କରାଯାଇଛି । ଲୋକଙ୍କୁ ଶାନ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡିଏମସିଏଚକୁ ପଠାଇଛି । ମାମଲାର ପ୍ରତ୍ୟେକ ଦିହର ତଦନ୍ତ କରାଯାଉଛି । ଏସଏସପି କହିଛନ୍ତି ଯେ, ଝିଅର ମୃତଦେହ ଉଦ୍ଧାର କରାଯାଇଛି ଏବଂ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ।

ରିପୋର୍ଟ ଅନୁସାରେ, ଝିଅଟି କାଦିରାବାଦର ବାସିନ୍ଦା । ସେ ବେଲାରେ ତାଙ୍କ ମାମଁଘରକୁ ଆସିଥିଲେ । ଶନିବାର ସନ୍ଧ୍ୟାରୁ ସେ ନିଖୋଜ ଥିଲେ । ତାଙ୍କ ପରିବାର ତାଙ୍କୁ ଖୋଜାଖୋଜି କରିବା ପରେ କୌଣସି ସୁରାକ ମିଳିନଥିଲା । ବିଳମ୍ୱିତ ରାତିରେ ଗାଁ ବାହାରେ ଥିବା ଏକ ପୋଖରୀ ପାଖରେ କିଛି କୁକୁର ଭୁକୁଥିଲେ । ଗାଁ ଲୋକଙ୍କଠୁ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଖରୀ କୂଳରେ ଥିବା ଏକ କାନ୍ଥ ପାଖରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଝିଅଟିକୁ ପଡ଼ିଥିବାର ଦେଖିଥିଲେ । ସେତେବେଳକୁ ଝିଅଟିର ମୃତ୍ୟୁ ହୋଇସାରିଥିଲା । କହିରଖୁ ଯେ, ଘଟଣା ସମୟରେ ୩ ଜଣ ଝିଅ ଏକ ପୋଖରୀ ପାଖରେ ଖେଳୁଥିବା ଜଣାପଡ଼ିଛି । ଅଭିଯୁକ୍ତ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ଦୁଇ ଜଣ ଝିଅ ଖସି ପଳାଇଥିବା ବେଳେ ଗୋଟିଏ ଝିଅ ତାଙ୍କ ହାବୁଡ଼ରେ ପଡ଼ିଥିଲା । ଅଭିଯୁକ୍ତ ଝିଅଟିକୁ ଅନ୍ଧାରିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ । ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।