ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ବାଇକ୍ ଏବଂ କ୍ୟାବ୍ ସେବା ଯୋଗାଉଥିବା କମ୍ପାନୀ RAPIDO ର ପରିଚାଳନା ଉପରେ ରୋକ୍ ଲଗାଯାଇଛି। ଜମ୍ମୁ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଜସ୍ମିତ ସିଂହ କହିଛନ୍ତି ଯେ, RAPIDO ଆବଶ୍ୟକୀୟ ' ଆଗ୍ରିଗେଟର ସାର୍ଟିଫିକେଟ୍' ବିନା ରାଜ୍ୟରେ କାର୍ଯ୍ୟ କରୁଥିଲା, ଯାହା ପରେ ପରିବହନ ବିଭାଗ ତୁରନ୍ତ ଏହାକୁ ବେଆଇନ ଘୋଷଣା କରିଛି।

ମୁଖ୍ୟ କାରଣ ଓ ନିୟମାବଳୀ :

RTO ଜସ୍ମିତ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,RAPIDO କୌଣସି ବୈଧ ଅନୁମତି ବିନା ନିଜର ସେବା ଜାରି ରଖିଥିବା ବିଭାଗ ନଜରକୁ ଆସିଥିଲା। ନିୟମ ଅନୁଯାୟୀ, ଯେକୌଣସି ଆଗ୍ରିଗେଟର କମ୍ପାନୀକୁ ଜମ୍ମୁ-କାଶ୍ମୀରରେ କାମ ଆରମ୍ଭ କରିବା ପୂର୍ବରୁ ପରିବହନ କମିଶନରଙ୍କ କାର୍ଯ୍ୟାଳୟରେ ପଞ୍ଜୀକରଣ କରିବା ଏବଂ ଲାଇସେନ୍ସ ନେବା ବାଧ୍ୟତାମୂଳକ। କମ୍ପାନୀକୁ ରାଜ୍ୟରେ ନିଜର ଏକ କାର୍ଯ୍ୟାଳୟ ସ୍ଥାପନ କରିବାକୁ ହେବ। ଏହାସହ ଯାତ୍ରୀ ଏବଂ ଗାଡ଼ି ଗୁଡ଼ିକର ସଠିକ୍ ନିରୀକ୍ଷଣ ପାଇଁ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ପ୍ରତିଷ୍ଠା କରିବାକୁ ପଡ଼ିବ।

ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ RTO କହିଛନ୍ତି ଯେ, ଲୋକଙ୍କୁ ବାଇକ୍ ବା କାର୍ରେ କିଏ ଏବଂ କୁଆଡ଼େ ନେଉଛି, ସେ ସମ୍ପର୍କରେ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଖରେ ସୂଚନା ରହିବା ଜରୁରୀ। ଯଦି କୌଣସି ଅସାମାଜିକ ବା ରାଷ୍ଟ୍ରବିରୋଧୀ ତତ୍ତ୍ୱ ଏହି ସେବାର ଅପବ୍ୟବହାର କରନ୍ତି, ତେବେ ସେମାନଙ୍କୁ ଟ୍ରାକିଂ କରିବା ଏକ ବଡ଼ ଆହ୍ୱାନ ହୋଇପାରେ। ତେଣୁ ଗାଡ଼ି, ଚାଳକ ଏବଂ ଦସ୍ତାବିଜର ଯାଞ୍ଚ ହେବା ଅତ୍ୟନ୍ତ ଆବଶ୍ୟକ।

ସରକାର ଲୋକଙ୍କ ଅସୁବିଧା ଚାହୁଁନାହାନ୍ତି, କିନ୍ତୁ ଯାତ୍ରୀଙ୍କ ସୁରକ୍ଷା ଏବଂ ଜାତୀୟ ସୁରକ୍ଷା ସହ ସାଲିସ କରାଯାଇପାରିବ ନାହିଁ। ଆବଶ୍ୟକୀୟ ଲାଇସେନ୍ସ ଏବଂ ସମସ୍ତ ନିୟମ ପାଳନ କରିବା ପରେ ହିଁ RAPIDO କୁ ପୁଣିଥରେ କାର୍ଯ୍ୟ କରିବାକୁ ଅନୁମତି ମିଳିବ।

ଆହୁରି ମଧ୍ୟ ପଢନ୍ତୁ : ୟୁପିର ଠାକୁର ରାଜ ସିଂହ କିଏ ? ଶୁଭେନ୍ଦୁ ଅଧିକାରୀଙ୍କର ପିଏଙ୍କ ହତ୍ୟାକାଣ୍ଡରେ ଗିରଫ କଲା କୋଲକାତା ପୁଲିସ