ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହ୍ୟାରି ପୋଟର ବହିର ପ୍ରଥମ ସଂସ୍କରଣ ୩୮ ଲକ୍ଷରେ ନିଲାମ

Published By : Prameya | November 30, 2024 2:35 PM

ନୂଆଦିଲ୍ଲୀ ୩୦/୧୧: ‘ହ୍ୟାରି ପୋଟର ଆଣ୍ଡ୍‌ ଦ ଫିଲୋସଫର୍ସ ଷ୍ଟୋନ୍‌’  ଶୀର୍ଷକ ପୁସ୍ତକର ଏକ ବିରଳ ପ୍ରଥମ ସଂସ୍କରଣ  ୩୮,୫୩,୧୧୬ ଟଙ୍କାରେ ନିଲାମ ହୋଇଛି । ୧୯୯୭  ମସିହାରେ ଖ୍ରିଷ୍ଟାଇନ୍‌ ମ୍ୟାକ୍‌କୁଲଚ୍‌ ନାମକ ଜଣେ  ମହିଳା ପୁସ୍ତକକୁ ପ୍ରାୟ ୧,୦୭୦ ଟଙ୍କାରେ କିଣିଥିଲେ ।  ସେ ନିଜ ପୁଅ ଆଡାମ୍‌ ପାଇଁ ଉପହାର ସ୍ୱରୂପ  ଏହାକୁ ଷ୍ଟ୍ରାଟ୍‌ଫର୍ଡ-ଅପନ୍‌-ଆଭୋନ୍‌ ପୁସ୍ତକାଳୟରୁ  କିଣିଥିଲେ । କିନ୍ତୁ ଦିନେ ଏହା ଏକ ମୂଲ୍ୟବାନ ସଂଗ୍ରହ  ହୋଇଯିବ ବୋଲି ଜାଣିନଥିଲେ । 

ଗତ ବୁଧବାର ଷ୍ଟାଫୋର୍ଡଶାୟାର ସ୍ଥିତ ଲିଚ୍‌ଫିଲ୍ଡରେ  ଥିବା ରେୟାର ବୁକ୍‌ ଅକ୍ସନ୍ସରେ ଏହି ନିଲାମ  ହୋଇଥିଲା । କ୍ରେତାଙ୍କ ପ୍ରିମିୟମ୍‌ ସହିତ ପୁସ୍ତକର  ମୂଲ୍ୟ ମୋଟ୍‌ ୪୮,୧୬,୩୯୫ ଟଙ୍କା ହେଲା । ନିଲାମକର୍ତ୍ତା କହିଛନ୍ତି,  ପୁସ୍ତକଟି ଜେକେ ରୋଲିଂଙ୍କ ପ୍ରଥମ ଉପନ୍ୟାସର ପ୍ରଥମକରି ଛପା  ହୋଇଥିବା ମାତ୍ର ୫୦୦ ଖଣ୍ଡ ମଧ୍ୟରେ ଅନ୍ୟତମ  ଥିଲା । ଏହାର ନିଲାମ ମୂଲ୍ୟ ୩୦ ହଜାର  ଡଲାରରୁ ୫୦ ହଜାର ଡଲାର ମଧ୍ୟରେ  ମୂଲ୍ୟାଙ୍କନ କରାଯାଇଥିଲା ।  ମା’ଙ୍କଠୁ ପୁରସ୍କାର ରୂପେ ଏହି ବିରଳ ପୁସ୍ତକ  ପାଇଥିବା ଆଡାମ୍‌ କହିଛନ୍ତି, ଚେଷ୍ଟରଫିଲ୍ଡ ସ୍ଥିତ  ତାଙ୍କର ପୁରୁଣା ଘରେ ଏକ କପ୍‌ବୋର୍ଡ ଭିତରେ  ଏଇଟି ଥିଲା । ୨୦୨୦ ମସିହାରେ କରୋନା ଲକ୍‌ଡାଉନ୍‌  ସମୟରେ ଆଡାମ୍‌ଙ୍କ ପରିବାର ପୁସ୍ତକର  ପ୍ରଥମ ସଂସ୍କରଣର ଗୁରୁତ୍ୱ ବିଷୟରେ  ଜାଣିବାକୁ ପାଇଥିଲେ । ବହିରେ ଚା’  ଦାଗ ରହିଛି । କୋଣ ମଧ୍ୟ ମୋଡ଼ି  ହୋଇଛି । ଏଥିରୁ ଜଣାପଡୁଛି ଯେ ପଠନ ବେଳେ  ବ୍ୟକ୍ତି ଏହାର ଖୁବ୍‌ ମଜା ନେଇଥିଲେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.