ମୁମ୍ବାଇ ୧୮/୧୧: ବର୍ଷ ଆରମ୍ଭରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର ଆରମ୍ଭ କରିଥିଲେ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନି । ଅଭିଷେକ କପୁରଙ୍କ ଫିଲ୍ମ ‘ଆଜାଦ୍’ ଜରିଆରେ ସେ ବଡ଼ ପରଦାକୁ ଆସିଥିଲେ । ଫିଲ୍ମରେ ଅଜୟ ଦେବଗନ ଓ ତାଙ୍କ ପୁତୁରା ଅମନ ଦେବଗନ ସ୍କ୍ରିନ୍ ଶେୟାର କରିଥିଲେ । ଚମତ୍କାର ଡାଇଲଗ୍ ଡେଲିଭରୀ, ଭାବଭଙ୍ଗୀ ଏବଂ ‘ଉୟି ଅମ୍ମା’ ଗୀତରେ ଦମ୍ଦାର ନୃତ୍ୟ ଜରିଆରେ ରାଶା ସବୁରି ଧ୍ୟାନ ଆକର୍ଷଣ କଲେ ।
ଏବେ ସେ ନିଜର ଅପ୍କମିଙ୍ଗ ଫିଲ୍ମ ‘ଲାଇକି ଲାଇକା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ ଅଛନ୍ତି ‘ମୁଞ୍ଜ୍ୟା’ ଫେମ୍ ଅଭୟ ବର୍ମା । ତେବେ ସୋମବାର ସକାଳେ ରାଶା ନିଜର ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ଏହା ଜରିଆରେ ସେ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ସୁପର୍ଷ୍ଟାର ମହେଶ ବାବୁଙ୍କ ପୁତୁରା ଜୟ କ୍ରୀଷ୍ଣା ଘଟ୍ଟମନେନିଙ୍କ ସହ ସ୍କ୍ରିନ୍ ଶେୟାର କରିବେ । ଜୟ କ୍ରିଷ୍ଣାଙ୍କର ଏହା ଡେବ୍ୟୁ ଫିଲ୍ମ । ରାଶା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ତେଲୁଗୁ ଡେବ୍ୟୁ ବିଷୟରେ ଘୋଷଣା କରିଛନ୍ତି ।
ବର୍ତ୍ତମାନ ପାଇଁ ଫିଲ୍ମର ଟାଇଟଲ ରଖାଯାଇଛି ‘ଏବି ୪’ । ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଜୟ ଭୂପତି, ଯିଏକି ୨୦୧୮ ମସିହାର ଫିଲ୍ମ ‘ଆର୍ଏକ୍ସ ୧୦୦’ର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମର ଫାର୍ଷ୍ଟ ଲୁକ୍ ପୋଷ୍ଟର୍ରେ ରାଶା ଖୁବ୍ ନିର୍ଭୀକ ଦିଶୁଛନ୍ତି । କଳା ଟ୍ୟାଙ୍କ୍ ଟପ୍ ଓ ବ୍ଲୁ ଜିନ୍ସ ପିନ୍ଧି ଏକ କଳା ବାଇକ୍କୁ ଆଉଜି ଠିଆ ହୋଇଛନ୍ତି ।