ନୂଆଦିଲ୍ଲୀ, ୧୬/୧୦ : ଟାଟା ଗ୍ରୁପର ଚେୟାରମ୍ୟାନ୍ ରହିଥିବା ରତନ ଟାଟାଙ୍କ ୯ ଅକ୍ଟୋବର ୨୦୨୪ରେ ୮୬ବର୍ଷ ବୟସରେ ନିଧନ ହୋଇଛି । ତାଙ୍କ ନିଧନ ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଯାଇଛି । ଠିକ୍ ଏହି ସମୟରେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜ ଛାତିରେ ରତନ ଟାଟାଙ୍କ ଟାଟୁ ତିଆରି କରିଥିବା ନଜର ଆସିଛନ୍ତି । ଭିଡ଼ିଓକୁ ମହେଶ ଚହ୍ବାଣ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯିଏ ଜଣେ ଟାଟୁ ଆର୍ଟିଷ୍ଟ ଅଟନ୍ତି । ଏହି ଭିଡ଼ିଓରେ ଉକ୍ତ ବ୍ୟକ୍ତି ଜଣଙ୍କ ଟାଟୁ ପ୍ରକ୍ରିୟା ସମୟରେ ତାଙ୍କର ବ୍ୟକ୍ତିଗତ କାହାଣୀ ବି କହୁଛନ୍ତି ।
ବ୍ୟକ୍ତି ଜଣଙ୍କ କହିଛନ୍ତି କି କିଭଳି ଭାବେ ତାଙ୍କର ନିକଟତମ ସାଙ୍ଗଙ୍କୁ କ୍ୟାନ୍ସର ହୋଇଥିଲା । ପରେ ଏହି କଠିନ ଲଢେଇରେ ତାଙ୍କୁ ଚିକିତ୍ସା ଲାଗି ଆବଶ୍ୟକ ସହାୟତା ମିଳିନଥିଲା । ଆମେ ବହୁ ହସ୍ପିଟାଲକୁ ଯାଇଥିଲୁ । ମାତ୍ର ତାଙ୍କର ଚିକିତ୍ସା ଲାଗି ଅଧିକ ଅର୍ଥ କହିବାରୁ ଆମେ ତାହାକୁ ପୂରଣ କରିପାରିନଥିଲୁ । ମାତ୍ର କଠିନ ସମୟରେ ଆମକୁ ଟାଟା ଗ୍ରୁପର ଠିକଣା ମିଳିଥିଲା । ଏହି ଟ୍ରଷ୍ଟ ସାହାଯ୍ୟ କରିଥିଲେ ଏବଂ ତାଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ କରିଥିଲେ ।
ଫଳରେ ଏହି ସହାୟତା ମାଧ୍ୟମରେ ମୋର ବନ୍ଧୁଙ୍କର ଜୀବନ ବଞ୍ଚିଥିଲା । ଏହି କାରଣରୁ ରତନ ଟାଟାଙ୍କୁ ସମ୍ମାନୀତ କରିବାର ନିର୍ଣ୍ଣୟ ନେଇଛି । ମୋର ସାଙ୍ଗଙ୍କୁ ଭଲ ହେବା ଲାଗି ପ୍ରାୟ ଗୋଟିଏ ବର୍ଷ ୬ମାସ ଲାଗିଥିଲା । ମୁଁ ରତନ ଟାଟା ଏବଂ ତାଙ୍କ ସଂଗଠନ ପ୍ରତି ଖୋଲା ହୃଦୟରୁ କୁତଜ୍ଞତା ଅଟେ । ମୋତେ ଜଣାନାହିଁ ସେ ମୋ ଭଳି କେତେ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।