ପୁରୀ ୯/୦୫: ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥ ଖଳା। ଜୋର୍ସୋର ଆଗେଇ ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ। ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ବିଧି ସମ୍ପନ୍ନ ହୋଇଛି । ରଥଖଳାରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ପହଞ୍ଚିବା ପରେ ୩ ରଥର ଚକ ସହ ଅଖ ସଂଯୋଗ କରାଯାଇଛି । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ ଭୁଞ୍ଜା ଯାଇଥିଲା । ପରମ୍ପରା ଅନୁଯାୟୀ ଚକ-ଅଖ ଡେରା ହେବା ପରେ ପ୍ରଥମ ହରି ବୋଲ ପକାଇଛନ୍ତି ସେବାୟତ।
ଭଉରୀଁ ଦିନ ସକାଳ ଧୂପ ସରିଲେ ରଥ ଖଳାକୁ ଠାକୁରଙ୍କ ଆଜ୍ଞା ମାଳ ବିଜେ ହୋଇଥିଲା । ପଟୁଆରରେ ପୂଜାପଣ୍ଡା ସାମନ୍ତମାନେ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ନେଇ ଶ୍ରୀନଅର ସିଂହଦ୍ୱାର ସମ୍ମୁଖକୁ ଆସି ପହଞ୍ଚିଥିଲେ । ଏହା ପୂର୍ବରୁ ଆଗେ ଭୋଇ ସେବକମାନେ ରଥ ଖଳାରୁ ନାହାକା ଚକ ବୋହି ଆଣି ଅଖ ସହ ଯଥା ସ୍ଥାନରେ ରଖିଥିବେ । ଆଜ୍ଞାମାଳ ପହଞ୍ଚିବା ପରେ ଚକ ଓ ଅଖ ସଂଯୋଗ କରି ହରିବୋଲ ପକାଇଛନ୍ତି ।
୩ ରଥର ତିନି ମୁଖ୍ୟ ବିଶ୍ୱକର୍ମା ସଂଯୁକ୍ତ ଚକର ତୁମ୍ବରେ ଖଣ୍ଡୁଆ ପକାଇଲେ । ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଲାଗି କରିଥିଲେ । ପୁଣି ମୁଖ୍ୟ ବିଶ୍ୱକର୍ମାମାନେ ଆଜ୍ଞାମାଳ ଚକ ଉପରେ ସ୍ଥାପନ କରି ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିଥିଲେ ।