ପୁରୀ,୧୩/୦୭: ରଥ ତ୍ରୟରେ ଦିଆଯାଉଛି ଶେଷ ସ୍ପର୍ଶ । ରବିବାର ରଥ ଚାରିପଟେ ବୁଲିଛି ଠେକରା ବାଡ଼ । ତାଳଧ୍ୱଜ ରଥରେ ସବୁଜ ରଙ୍ଗର ବାଡ଼, ଦେବଦଳନ ରଥରେ କମଳା ରଙ୍ଗର ବାଡ଼ ଓ ନନ୍ଦିଘୋଷ ରଥରେ ହଳଦିଆ ରଙ୍ଗର ବାଡ଼ ବୁଲିଛି । ଏଥିସହ ଅପରାହ୍ଣରେ କୋଠସୁଆଁସିଆ ସେବକମାନେ ରଥ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତିନି ରଥରେ କନା ପଡ଼ିବା ଆରମ୍ଭ ହୋଇଛି । ୧୫ ଜଣ ଭଳି କୋଠସୁଆଁସିଆ ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି । ଏଥିସହ କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିଛି । ଠାକୁରଙ୍କ ସିଂହାସନ ଉପରେ ରହିଛି କନକମୁଣ୍ଡି । ଆଗେ ତାଳଧ୍ୱଜ ରଥରୁ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  Anavasara Ritual: ଆଜି ମହାପ୍ରଭୁଙ୍କ ଘଣାଲାଗି ଓ ବନକଲାଗି ନୀତି, କାଲି ନବଯୌବନ ରୂପରେ ଭକ୍ତଙ୍କୁ ଦେବେ ଦର୍ଶନ

ରଥର ଦୁଆରଘଡ଼ାର ଅଂଳା ଓ ଚନ୍ଦ୍ରଶାଳିରେ କନା ଲଗାଯାଇଛି । ଦର୍ଜୀ ସେବକମାନେ ରଥର ବତା ଓ ବିଳାସପଟି, ପୋଟଳ, ମେଣ୍ଢାମୁଣ୍ଡିଆ ଆଦି କାମ ସାରୁଛନ୍ତି । ଦର୍ଜି ସେବକ ତିଆରି ଦେଲେ କୋଠସୁଆଁସିଆ ସେବକ ରଥରେ କନା ମଣ୍ଡଣି କାର୍ଯ୍ୟ ସାରିବେ । ସାରଥିଙ୍କ ପୋଷାକ ତିଆରି ଶେଷ ହୋଇଛି । ଚିତ୍ରକର ସେବକମାନେ ପ୍ରଭା ଚିତ୍ର ଶେଷ କରିଛନ୍ତି । ପ୍ରଭାକାମ ସରିଯିବା ପରେ ଭୋଇ ସେବକମାନେ ଏସବୁକୁ ଆଣି ରଥ ଉପରେ ସ୍ଥାପନ କରିବେ । ଚିତ୍ରକର ସେବକମାନେ ରଥର ବାହ୍ୟ ଅଂଶଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି । ଓଝା ସେବକମାନେ ଠାକୁରଙ୍କ ସେବା ଓ ରଥ କାର୍ଯ୍ୟ ପାଇଁ କୋଠସୁଆଁସିଆ ସେବକଙ୍କ ଦରକାରୀ ସାମଗ୍ରୀ ସବୁ ତିଆରି ଯୋଗାଇଛନ୍ତି । ରଥ କାମ ଶେଷରେ ପଟା ପଡ଼ି ଚକା ରଖାଯିବ । ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ଅବସ୍ଥାନ କରିବେ ।