ନୂଆଦିଲ୍ଲୀ ୧୨/୦୭: କିଛି ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ମଶା ଅଧିକ କାମୁଡ଼ନ୍ତି । ଆଖପାଖ ଲୋକଙ୍କଠୁ ଅନେକ ସମୟରେ ଏମିତି ଶୁଣିବାକୁ ମିଳେ । ମିଠା ରକ୍ତ ପ୍ରତି ମଶା ବେଶି ଆକର୍ଷିତ ହୁଅନ୍ତି ବୋଲି ଲୋକେ ମଜାରେ କହିଦିଅନ୍ତି । କିନ୍ତୁ ମିଠା ରକ୍ତ ନୁହେଁ, ଏଥିପାଇଁ ରସାୟନ ଦାୟୀ । ସଦ୍ୟ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି । କେବଳ ମାଈ ମଶା ମଣିଷକୁ କାମୁଡ଼ନ୍ତି । ଡିମ୍ବାଣୁ ବିକାଶ ଲାଗି ପ୍ରୋଟିନ୍ ପାଇବା ନିମନ୍ତେ ମଶା ଆମ ରକ୍ତ ଆବଶ୍ୟକ କରନ୍ତି । ୧୦ ମିଟର ଦୂରରୁ ସେମାନେ ଦୃଷ୍ଟିଶକ୍ତି ଓ ଘ୍ରାଣଶକ୍ତି ଜରିଆରେ ନିଜ ଶିକାରକୁ ଟାର୍ଗେଟ୍ କରନ୍ତି । ଶ୍ୱାସକ୍ରିୟା ଓ ତ୍ୱଚା ଜରିଆରେ ଆମେ ଛାଡୁଥିବା ଅଙ୍ଗାରକାମ୍ଳରୁ ସେମାନେ ଶିକାରକୁ ଚିହ୍ନିପାରନ୍ତି । ମଣିଷର ଶ୍ୱାସକ୍ରିୟା ମଶାଙ୍କୁ ଅଙ୍ଗାରକାମ୍ଳର ସଙ୍କେତ ଦିଏ, ଏହା ଦ୍ୱାରା ସେମାନଙ୍କ ଶୁଙ୍ଘିବା ଅଙ୍ଗ ସକ୍ରିୟ ହୋଇଯାଏ । ପିଲାଙ୍କ ତୁଳନାରେ ବୟସ୍କ ବ୍ୟକ୍ତି ଅଧିକ ଅଙ୍ଗାରକାମ୍ଳ ଛାଡୁଥିବାରୁ ମଶା ସେମାନଙ୍କୁ ଅଧିକ କାମୁଡ଼ନ୍ତି । କେବଳ ମଣିଷ ନୁହେଁ, ଅଙ୍ଗାରକାମ୍ଳର ଅନ୍ୟ ସ୍ରୋତ ପ୍ରତି ମଧ୍ୟ ମଶା ଆକର୍ଷିତ ହୁଅନ୍ତି । ବରଫ ଖଣ୍ଡ (ଡ୍ରାଏ ଆଇସ୍) ଓ ବୋତଲବନ୍ଦ ଅଙ୍ଗାରକାମ୍ଳ ମଶାଙ୍କୁ ଫସାଇବାର ଉପଯୋଗୀ ସାଧନ ।
ଅଧ୍ୟୟନ ଅନୁସାରେ, ଉତ୍ତାପ ଓ ଆର୍ଦ୍ରତା ପ୍ରତି ମଧ୍ୟ ମଶା ଆକର୍ଷିତ ହୁଅନ୍ତି । ଅନ୍ୟ ମହିଳାଙ୍କ ତୁଳନାରେ ଗର୍ଭବତୀ ମହିଳା ମଶାଙ୍କୁ ଦୁଇଗୁଣ ଅଧିକ ଆକର୍ଷିତ କରନ୍ତି । ଏହାର କାରଣ ଗର୍ଭାବସ୍ଥା ମେଟାବଲିକ୍ ଚାହିଦା ଓ ଶ୍ୱାସକ୍ରିୟା ହାର ବଢ଼ାଇଥାଏ, ଯାହା ଫଳରେ ଗର୍ଭବତୀ ମହିଳା ଅଧିକ ଉତ୍ତାପ ଓ ଅଙ୍ଗାରକାମ୍ଳ ଛାଡ଼ନ୍ତି ବୋଲି ବ୍ରିଟେନର ଡରହାମ୍ ବିଶ୍ୱବିଦ୍ୟାଳୟର ପବ୍ଲିକ ହେଲ୍ଥ ଏଣ୍ଟୋମୋଲୋଜିର ପ୍ରଫେସର ଷ୍ଟିଭ ଲିଣ୍ଡସେ କହିଛନ୍ତି । ଯେଉଁମାନେ ବ୍ୟାୟାମ କରୁଛନ୍ତି, ମଶା ସେମାନଙ୍କ ପ୍ରତି ଅସ୍ଥାୟୀ ରୂପେ ଅଧିକ ଆକର୍ଷିତ । ଖାସ୍କରି ବ୍ୟାୟାମ ସମୟରେ ଓ ତା’ପରେ । ଏହାର କାରଣ ଅଧିକ ମେଟାବଲିକ୍ ଚାହିଦା ଯାହା ଅଙ୍ଗାରକାମ୍ଳ ଉତ୍ପନ୍ନ ହାର ବଢ଼ାଏ ଏବଂ ସେମାନଙ୍କୁ ଅଧିକ ଉଷ୍ଣ ଓ ଝାଳପୂର୍ଣ୍ଣ କରେ । ପୃଥୁଳ ବ୍ୟକ୍ତି, ଯେଉଁମାନଙ୍କ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି ହୁଏ ଏବଂ ଯେଉଁମାନେ ଅଧିକ ଅଙ୍ଗାରକାମ୍ଳ ଛାଡ଼ନ୍ତି, ସେମାନେ ମଧ୍ୟ ମଶାଙ୍କୁ ଆକର୍ଷିତ କରନ୍ତି ।
ମଶା ଆମ ଆଖପାଖରେ ଥିଲେ (୧୦ ମିଟରରୁ କମ୍ ଦୂର), ଆମ ତ୍ୱଚା ଓ ଶ୍ୱାସକ୍ରିୟାରୁ ନିର୍ଗତ ଗନ୍ଧ ଜରିଆରେ ଶିକାରକୁ ଚିହ୍ନଟ କରନ୍ତି । ଲିଣ୍ଡସେ କହିଛନ୍ତି, ପ୍ରକୃତରେ ଗନ୍ଧ ହିଁ ସ୍ଥିର କରେ ମଶା କାହାକୁ କାମୁଡ଼ିବେ । ରସାୟନର କମ୍-ବେଶି ପ୍ରସାର ଏଥିରେ ଫରକ ସୃଷ୍ଟି କରେ । ବାସ୍ତବରେ ମଶା ଏକ ରସାୟନ ଜଗତରେ ବାସ କରନ୍ତି । ‘ମିଠା ରକ୍ତ’ଯୁକ୍ତ ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତି ବୋଲି ରହିଥିବା ଧାରଣାକୁ ଅନ୍ୟ ବୈଜ୍ଞାନିକଙ୍କ ସହ ଲିଣ୍ଡସେ ଖଣ୍ଡନ କରିଛନ୍ତି । ପ୍ରକୃତରେ ଆମର ଅନନ୍ୟ ତ୍ୱଚାର ଗନ୍ଧ ପ୍ରତି ମଶା ଆକର୍ଷିତ ହୁଅନ୍ତି ବୋଲି ସେ କହିଛନ୍ତି । ସ୍କିନ୍ ମାଇକ୍ରୋବାୟମ ତ୍ୱଚାରେ କାର୍ବୋହାଇଡ୍ରେଟ୍, ଫ୍ୟାଟି ଏସିଡ୍ ଓ ପେପ୍ଟାଇଡ୍କୁ ଭୋଲାଟାଇଲ ଅର୍ଗାନିକ୍ କମ୍ପାଉଣ୍ଡ ବା ଭିଓସି (ଅଙ୍ଗାରକ- ଆଧାରିତ ରସାୟନ ଯାହା ଘର ତାପମାତ୍ରାରେ ସହଜରେ ବାୟୁରେ ବାଷ୍ପୀଭୂତ ହୋଇଥାଏ)ରେ ବିଭାଜିତ କରିପାରେ, ଯାହା ସହଜରେ ବାୟୁରେ ବାଷ୍ପୀଭୂତ ହୋଇଯାଏ ଏବଂ ମଶା ତାକୁ ବାରିପାରନ୍ତି । ଆମ ତ୍ୱଚାରେ ୫୦୦ରୁ ଅଧିକ ଭୋଲାଟାଇଲ ଅର୍ଗାନିକ୍ କମ୍ପାଉଣ୍ଡ ରହିଛି ।
ଆହୁରି ପଢ଼ନ୍ତୁ...‘ଟ୍ୟାକ୍ସ –ଫ୍ରି ଦରମାର ମଧ୍ୟ ମୂଲ୍ୟ ଦେବାକୁ ପଡ଼ି ଥାଏ ’ , ଦୁବାଇରେ ରହୁଥିବା ଭାରତୀୟ ମହିଳା କହିଲେ ବିଦେଶ ଜୀବନର ସତ
ଆମ ତ୍ୱଚାରେ ଥିବା ଆମୋନିଆ ଓ ଲାକ୍ଟିକ୍ ଏସିଡ୍ ପ୍ରତି ମଶା ସର୍ବଦା ଆକର୍ଷିତ । କାର୍ବୋକ୍ସିଲିକ୍ ଏସିଡ୍ର ଉପସ୍ଥିତି ଏହି ଆକର୍ଷଣକୁ ଆହୁରି ମଜଭୁତ କରେ । ଆମେରିକାର ରକ୍ଫେଲର ବିଶ୍ୱବିଦ୍ୟାଳୟର ଗବେଷକମାନେ ୬୪ ଜଣଙ୍କ ତ୍ୱଚାର ଗନ୍ଧକୁ ବିଶ୍ଳେଷଣ କରିଥିଲେ । ସେମାନେ ୬ ଘଣ୍ଟା ଧରି ନାଇଲନ୍ ପିନ୍ଧିଥିଲେ । ମଶା ନାଇଲନ୍ ମଧ୍ୟରେ ଅଧିକ କାର୍ବୋକ୍ସିଲିକ୍ ଏସିଡ୍ଯୁକ୍ତ ବ୍ୟକ୍ତିଙ୍କ ଗନ୍ଧକୁ ସ୍ପଷ୍ଟ ରୂପେ ବାରିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ମଶାଙ୍କ ଆକର୍ଷଣର ଅଙ୍କକୁ ଗବେଷକମାନେ ରେକର୍ଡ କଲେ ଏବଂ ଜାଣିବାକୁ ପାଇଲେ ଯେ ସର୍ବାଧିକ ଅଙ୍କ ସର୍ବନିମ୍ନ ଅଙ୍କଠୁ ୧୦୦ ଗୁଣ ଅଧିକ ଥିଲା । ଜୀବନଶୈଳୀର ପରିବର୍ତ୍ତନ ସତ୍ତେ୍ୱ ଏହି ପାର୍ଥକ୍ୟ ବର୍ଷ ବର୍ଷ ଧରି ସ୍ଥିର ରହିଲା । ଅର୍ଥାତ୍ ଆପଣଙ୍କ ପାଖ ଲୋକଙ୍କ ପ୍ରତି ମଶାଙ୍କ ଆକର୍ଷଣ ଦୀର୍ଘସ୍ଥାୟୀ ବୋଲି ଲିଣ୍ଡସେ କହିଛନ୍ତି ।