ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ

ପୁରୀ, ୩୦/୦୬ : ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଆସିଲା ଡ଼ାକରା। ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଆଜ୍ଞାମାଳ ବିଜେ ହୋଇଛି। ୩ ବାଡ଼ର ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ବିଜେ କରିଛନ୍ତି। ଆଜ୍ଞାମାଳ ବିଜେ ପରେ ରଥଟଣା ହୋଇ ସିଂହଦ୍ଵାର ସାମ୍ନାକୁ ଆସିବ।
ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଦାଣ୍ଡ। ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଉଭା ତିଥିରେ ଗୁରୁବାର ମହାପ୍ରଭୁଙ୍କ ଘୋଷଯାତ୍ରାର ତିନ ରଥକୁ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ଡାକରା ଆସିଛି। ତିନି ରଥର କଳସ ସ୍ଥାପନ, ସିଂହାସନରେ ଚକା ପଡ଼ିବା, ଧ୍ୱଜା ବନ୍ଧା, ରଥ ଅଳଙ୍କରଣ କାମ ବାକି ରହିଛି । ରଥରେ କନା ଆବରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ୧ ତାରିଖ ରଥଯାତ୍ରା ଦିନ ସକାଳ ୬ରୁ ମଙ୍ଗଳ ଆଳତିରୁ ଗୋପାଳ ବଲ୍ଲଭ, ରଥପ୍ରତିଷ୍ଠା, ମଙ୍ଗଳାର୍ପଣ ବଢ଼ି ସକାଳ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହେବ । ରଥକୁ ମଦନମୋହନ ବିଜେ କରିବା ପରେ ଚିତା ଲାଗି, ବେଶ, ଛେରାପହଁରା ନୀତି, ଚାରମାଳ, ଘୋଡ଼ା, ସାରଥି ଯୋଚାହୋଇ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ରଥ ଟଣା ଅପରାହ୍ଣ ଚାରିଟାରୁ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି ।