ପୁରୀ,୩୦/୦୪: ରଥ ନିର୍ମାଣ ପରମ୍ପରାର ନୃସିଂହ ଜନ୍ମର ବେଶ୍ ମହତ୍ତ୍ୱପୂର୍ଣ୍ଣ । ଆଜି ନୃସିଂହ ଚତୁର୍ଦ୍ଦଶୀରେ ରଥର ଗୁଜ ଅନୁକୂଳ ହେବ । ରଥ ନିର୍ମାଣ କାର୍ଯ୍ୟରେ ଯୋଗଦେବେ ରୂପକାର ସେବକ । ତିନି ରଥର ମୁଖ୍ୟ ରୂପକାର ସେବକ ଗୁଜ ଅନୁକୂଳ କରିବେ । ଗୁଜ ରଥର ସୁରକ୍ଷା କବଚ । ସେହିପରି ନୃସିଂହ ଜନ୍ମରେ ଭୋଇସେବକମାନେ ଯନ୍ତା ଗାଡ଼ ଖୋଳିବେ । ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖ ବଡ଼ଦାଣ୍ଡରେ ଖୋଳାହେବ ଯନ୍ତାଗାଡ଼ । ଯନ୍ତା ଗାଡ଼ରେ ପଡ଼ି ଚକ ପ୍ରସ୍ତୁତ ହେବ ।

ଗୁଜ ଅନୁକୂଳ ପାଇଁ ୧୨ଫୁଟିଆ ଧଉରା କାଠ ରଥ ଖଳାକୁ ଯୋଗାଯାଇଛି । ବିଶ୍ୱକର୍ମାମାନେ ଏହାକୁ ଚଉପଟ କରି ରୂପକାର ସେବକଙ୍କୁ ଯୋଗାଇବେ । ପାରମ୍ପରିକ ବିଧି ମତେ ପୂଜାର୍ଚ୍ଚନା କରି ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ କରିବେ ରୂପକାର । ଅନୁକୂଳ କାଠରେ ଗୁଜ ତିଆରି ହେବ ଅର୍ଥାତ୍ ସିଂହ ମୂର୍ତ୍ତି ଖୋଦେଇ ହେବ । ସେପଟେ ଯନ୍ତା ଗାଡ଼ ଖୋଳିବା ପାଇଁ ୪୦ ଫୁଟିଆ କାଠ ପଡ଼ିଛି । ଯନ୍ତା ଗାଡ଼ରେ ପଡ଼ି ତୁମ୍ବ ସହିତ ଅର ଭୁଞ୍ଜାଯାଇ ସିଙ୍ଗଡ଼ା ପ୍ରସ୍ତୁତ ହେବ । ରଥ ଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ାରେ ପହି ସଂଯୁକ୍ତ ହୋଇ ଚକ ପ୍ରସ୍ତୁତ ହେବ ।

ଅଧିକ ପଢ଼ନ୍ତୁ :-  ରଥଖଳା ହାଲ୍‌ଚାଲ୍: ଆଗେଇ ଚାଲିଛି ତୁମ୍ବ ଓ ଅଗର ବିନ୍ଧ ଖୋଦେଇ, ଶାଳରେ ପନ୍ଦାରି ଓ ଅର କଣ୍ଟା ତିଆରି

ଆସନ୍ତା ୯ ତାରିଖ ଶନିବାର ମହାପ୍ରଭୁଙ୍କ ଚନ୍ଦନଯାତ୍ରାର ଭଉଁରୀ ଉତ୍ସବ । ରଥର ଚକ ଓ ଅଖ ସଂଯୁକ୍ତ ହେବ । ଇତିମଧ୍ୟରେ ତୁମ୍ବରେ ବିନ୍ଧ ଓ ଅଗର ବିନ୍ଧ ଖୋଦେଇ ସରି ପନ୍ଦାରି ଲାଗିବା ବିନ୍ଧ ହୋଇଛି । କରତି ସେବକମାନେ ତୁମ୍ବର ବଳକା ଅଂଶ କାଟି ସାଇଜ୍ କରୁଛନ୍ତି । ରଥ ଚକର ପହି କାଠ ଓ ଓ ଅର ପହଞ୍ଚିବାକୁ ଅପେକ୍ଷା । ଶାଳରେ ଓଝା ସେବକ ରଥ ପାଇଁ ଅର କଣ୍ଟା ନିର୍ମାଣ ସାରି ପନ୍ଦାରି ତିଆରିରେ ଲାଗିଛନ୍ତି ।