ପୁରୀ, ୨୯/୦୪: ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା ଓ ଦୋଳବେଦୀ ଶାଳ । ଖଳାରେ ନିହଣ ଓ ମୁଗୁର ସାହାଯ୍ୟରେ ବିଶ୍ୱକର୍ମାମାନେ ତୁମ୍ବରେ ବିନ୍ଧ ଓ ଅଗର ବିନ୍ଧ ଖୋଦେଇ ଜାରି ରଖିଛନ୍ତି । ତାଳଧ୍ୱଜ ରଥର ବିଶ୍ୱକର୍ମା ଜୟକୃଷ୍ଣ ମହାରଣା କୁହନ୍ତି, ତୁମ୍ବରେ ଅର ଫିଟିଂ ପାଇଁ ଅର କଣ୍ଟା ବାଡ଼ିଆ ହେବ । ସେଥିପାଇଁ ତୁମ୍ବରେ ଯେଉଁ ବିନ୍ଧ ହୁଏ ତାହାକୁ ଅଗରବିନ୍ଧ ବିନ୍ଧ କୁହନ୍ତି । ଅନ୍ୟପଟେ ଦୋଳବେଦୀ ଶାଳ ତିନିଟିରେ ଚକ ପାଇଁ ପନ୍ଦାରି ଓ ଅର କଣ୍ଟା ତିଆରିରେ ଲାଗିଛନ୍ତି ଓଝା ସେବକ ।
ଚକ ମଜଭୁତି ପାଇଁ ପନ୍ଦାରି ତିଆରି ହେଉଛି । ଆଗକୁ ଚକ ପାଇଁ ତିଆରି ହେବ ବଳା ଓ ପନ୍ଦାରି ଚାବି । ପନ୍ଦାରି ଚକର ମଝି ଅଂଶ ତୁମ୍ବର ଭିତର ପାଶ୍ୱର୍ରେ ଲାଗିବ। ଚକରେ ପନ୍ଦାରି ଲାଗିବା ପରେ ଚାବି ପଡ଼ିବ । ତୁମ୍ବର ବାହାର ପାଶ୍ୱର୍ରେ ଲାଗିବ ବଳା । ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ତିନି ରଥର ୪୨ ଚକ ପାଇଁ ଆବଶ୍ୟକ ୮୪ଟି ଲେଖାଏଁ ପନ୍ଦାରି ଓ ବଳା । ସେଗୁଡ଼ିକର ଆକାର ଭିନ୍ନ ଭିନ୍ନ । ତୁମ୍ବରେ ଅଖ ଭୁଞ୍ଜାଯିବ । ଠାକୁରଙ୍କ ରଥ ଅଖର ଆକାର ବଡ଼ରୁ ସାନ ହୁଏ ।
ଅଧିକ ପଢ଼ନ୍ତୁ :- Odisha Assembly: ବିଧାନସଭାରେ ମହିଳା ସଦସ୍ୟାଙ୍କ ସଂଖ୍ୟା ୭୯ ବର୍ଷରେ ମାତ୍ର ୧୩୧, ୭୦ ଆସନରେ ଏଯାଏ ମହିଳା ପ୍ରତିନିଧି ଶୂନ୍ୟ
ସେହି ଅନୁସାରେ ବଡ଼ସାନ ହୋଇ ତିଆରି ହୁଏ ପନ୍ଦାରି ଓ ବଳା । ସେଥିରେ ୪ଟି ଚାବି ଲାଗି ତୁମ୍ବକୁ ମଜଭୁତ କରାଯିବ । ଯେପରି ରଥ ଗଡ଼ିଲାବେଳେ ତୁମ୍ବରୁ ଅଖ ଖସି ନଯାଏ । ତାଳଧ୍ୱଜ ଦେବଦଳନ ଓ ନନ୍ଦିଘୋଷ ରଥ ନିର୍ମାଣ ସମାନୁପାତିକ ଭାବେ ଚାଲିଛି । ନୃସିଂହ ଚର୍ତୁଦ୍ଦଶୀ ପରେ ରଥ କାମ ଆହୁରି ଗତି ଧରିବ।