ପୁରୀ,୧୭/୦୬: ବେଶ୍‌  ତତ୍ପରତାର ସହ ଚାଲିଛି ଶ୍ରୀବିଗ୍ରହଙ୍କ  ରଥ ନିର୍ମାଣ । ସୋମବାର ତିନି ରଥରେ  କଇଁଚି ଓ ଅନ୍ଧାରି ତାଗ କାମ ଶେଷ ହୋଇଛି । ରଥର ବାନେ୍ଧଣୀ ହେଉଛି ‘କଇଁଚି’ । ଚାରିନାହାକାର ଉଭୟ ପାଶ୍ୱର୍ରେ କଇଁଚି ଛନ୍ଦା ହୁଏ । ରଥ ଉପର ଅଂଶରେ ଅନ୍ଧାରି ତାଗ କାମ । କଇଁଚି ଓ ଅନ୍ଧାରିତାଗ ଲାଗିବା ଦ୍ୱାରା ରଥ ଆଉ ଝାଙ୍କି ହୋଇ ନଥାଏ । ଏହାଦ୍ୱାରା ଅଧିକ ମଜଭୁତ ହୁଏ ରଥ । ସୋମବାର ରଥଖଳାରେ ଚନ୍ଦ୍ରଶାଳି କାମ ଆରମ୍ଭ ହୋଇଛି । ଦୁଆରଘଡ଼ାର ଏହା  ପ୍ରମୁଖ ଅଂଶ । ମଙ୍ଗଳବାର ରଥରେ  ପାରାଭାଡ଼ି ଉଠିବା ସହ ୧୨ ପରସ୍ତ  ପୋଟଳ ଉଠାଯିବାର କାର୍ଯ୍ୟକ୍ରମ ରହିଛି ।  

ରଥରେ କଇଁଚିରେ ୮/୨ ସାଇଜର  କାଠ ‘ଅନ୍ଧାରି ତାଗ’ ଦୁଇଟି ଖାପ  କରାଯାଇ ସେଟିଂ କରାଯାଇଛି । ଏହା  ରଥର ବାନେ୍ଧଣୀ । କଇଁଚି ସହ ଭୂଇଁ  ଶେଣି, ଭୂଇଁ ଖମ୍ବୀ ଓ ପାଖୁଡ଼ାକୁ  ବାନ୍ଧି ରଖିବାରେ ସହାୟକ । ଅଭିଜ୍ଞ  ବିଶ୍ୱକର୍ମାଙ୍କ ପରାମର୍ଶରେ ଭୋଇ ସେବକ  ଓ ବିଶ୍ୱକର୍ମା ମିଶି ରଥରେ ଏହି କାର୍ଯ୍ୟ  କରିଛନ୍ତି । ଚାରି ନାହାକା ବାନେ୍ଧଣି ପାଇଁ  କଇଁଚି ଫିଟିଂ କରାଯାଇଛି । ୧୩ ପରସ୍ତ  ପୋଟଳ ନିର୍ମାଣ ଶେଷ ହୋଇଛି ।  ବିଶ୍ୱକର୍ମା ମାପ ଅନୁଯାୟୀ ପଟା ପ୍ରସ୍ତୁତ  କଲାପରେ କମାର ସେବକଙ୍କ ଦ୍ୱାରା  ତିଆରି ବାଗିଆ କଣ୍ଟା ଓ ଗୋଡ଼ିଛାଲ  କଣ୍ଟା ବାଡ଼େଇ ପୋଟଳ ପ୍ରସ୍ତୁତ  ହୋଇଛି । ଆଜି ପାରାଭାଡ଼ିରେ ପାରା  ଚିତ୍ର ସରିଛି । ମଙ୍ଗଳବାର ରଥରେ  ପୋଟଳ ଉଠା କାର୍ଯ୍ୟ ସାରିବାକୁ ନିର୍ମାଣକାରୀ ପ୍ରସ୍ତୁତ ଅଛନ୍ତି ।  

ସୋମବାର ରଥର ୧୨ ଅଶ୍ୱ ବାହାରକୁ ଆସି ପ୍ରସ୍ତୁତି ଅପେକ୍ଷାରେ ରହିଛନ୍ତି ।  ରଥ ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗ  କାର୍ଯ୍ୟ ଚାଲିଛି । ପାଶ୍ୱର୍ ଦେବତା, ଶିଖରଡ଼ମ୍ବରୁ(ପାଶ୍ୱର୍ ଦେବତାଙ୍କ  ଆସ୍ଥାନ), ଓଲଟ ଶୁଆ, ସଖୀ,  ଦ୍ୱାରପାଳ, ଋଷିପଟା ଆଦି ରଥାଂଶକୁ  ଚିତ୍ରକରମାନେ ରଙ୍ଗ ଦେଉଛନ୍ତି ।  ରୂପକାର ସେବକମାନେ ରଥର ବିଭିନ୍ନ  ଅଂଶ ଖୋଦେଇରେ ବ୍ୟସ୍ତ ଅଛନ୍ତି ।  ଦର୍ଜୀସେବକ କନାମଣ୍ଡଣି କାର୍ଯ୍ୟ ଚାଲୁ  ରଖିଛନ୍ତି। ଦୋଳବେଦି ଅସ୍ଥାୟୀ ଶାଳରେ  କମାର ସେବକମାନେ ନାରାଜ ଓ ଜଙ୍ଘା  କଣ୍ଟା ତିଆରିଛନ୍ତି । ନାରାଜ କଣ୍ଟାରେ  ରଥରେ ଓଲଟ ଶୁଆ ଲାଗିବେ । ଜଙ୍ଘା  କଣ୍ଟା ପୋଟଳରେ ଲାଗିବ । ମହାପ୍ରଭୁଙ୍କ  ଅନବସର ସେବାରେ ଲାଗିବା ପାଇଁ  ନଡ଼ିଆ ଗଛ ଗଡ଼ରୁ ଆବଶ୍ୟକ ସାମଗ୍ରୀ ତିଆରି ହୋଇଛି । ଏହା  ବଡ଼ବାଡ଼ର କାର୍ଯ୍ୟ ବୋଲି ବିଶ୍ୱକର୍ମା  ବାଳକୃଷ୍ଣ ମହାରଣା କହିଛନ୍ତି ।