ଦୁବାଇ, ୧୫/୦୫: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ଭାରତର ରବିନ୍ଦ୍ର ଜାଡ଼େଜା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଏଥିସହ ସେ ସର୍ବାଧିକ ଦିନ ଧରି  ଶୀର୍ଷ ସ୍ଥାନ ବଜାୟ ରଖିବାରେ ରେକର୍ଡ ସ୍ଥାପନ  କରିଛନ୍ତି । ଜାଡ଼େଜା ଇତି ମଧ୍ୟରେ କ୍ରମାନ୍ୱୟରେ  ୧୧୫୧ ଦିନ ଧରି ଟେଷ୍ଟ ଅଲ୍‌ରାଉଣ୍ଡର ମାନ୍ୟତା  ତାଲିକାର ଶୀର୍ଷରେ ରହିଛନ୍ତି । 

୨୦୨୨ ମାର୍ଚ୍ଚରେ  ସେ ୱେଷ୍ଟ ଇଣ୍ଡିଜ୍‌ର ଜାସନ ହୋଲ୍ଡରଙ୍କୁ ଅତିକ୍ରମ କରି ଶୀର୍ଷ ସ୍ଥାନ ଦଖଲ କରିଥିଲେ । ସେବେଠୁ  ତାଙ୍କୁ ଅନ୍ୟ କେହି ହଟାଇପାରୁ ନାହାନ୍ତି । ଗତ ବର୍ଷ  ଜାଡ଼େଜାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ  ୫୨୭ ରନ ସଂଗ୍ରହ କରିବା ସହ ୪୮ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜାଡ଼େଜା ବର୍ତ୍ତମାନ ୪୦୦  ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ବାଂଲାଦେଶର ମେହଦି ହାସାନ  ମିରାଜ ୩୨୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ  ପହଞ୍ଚିଛନ୍ତି । ଉଭୟଙ୍କ ମଧ୍ୟରେ ୭୩ ପଏଣ୍ଟର  ବ୍ୟବଧାନ ରହିଛି । ୨୯୪ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ତୃତୀୟ ସ୍ଥାନ ଦଖଲ କରିଛନ୍ତି ।