କୋଲକା, ୨୨ଷ୬: ପଶ୍ଚିମବଙ୍ଗର ବିଜେପି ସରକାର ଆଜି ବିଧାନସଭାରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଅଭିଭାଷଣରେ ସେ କହିଛନ୍ତି ଯେ, ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି 'ବିକଶିତ ଭାରତ ଏବଂ ବିକଶିତ ବଙ୍ଗଳା' । ରାଜ୍ୟର ଆର୍ଥିକ ବିକାଶ ଓ ଜନକଲ୍ୟାଣକୁ ଦୃଷ୍ଟିରେ ରଖି ଏହି ବଜେଟ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ।
ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ୨୦% DA ବୃଦ୍ଧି
ବଜେଟ୍ର ସବୁଠାରୁ ବଡ଼ ଘୋଷଣା ମଧ୍ୟରେ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାରେ ୨୦%ର ବୃଦ୍ଧି କରାଯାଇଛି । ପୂର୍ବରୁ କର୍ମଚାରୀମାନଙ୍କୁ ୧୮% ଡିଏ ମିଳୁଥିବା ବେଳେ ଏହି ବୃଦ୍ଧି ପରେ ବର୍ତ୍ତମାନ ମୋଟ ଡିଏ ହାର ୩୮ ପ୍ରତିଶତରେ ପହଞ୍ଚିଛି । ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ, ଏହି ନୂତନ ନିଷ୍ପତ୍ତି ୧ ଏପ୍ରିଲ ୨୦୨୬ ଠାରୁ ଲାଗୁ ହେବ, ଯାହା ଦ୍ୱାରା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।
ଯୁବକମାନଙ୍କ ପାଇଁ ୧ ଲକ୍ଷ ଚାକିରି; ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ
ରାଜ୍ୟରେ ବେକାରୀ ସମସ୍ୟାର ସମାଧାନ ପାଇଁ ସରକାର ୧ ଲକ୍ଷ ନୂତନ ସରକାରୀ ଚାକିରି ଯୋଗାଇଦେବାକୁ ଘୋଷଣା କରିଛନ୍ତି । ଏହି ନିଯୁକ୍ତି ପ୍ରକ୍ରିୟାରେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯାଇ ୩୩% ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯିବ ବୋଲି ବଜେଟ୍ରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ... ନିଜ ଅପହରଣର ନାଟକ ରଚିଲେ ଆକାଉଣ୍ଟାଣ୍ଟ, ପତ୍ନୀଙ୍କୁ ମେସେଜ୍ ପଠାଇ ମାଗିଲେ ୫୦ ଲକ୍ଷ
ପୂର୍ବ ସାମାଜିକ ଯୋଜନା ଜାରି ରହିବ:
ରାଜ୍ୟରେ ଚାଲୁ ରହିଥିବା ପୂର୍ବ ସରକାରଙ୍କ ସମସ୍ତ ସାମାଜିକ ଓ ଜନକଲ୍ୟାଣମୂଳକ ଯୋଜନା ବିନା କୌଣସି ପରିବର୍ତ୍ତନରେ ଆଗକୁ ମଧ୍ୟ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହାସହ ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଦାୟିତ୍ୱବୋଧର ସହିତ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବଜେଟ୍ର ଅନ୍ୟାନ୍ୟ ପ୍ରମୁଖ ଘୋଷଣା:
ଡାଏଲ୍ ୧୧୨ ସେବା: ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଏକ ସମନ୍ୱିତ ହେଲ୍ପଲାଇନ ସେବା 'ଡାଏଲ ୧୧୨' ଆରମ୍ଭ କରାଯିବ ।
ଆର୍ଥିକ ସ୍ଥିତି ଓ ଋଣ ବୋଝ: ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ଉପରେ ପ୍ରାୟ ୮ ଲକ୍ଷ ୫୫ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି, ଯାହାର ପରିଚାଳନା ପାଇଁ ସରକାର ଆବଶ୍ୟକୀୟ ଆର୍ଥିକ ସଂସ୍କାର ଆଣିବେ ।
ମହିଳାଙ୍କ ପାଇଁ ମାଗଣା ବସ୍ ସେବା: ମହିଳାମାନଙ୍କ ଯାତାୟାତକୁ ସହଜ କରିବା ପାଇଁ ସରକାରୀ ବସ୍ରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯିବ ।
ପରମ୍ପରା ଓ ପରିବେଶକୁ ସମ୍ମାନ:
ଏଥର ବଜେଟ୍ ଉପସ୍ଥାପନରେ ବଙ୍ଗଳାର ପାରମ୍ପରିକ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ଏହା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ହେବା ସହ ବେଶ୍ ଶସ୍ତା ଏବଂ ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହନ ଦେଉଥିବା ଭଳି ପ୍ରସ୍ତୁତ ହୋଇଛି । ବିଧାନସଭାକୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ରାଜ୍ୟର ସମୃଦ୍ଧି କାମନା କରିଥିଲେ । ସଦନରେ 'ଜୟ ଶ୍ରୀରାମ' ନାରା ମଧ୍ୟରେ ଏହି ଐତିହାସିକ ବଜେଟ୍ ଆଗତ ହୋଇଛି, ଯାହାକୁ ନେଇ ସାଧାରଣ ଜନତା ଏବଂ ମହିଳା ମହଲରେ ଉତ୍ସାହ ପ୍ରକାଶ ପାଇଛି ।