ଭୁବନେଶ୍ୱର,୨୨/୦୬: ରାଜ୍ୟ ବିଧାନସଭାର ସ୍ଥାୟୀ ସମିତି (ଷ୍ଟାଣ୍ଡିଂ କମିଟି) ଗଢ଼ା ହେବାରେ ବିଳମ୍ବ ହୋଇଛି । ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଗଢ଼ା ହେବାର ପରମ୍ପରା ରହିଛି । ହେଲେ ତାହା ଭଙ୍ଗ ହୋଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ଓ କଂଗ୍ରେସର ନେତା । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।
ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା ଓ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ବାବଦରେ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଷ୍ଟାଣ୍ଡିଂ କମିଟି ଗଣତାନ୍ତ୍ରିକ ଶାସନ ପଦ୍ଧତିର ଏକ ଅବିଚ୍ଛେଦ ଅଂଶ । ବିଧାନସଭା ବର୍ଷକୁ ମାତ୍ର କିଛି ଦିନ ବସୁଥିବା ବେଳେ, ସ୍ଥାୟୀ ସମିତିଗୁଡିକ ବର୍ଷସାରା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ବ୍ୟୟ ବରାଦ ତଥା ଯୋଜନାର କାର୍ଯ୍ୟାନ୍ୱୟନକୁ ସମୀକ୍ଷା କରି ସକାରାତ୍ମକ ପରାମର୍ଶ ଦେଇଥାଆନ୍ତି ।
ଅଧିକ ପଢ଼ନ୍ତୁ :- Rath Khala Update: ରଥଖଳାରେ ପଞ୍ଚମହାଦେବଙ୍କ ପନ୍ତି ଅର୍ପଣ, ଦୁଆର ଘଡ଼ା କାର୍ଯ୍ୟ ଶେଷ
ଏହା ବ୍ୟତୀତ, ସାଧାରଣ ଜନତାଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସରକାରଙ୍କୁ ଅବଗତ କରାଇବା ପାଇଁ ସ୍ଥାୟୀ ସମିତି ଏକ ପ୍ରକୃଷ୍ଟ ମଞ୍ଚ । ହେଲେ ଗତ ସ୍ଥାୟୀ ସମିତିଗୁଡିକର ଅବଧି ସମାପ୍ତ ହେବା ପରେ ଏ ପର୍ଯ୍ୟନ୍ତ ନୂତନ କମିଟି ଗଠନ କରାଯାଇନାହିଁ । ବିଧାନସଭା ପରମ୍ପରା ଅନୁସାରେ ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଏହି କମିଟିର ଗଠନ କରାଯାଏ ।
ଓଡ଼ିଶା ବିଧାନସଭା ଯେବେଠାରୁ ଗଠନ ହୋଇଥିଲା ସେବେଠାରୁ ସ୍ଥାୟୀ ସମିତି ଗଠନ ହେବାର ପରମ୍ପରା କେବେ ଭଙ୍ଗ ହୋଇନଥିଲା । ତେଣୁ ଏହି ଅବହେଳା ବିରୋଧରେ ରଣେନ୍ଦ୍ର, ଗଣେଶ୍ୱର ଓ ଶ୍ରୀ କାଡାମ ରାଜ୍ୟପାଳଙ୍କୁ ଅବଗତ କରିବା ସହିତ ସ୍ଥାୟୀ ସମିତିଗୁଡିକୁ ଯଥା ଶୀଘ୍ର ଗଠନ କରିବା ଦିଗରେ ବାଚସ୍ପତିଙ୍କୁ ନିର୍ଦ୍ଦେଶ କରିବା ପାଇଁ ଅନୁରୋଧ କରିଛନ୍ତି ।