ନୂଆଦିଲ୍ଲୀ : ମହାରାଷ୍ଟ୍ରର ରାଜନୀତିରେ ଏହି ସମୟରେ ଭୂକମ୍ପ ସୃଷ୍ଟି ହୋଇଛି। ଏହାର କାରଣ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ଗୋଷ୍ଠୀର ଛଅ ଜଣ ସାଂସଦ। ଏମାନେ ସମସ୍ତେ ଏକନାଥ ସିନ୍ଧେ ଦଳକୁ ଯିବାର ପ୍ରସ୍ତୁତିରେ। ଏହି ମଧ୍ୟରେ ରବିବାର ଏକ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଶିବସେନା –ୟୁବିଟିର ବିଦ୍ରୋହୀ ସାଂସଦ ସଞ୍ଜୟ ଦିନା ପାଟିଲଙ୍କ ଝିଅ ରାଜୁଲ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ପହଞ୍ଚି ଥିଲେ। ଏହି ସମୟରେ ମିଡିଆ ସହ କଥାବାର୍ତ୍ତାରେ ରାଜୁଲ କହିଛନ୍ତି ସେ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି।
ସଞ୍ଜୟ ଦିନା ପାଟିଲଙ୍କ ଝିଅ, ରାଜୁଲ ରବିବାର ମାତୋଶ୍ରୀରେ ପହଞ୍ଚି ଥିଲେ। ରାଜୁଲ ପାଟିଲଙ୍କ ପିତା ସିନ୍ଧେ ଗ୍ରୁପ ସହ ଯାଉଛନ୍ତି , କିନ୍ତୁ ରାଜୁଲ ସ୍ପଷ୍ଟ କରିଛନ୍ତି ଯେ, ସେ ଠାକରେ ଗ୍ରୁପ୍ ସହ ଅଛନ୍ତି। ସେ କହିଛନ୍ତି ମୁଁ ଉଦ୍ଧବ ସାହେବ ଓ ଆଦିତ୍ୟ ସାହେବଙ୍କୁ ଭେଟିବାକୁ ଆସି ଥିଲି। ମୁଁ ନିଜର ଭୂମିକା ସ୍ପଷ୍ଟ କରି ଦେଇଛି। ମୁଁ ପାର୍ଟିରେ ଅଛି ଏବଂ ତାଙ୍କ ସହ ରହିଛି। ରାଜୁଲ ଆହୁରି କହିଛନ୍ତି ଯେ, ନିଜ କାମ ନିଷ୍ଠା ଓ ସଚ୍ଚୋଟତାର ସହ କରିବି। ଆଜି ମୁଁ ତାଙ୍କର ସ୍ୱାଗତ ପାଇଁ ଭୋଟରଙ୍କ ପାଖକୁ ଯିବି । ମୁଁ ମୋର କଥା ରଖିଛି, ଉଦ୍ଧବ ଠାକରେ ଖୁସି ଅଛନ୍ତି। ରାଜୁଲ ମିଡିଆ ସହ କଥା ହୋଇ କହିଛନ୍ତି ଆମ ଘରେ ବ୍ୟକ୍ତିଗତ ଭାବେ ନିଷ୍ପତ୍ତି ନେବାର ସିଷ୍ଟମ ଅଛି। ମୋ ପିତା ତାଙ୍କର ନିଷ୍ପତ୍ତି ନେବେ , ମୁଁ ନିଜର ନିଷ୍ପତ୍ତି ଆପଣଙ୍କୁ କହୁଛି।
ଏବେ ଏହା ମଧ୍ୟ ଦେଖିବାର କଥା ଯେ, ଏବେ ରାଜୁଲ ପାଟିଲଙ୍କ ମାଧ୍ୟମରେ ଉଦ୍ଧବ ଠାକରେ ଓ ସଞ୍ଜୟ ଦିନା ପାଟିଲ ଯୋଗାଯୋଗରେ ରହିବେ କି ନାହିଁ। ଖୁବ୍ ଶୀଘ୍ର ଉଦ୍ଧବ ଠାକରେ ଛଅ ଜଣ ବିଚ୍ଛିନ୍ନ ସାଂସଦଙ୍କ ନିର୍ବାଚନ ମଣ୍ଡଳୀ ଗସ୍ତ କରିବାକୁ ଯାଉଛନ୍ତି। ଏହି ପୃଷ୍ଠଭୂମିରେ ରାଜୁଲ ପାଟିଲଙ୍କ ମାତୋଶ୍ରୀ ଯିବା ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି। ଏହା ପୂର୍ବରୁ ସଞ୍ଜୟ ରାଉତ ମଧ୍ୟ ରାଜ ଠାକରେଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ କଣ ଆଲୋଚନା ହେବ , ଏହି ବିଷୟରେ ଏବେ ସୂଚନା ମିଳି ନାହିଁ। ଏହି ମଧ୍ୟରେ ସୂତ୍ରର ଦାବି ଯେ, ଆଉ ଜଣେ ବିଦ୍ରୋହୀ ସାଂସଦ ଓମରାଜେ ନିମ୍ୱାଲକର ସୋମବାର ମାତୋଶ୍ରୀ ଯାଇ ପାରନ୍ତି। କୁହାଯାଉଛି ଯେ, ଏହି ସମୟରେ ସେ ଉଦ୍ଧବ ଠାକରେଙ୍କ ନିକଟରେ ତାଙ୍କର ମତ ରଖିପାରନ୍ତି।
ଉଲ୍ଲେଖନୀୟ ଯେସ ହ୍ୱିପର ଅଣଦେଖା କରି , ଶିବସେନା (ୟୁବିଟି)ର ନଅଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ଛଅ ଜଣ ଗୁରୁବାର ନୂଆ ଦିଲ୍ଲୀରେ ହୋଇଥିବା ସଂସଦୀୟ ଦଳର ଏକ ପ୍ରମୁଖ ବୈଠକରେ ସାମିଲ ହୋଇ ନଥିଲେ। ବୈଠକରେ ଅନୁପସ୍ଥିତ ଥିବା ସାଂସଦଙ୍କ ମଧ୍ୟରେ ନାଗେଶ ଆଷ୍ଟିକର , ସଞ୍ଜୟ ଜାଧୱ , ସଞ୍ଜୟ ଦେଶମୁଖ , ସଞ୍ଜୟ ଦିନାପାଟିଲ , ଓମପ୍ରକାଶ ରାଜେନିମ୍ୱାଲକର ଓ ମାଉସାହେବ ୱାକଚୌରେ ଆଦି ସାମିଲ ଅଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : Uddhav Thackeray : ଶିବସେନାରେ ବିଦ୍ରୋହ ଓ ବିଭାଜନ ମଧ୍ୟରେ ଉଦ୍ଧବ ଠାକରେଙ୍କ ଭାବପ୍ରବଣତା , ଇସ୍ତଫା ଦେବାକୁ ଦେଲେ ପ୍ରସ୍ତାବ