ନୂଆଦିଲ୍ଲୀ : ଶିବସେନା (UBT)ରେ ବିଭାଜନ ମଧ୍ୟରେ, ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି - ଯଦି ଦଳର ସଦସ୍ୟଙ୍କ ମୋ ଉପରେ ବିଶ୍ୱାସ ଓ ଭରସା ନାହିଁ, ତ ମୁଁ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ। ଦଳର ୬୦ତମ ପ୍ରତିଷ୍ଠା ଦିବସରେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଉଥିଲେ ଉଦ୍ଧବ ଠାକରେ। ସେତେବେଳେ ସେ ସମର୍ଥକ ଏବଂ ଦଳୀୟ କର୍ମୀମାନଙ୍କୁ ଭାବପ୍ରବଣ ହୋଇ ଏହି ମନ୍ତବ୍ୟ ଦେଇ ଥିଲେ। ସେ ଶୁକ୍ରବାର କହିଥିଲେ ଯେ, ଯଦି ଦଳୀୟ କର୍ମୀ ଏବଂ ନେତାମାନେ ଅନୁଭବ କରୁଛନ୍ତି ଯେ, ସେ ଶିବସେନା ମୁଖ୍ୟ ପଦ ପାଇଁ ଉପଯୁକ୍ତ ନୁହଁନ୍ତି, ତେବେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ। ସେ ଆହୁରି କହିଛନ୍ତି, ମୁଁ ଯେକୌଣସି ଦକ୍ଷ ବ୍ୟକ୍ତିଙ୍କୁ ଶିବସେନାର ସଭାପତି କରିବାକୁ ପ୍ରସ୍ତୁତ। ମୁଁ ସଂଘର୍ଷରୁ ପଛକୁ ହଟିବା ଲୋକ ନୁହେଁ, କିନ୍ତୁ ଯେଉଁଦିନ ଆପଣ ଅନୁଭବ କରିବେ ଯେ, ମୁଁ ଏହି ଦାୟିତ୍ୱ ପାଇଁ ଉପଯୁକ୍ତ ନୁହେଁ, ସେହି ଦିନ ମୁଁ ଏହି ପଦ ଛାଡ଼ି ଦେବି।

ଉଦ୍ଧବ ଠାକରେ ଶିବସେନା ସିନ୍ଦେ ଗୋଷ୍ଠୀ, ବିଜେପି ଏବଂ ବିଦ୍ରୋହୀ ସାଂସଦମାନଙ୍କୁ ଟାର୍ଗେଟ୍ କରି କହିଛନ୍ତି, ତୁମେ ଜାଣ ମୁଁ କିପରି। ଯଦି ମୋର ଲୋକ ଆଙ୍ଗୁଠି ଉଠାଇବେ ତ, ମୁଁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ପଦବୀରେ ରହିବି ନାହିଁ। ସେଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ଛାଡ଼ି ଦେଇଛି। ଯଦି ମୁଁ କିଛି ଚାହୁଁଥାନ୍ତି, ତେବେ ମୁଁ ବିଧାନସଭାରେ ବସି ଥାନ୍ତି। ୬୦ ବର୍ଷ ହୋଇ ଗଲାଣି। ମୁଁ ୧୨ ବର୍ଷ ଧରି ନେତୃତ୍ୱ ନେଉଛି। ଯଦି ମୋ ବିରୁଦ୍ଧରେ ଅଭିଯୋଗ ସତ୍ୟ ହୁଏ, ତେବେ ମୋତେ କୁହ, ମୁଁ ଏବେ ଇସ୍ତଫା ଦେବାକୁ ପ୍ରସ୍ତୁତ।

କର୍ମୀମାନଙ୍କୁ ସମ୍ବୋଧିତ କରି ଉଦ୍ଧବ କହିଥିଲେ, ଆପଣ ମାନଙ୍କ ମଧ୍ୟରୁ କେହି ଶିବସୈନିକ ଆସିଲେ, ସେ ଦଳର ମୁଖ୍ୟ ହେବେ। ଏହି ସୁନାର ଶିବସେନା କୌଣସି ଚୋର-ଲୁଟେରାଙ୍କ ହାତରେ ପଡ଼ିବା ଉଚିତ୍ ନୁହେଁ। ଯଦି କୌଣସି ବିଶ୍ୱାସଘାତକ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମୋ ବିରୁଦ୍ଧରେ ଅଭିଯୋଗ ଲଗାଉଛି, ଆପଣମାନଙ୍କୁ ଏହାର ଜବାବ ଦେବାକୁ ପଡିବ। ମୁଁ ପଦ ଛାଡିବାକୁ ପ୍ରସ୍ତୁତ। ମୁଁ ପରାସ୍ତ ହୋଇ ନାହିଁ, ମୁଁ ନିରାଶ ହୋଇନାହିଁ। ଅନେକ ସଙ୍କଟ ଆସିଛି, ଅନେକ ଝଡ଼ ଆସିଛି, କିନ୍ତୁ ମୁଁ ଫେରାର ହୋଇଯିବା ବ୍ୟକ୍ତି ନୁହେଁ। ମୁଁ ପାହାଡ଼ ପରି ଠିଆ ହୋଇ ଦାୟିତ୍ୱ ନେବି। ହେଲେ ମୁଁ ଏହା ସେତେବେଳେ କରିବି, ଯେପର୍ଯ୍ୟନ୍ତ ଆପଣଙ୍କର ମୋ ଉପରେ ବିଶ୍ୱାସ ଅଛି। ଯେତେବେଳେ ଆପଣମାନେ ଇଚ୍ଛା କରିବେ, ମୁଁ ପଦ ଛାଡିଦେବି।

ଦଳରେ ବିଭାଜନ ପାଇଁ କୁହାଯାଉଥିବା କାରଣ ଉପରେ ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଯେତେବେଳେ ଆମେ ୩୦ ବର୍ଷର ମେଣ୍ଟ ପରେ ମଧ୍ୟ ବିଜେପି ସହିତ ଦଳକୁ ମିଶ୍ରଣ କରି ନାହୁଁ, ତ ଆମେ କଂଗ୍ରେସ ସହିତ କିପରି ମିଶ୍ରଣ କରି ପାରିବୁ ? ଦଳର ଛଅ ଜଣ ସାଂସଦଙ୍କ ବିଦ୍ରୋହ ମଧ୍ୟରେ ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ , ଶିବସୈନିକ ନିରାଶ ନୁହଁନ୍ତି, ବରଂ ସେମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ସେ କହିଛନ୍ତି, "କିଛି ଲୋକ ଭାବୁଛନ୍ତି ଯେ ମୁଁ ଭାଙ୍ଗି ଯିବି , କିନ୍ତୁ ଏମିତି ଘଟିବ ନାହିଁ। ସେ କହିଛନ୍ତି ,ସେ କୌଣସି ପରିସ୍ଥିତିରେ ପରାଜୟ ଗ୍ରହଣ କରିବେ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ଶିବସେନା ୟୁବିଟିରେ ପୁଣି ଫାଟ, ବାଲା ସାହେବଙ୍କଠାରୁ ଉଦ୍ଧବଙ୍କ ପର୍ଯ୍ୟନ୍ତ ପ୍ରତି ଦଶବ୍ଦିରେ ଚାଲିଛି ବିଦ୍ରୋହ ଏବଂ ବିଭାଜନ