ନୂଆଦିଲ୍ଲୀ,୨୯/୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଏବେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଲଗାତର ହ୍ରାସ ହେଉଛି । ଟଙ୍କା ମୂଲ୍ୟ ହ୍ରାସ ଚିନ୍ତାଜନକ ହୋଇଛି । ଏହାକୁ ରୋକିବା ତଥା ଟଙ୍କାକୁ ସବଳ କରିବା ଲାଗି ଅଣ୍ଟା ଭିଡିଛି ରିଜର୍ଭ ବ୍ୟାଙ୍କ । ଏହି ପଦକ୍ଷେପ ଅନ୍ତର୍ଗତ ଏବେ ବ୍ୟାଙ୍କ ଗୁଡ଼ିକ ଲାଗି ଏକ ସୀମା ଧାର୍ଯ୍ୟ ହୋଇଛି । ବ୍ୟାଙ୍କ ଦୈନିକ ନିଜ ପାଖରେ ୯୫୦ କୋଟି ଟଙ୍କା ରଖିବା ନେଇ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ବ୍ୟାଙ୍କ । ଏହାପୂର୍ବରୁ ପ୍ରତିଦିନ ୩୦୦ରୁ ୫୦୦ ନିୟୁତ ଡଲାର ୨୮୪୫ରୁ ୪୭୪୩ କୋଟି ଟଙ୍କା ରଖିବା ନେଇ ଅନୁମତି ରହିଥିଲା ।

ଫୋରେକ୍ସ ବିଶେଷଜ୍ଞ କହିଛନ୍ତି, ନିର୍ଦ୍ଦେଶ ପରେ ବ୍ୟାଙ୍କ ଏବେ ସେମାନଙ୍କ ନିକଟରେ ରହିଥିବା ଅତିରିକ୍ତ ଡଲାରକୁ ବଜାରରେ ବିକ୍ରି କରିବେ। ଫଳରେ ଟଙ୍କା ମଜବୁତ ହେବ । ଫଳରେ ବିଦେଶୀ ସାମଗ୍ରୀ କିଣିବା, ବିଦେଶରେ ଶିକ୍ଷା ଏବଂ ଭ୍ରମଣ ଶସ୍ତା ହେବ । ଏହାବାଦ ମୋବାଇଲ, ଲ୍ୟାପ୍ଟପ୍ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ମଧ୍ୟ ଶସ୍ତା ହେବ । ଆର୍‌ବିଆଇ ଏହି ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୪.୫୯ ଡଲାର ସ୍ତରରେ ଥିଲା । ଯାହା ସର୍ବନିମ୍ନ ସ୍ତର ।

ଗତ ୧୦ ଟ୍ରେଡିଙ୍ଗ ସେସନରେ ଟଙ୍କା ୫ ଥର ସର୍ବନିମ୍ନ ସ୍ତରରେ ରହିଛି । ବିଦେଶୀ ନିବେଶକମାନେ ପୁଞ୍ଜି ବଜାରରୁ ଲଗାତର ଅର୍ଥ ପ୍ରତ୍ୟାହାର କରିବା ଯୋଗୁଁ ଟଙ୍କା ପାତାଳ ମୁହାଁ । ଡଲାର ପିଛା ବିନିମୟ ମୂଲ୍ୟ ୯୫ସ୍ତର ନିକଟତର । ବିଦେଶୀ ବ୍ରୋକରେଜ୍ ଫାର୍ମ ୱର୍ଣ୍ଣଷ୍ଟିନ୍ ମୁତାବକ ଯୁଦ୍ଧ ଜାରି ରହିଲେ ଟଙ୍କା ଆହୁରି ଖସିବ । ଏହା ୯୮ ସ୍ତର ଯାଏଁ ଯାଇପାରେ । ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ଉଭୟ ବଜାର ଓ ଅଶୋଧିତ ତେଲ ଉପରେ ମୁଖ୍ୟ ପ୍ରଭାବ ପଡ଼ୁଛି । ୨୦୧୧ -୧୨ ପରଠୁ ଟଙ୍କା ସବୁଠୁ ବଡ଼ ହ୍ରାସ ସାମ୍ନା କରିଛି।