ମୁମ୍ୱାଇ, ୨୪।୪: ଯୋଗାଣ ସମସ୍ୟା ଓ ମହଙ୍ଗା ମାଡ଼ରେ ଥରିବ ଅର୍ଥନୀତି ! ମଧ୍ୟପ୍ରାଚ୍ୟରେ ଅଶାନ୍ତି ଏବଂ ଯୋଗାଣ ଶୃଙ୍ଖଳ ସମସ୍ୟା ଘରୋଇ ଅର୍ଥବ୍ୟବସ୍ଥାରେ ଛିଡ଼ା କରିବ ବଡ଼ ଆହ୍ୱାନ । ଉଚ୍ଚ ଶକ୍ତି ଦର, ଉତ୍ପାଦନ ଖର୍ଚ୍ଚ ଚାପ, ବାଣିଜ୍ୟିକ ପ୍ରବାହରେ ବାଧା ଏବଂ ବିତ୍ତୀୟ ବଜାରରେ ଅସ୍ଥିରତା ନୀତି ନିର୍ଦ୍ଧାରଣକାରୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଚେତାବନି ଦେଇଛି । ଆର୍ବିଆଇ ଏହାର ଏପ୍ରିଲ ବୁଲେଟିନ୍ରେ ପ୍ରକାଶ କରିଛି ଯେ, ମଧ୍ୟପ୍ରାଚ୍ୟରେ ଅଶାନ୍ତି ବିଶ୍ୱ ଯୋଗାଣ ଶୃଙ୍ଖଳକୁ ବଡ଼ ଆକାରରେ ଚାପଗ୍ରସ୍ତ କରିଛି । ଘରୋଇ ବଜାରରେ ଅର୍ଥନୈତିକ ଗତିବିଧି ମନ୍ଥର ହୋଇଯାଇଛି । ଯୁଦ୍ଧ ଯଦି ଅଧିକ ଦିନ ଲାଗିରୁହେ ଏବଂ ଶକ୍ତି ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରରେ କ୍ଷତି ମାତ୍ରା ବୃଦ୍ଧି ପାଏ ତେବେ ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧି ପ୍ରତି ରିସ୍କ ରହିଥିବା ଆର୍ବିଆଇ ପ୍ରକାଶ କରିଛି । ଯଦି ଯୁଦ୍ଧ ଜାରି ରୁହେ ଏବଂ ଯୋଗାଣ ଶୃଙ୍ଖଳରେ ସୁଧାର ଆସିବାରେ ବିଳମ୍ବ ହୁଏ ତେବେ ଘରୋଇ ବଜାରକୁ ଅନେକ ପ୍ରକାର ଆହ୍ୱାନର ସାମ୍ନା କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି । ଯଦିଓ ମୁଦ୍ରାସ୍ଫୀତି ସହ୍ୟ ସୀମା ମଧ୍ୟରେ ରହିଛି, ଯୋଗାଣ ଶୃଙ୍ଖଳଜନିତ ବାଧକ ଏବଂ ପାଣିପାଗଜନିତ ଅନିଶ୍ଚିତତାଗୁଡ଼ିକ ଯୋଗୁ ଅପ୍ସାଇଡ୍ ରିସ୍କ ବୃଦ୍ଧି ପାଇଥିବା ଏହା ପ୍ରକାଶ କରିଛି ।

ଏଭଳି ଝଟ୍କାକୁ ସାମ୍ନା କରି ଦୃଢ଼ତାର ସହ ଛିଡ଼ା ହେବା ପାଇଁ ଭାରତୀୟ ଅର୍ଥନୀତିକୁ ମଜଭୂତ ମାକ୍ରୋ-ଅର୍ଥନୈତିକ ମୂଳଦୂଆଗୁଡ଼ିକ ବଳ ଦେବା ଉଚିତ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପ୍ରକାଶ କରିଛି । ପ୍ରକାଶଯୋଗ୍ୟ, ସାମ୍ପ୍ରତିକ ଅନିଶ୍ଚିତତାଗୁଡ଼ିକ ମଧ୍ୟରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ବିତ୍ତୀୟ ପ୍ରତିଷ୍ଠାନଗୁଡ଼ିକ ଭାରତର ଅଭିବୃଦ୍ଧି ଅନୁମାନକୁ ସଂଶୋଧିତ କରୁଛନ୍ତି । ଭାରତ ପାଇଁ ଏହାର ଅଭିବୃଦ୍ଧି ଅନୁମାନକୁ ଖସାଇଛି ମୁଡିସ୍ । ମୁଡିସ୍ ରେଟିଙ୍ଗସ୍ ପ୍ରକାଶ କରିଛି ଯେ, ୨୦୨୬- ୨୭ ଆର୍ଥିକବର୍ଷରେ ଭାରତର ବିକାଶ ହାର ୬% ରହିବ । ପୂର୍ବ ଅନୁମାନ ଥିଲା ୬.୮% । ଇରାନ ଯୁଦ୍ଧ ଯୋଗୁ ଉଚ୍ଚ ଶକ୍ତି ଦର ଏବଂ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ଦୁର୍ବଳ ଘରୋଇ ଚାହିଦା ଓ ମନ୍ଥର ଶିଳ୍ପ କାର୍ଯ୍ୟକଳାପ ଯୋଗୁଁ ଅନୁମାନକୁ ଖସାଇଛି ମୁଡିସ୍ । ଅନ୍ୟପକ୍ଷରେ, ବିଶ୍ୱ ଅସ୍ଥିରତାଗୁଡ଼ିକ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୬ରେ ୬.୪% ଏବଂ ୨୦୨୭ରେ ୬.୬% ଅଭିବୃଦ୍ଧି ନେଇ ବଢ଼ିବ ବୋଲି ମିଳିତ ଜାତିସଂଘ ଏହାର ରିପୋର୍ଟରେ ଉଲ୍ଲେଖ କରିଛି । ଏସିଆ ପାସିଫିକ୍ କ୍ଷେତ୍ରରେ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ ଭାରତ ରହିବ ବୋଲି ଏହା ପ୍ରକାଶ କରିଛି ।

ଆହୁରି ପଢ଼ନ୍ତୁ... ଇ-ମ୍ୟାଣ୍ଡେଟ୍ ନିୟମରେ ସଂଶୋଧନ: ଏଣିକି ବିଦେଶୀ ପେମେଣ୍ଟରେ ୨୪ ଘଣ୍ଟା ଆଗରୁ ନୋଟିଫିକେସନ