ଭୁବନେଶ୍ୱର,୧୮/୦୭: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ପାଠପଢ଼ା ପରେ କେଉଁ କ୍ଷେତ୍ରରେ କ୍ୟାରିୟର କରିବେ ସେନେଇ ଦିଆଯିବ ମାର୍ଗଦର୍ଶନ । ଏଥିପାଇଁ ମାସର ପ୍ରତି ପ୍ରଥମ ଓ ତୃତୀୟ ଶନିବାର ଦିଆଯିବ କ୍ୟାରିୟର ଗାଇଡାନ୍ସ । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ସ୍କୁଲରେ ହେବ କ୍ୟାରିୟର ୱେବିନାର । ୟୁପିଏସ୍ସି, ଓପିଏସ୍ସି, ହୋଟେଲ ମ୍ୟାନେଜ୍ମେଣ୍ଟ, ପୁଲିସ, ସାମ୍ବାଦିକତା, କୃଷି, ଅକ୍ଷୟ ଶକ୍ତି, ଧନ୍ଦାମୂଳକ, ସ୍ୱାସ୍ଥ୍ୟ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ମାର୍ଗଦର୍ଶନ ଦିଆଯିବ । ଏହି କାର୍ଯ୍ୟକ୍ରମ ଆସନ୍ତା ଜାନୁଆରୀ ୨୦୨୭ ଯାଏ ଚାଲିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।
ଓସେପା ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି, ମୋଟ ୨୧ଟି ୱେବିନାର ହେବ । ଏଥିରୁ ୨୦୨୭ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ୧୩ଟି ୱେବିନାର ହେବ । ବାକି ୧୪ରୁ ୨୧ଟି ବିଷୟରେ ୱେବିନାର ମଧ୍ୟ କରାଯିବ । ଶନିବାର ଏହାର ଶୁଭାରମ୍ଭ ହେବ । ପ୍ରଥମ ଦିନରେ ‘ସେଲ୍ଫ ଡିସ୍କୋଭରି ଆଣ୍ଡ କ୍ୟାରିୟର ପ୍ଲାନିଂ’ ଉପରେ ୱେବିନାର କରାଯିବ । ତେଣୁ ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ମାନେ ନିଜ ସ୍କୁଲରେ ଏହାର ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ସ୍ମାର୍ଟ କ୍ଲାସରୁମ୍ରେ ଛାତ୍ରଛାତ୍ରୀମାନେ ବସି ଏହାକୁ ଶୁଣିବେ ଏବଂ ନିଜର କ୍ୟାରିୟର ପାଇଁ ନିଜର ମାର୍ଗ ବାଝିବେ । ଯେପରି ସମସ୍ତ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦାନ କରିବେ ତାକୁ ସୁନିଶ୍ଚିତ କରାଯିବ । ଏହା ଲାଇଭ୍ ସେସନ୍ କରାଯିବ । ଆଇସିଟି ଲ୍ୟାବ୍, କମ୍ପ୍ୟୁଟର ଅଫ ଲାଇବ୍ରେରୀ, ଅନ୍ୟ ଡିଜିଟାଲ ଡିଭାଇସ୍ରେ ଏହାକୁ ସଂରକ୍ଷିତ ମଧ୍ୟ ରଖାଯିବ । ପରବର୍ତ୍ତୀ ସମୟରେ ପ୍ରଦାନ କରାଯାଇଥିବା ୟୁଟ୍ୟୁବ୍ ଲିଙ୍କ୍ ଓ ଗୁଗୁଲ୍ ଟ୍ରାକର ହ୍ୱାଟସ୍ଆପ୍ ଗ୍ରୁପରେ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମଧ୍ୟ ବିଭାଗ ସଂଗ୍ରହ କରିବ । ପ୍ରତି ଶ୍ରେଣୀରେ ଜଣେ ଲେଖାଏଁ ଛାତ୍ର ଓ ଛାତ୍ରୀ ପିଲାଙ୍କ ପ୍ରତିନିଧିଭାବେ ରହିବେ । ସେମାନେ ପିଲାଙ୍କ ତରଫରୁ କୌଣସି ସମସ୍ୟା କିମ୍ବା କିଛି ଜାଣିବାକୁ ଥିଲେ ସେମାନେ ଜଣାଇ ପାରିବେ ।
ସୂଚନାଯୋଗ୍ୟ, ଶନିବାର ହେବାକୁ ଥିବା ୱେବିନାରରେ ଛାତ୍ରଛାତ୍ରୀଙ୍କ କେଉଁ କ୍ଷେତ୍ର ପାଇଁ ଇଚ୍ଛା ଅଛି, ଭବିଷ୍ୟତ କ୍ୟାରିୟର ପାଇଁ କେଉଁ କ୍ଷେତ୍ରରେ ଭଲ ସ୍କୋପ୍ ରହିଛି, ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ଆଦି ଷ୍ଟ୍ରିମ୍ ସଂପର୍କରେ ସେମାନଙ୍କୁ ଅବଗତ କରାଯିବ । କେଉଁ କ୍ଷେତ୍ରରେ ନାମଲେଖା ତଥା ପାଠପଢ଼ିଲେ ଭଲ ଭବିଷ୍ୟତ ଗଠନ ହୋଇପାରିବ ସେନେଇ ମଧ୍ୟ ଦିଗ୍ଦର୍ଶନ ଦିଆଯିବ । ଅଗଷ୍ଟ ୧ ତାରିଖରେ ହେବାକୁ ଥିବା ‘ପୁଲିସ ଓ ଲ’ ଏନ୍ଫୋର୍ସମେଣ୍ଟ’ ବିଷୟରେ ୱେବିନାର କରାଯିବ । ଏଥିରେ ପୁଲିସ ସର୍ଭିସ, କ୍ରାଇମ୍ ତଦନ୍ତ, ଫୋରେନ୍ସିକ୍, ଟ୍ରାଫିକ୍ ଓ ପବ୍ଲିକ୍ ସେଫ୍ଟି, ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ପରିସ୍ଥିତି, ସ୍ୱତନ୍ତ୍ର ସୁରକ୍ଷା ବାହିନୀ ବିଷୟରେ ଜ୍ଞାନ ଦିଆଯିବ ।
ଅଧିକ ପଢ଼ନ୍ତୁ :- କାଳିଆର ପହଣ୍ଡିରେ ଥିଲେ ଆବଶ୍ୟକତାଠୁ ଅଧିକ ସେବାୟତ, କେଞ୍ଚି ହୋଇଗଲା ବୋଲି କାଢିଦେଲେ ଟାହିଆ, ଚଙ୍କିଲାନି ବୋଲି ବନ୍ଦ କରିଦେଲେ ଘଣ୍ଟ, ମର୍ଦ୍ଦଳ
ସେହିପରି ୨୯ ଅଗଷ୍ଟରେ ସାମ୍ବାଦିକତା ଓ ଗଣଯୋଗାଯୋଗରେ କ୍ୟାରିୟର, ସେପ୍ଟେମ୍ବର ୧୧ରେ ହସ୍ପିଟାଲିଟି ଆଣ୍ଡ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟ, ସେପ୍ଟେମ୍ବର ୧୯ରେ ସୋଲାର ଓ ଅକ୍ଷୟ ଶକ୍ତି, ଅକ୍ଟୋବର ୩ରେ କୃଷି ଓ ଉଦ୍ୟାନ କୃଷି, ଅକ୍ଟୋବର ୩୧ରେ ବ୍ୟାଙ୍କିଙ୍ଗ୍(ଗ୍ରାମାଞ୍ଚଳ) ଓ ଫାଇନାନ୍ସ, ନଭେମ୍ବର ୭ରେ ସ୍ୱାସ୍ଥ୍ୟ ବିଜ୍ଞାନ, ନଭେମ୍ବର ୨୧ରେ ଧନ୍ଦାମୂଳକ(ଇଲେକ୍ଟ୍ରିସିଆନ୍, ପାଣି ପାଇପ୍, ଅଟୋମୋବାଇଲ୍ ଟେକ୍ନିସିଆନ୍, ଇଭି, ଆଇଟିଆଇ) କ୍ଷେତ୍ରରେ ଦିଗଦର୍ଶନ ଦିଆଯିବ । ସେହିପରି ଡିସେମ୍ବର ୫ରେ ସେଫ୍ ଡିଜିଟାଲ୍ ପ୍ରାକ୍ଟିସ୍ ଇନ୍ ସାଇବରୱାଲ୍ଡ, ଡିସେମ୍ବର ୧୯ରେ ପ୍ରଶାସନିକ ସେବା(ୟୁପିଏସ୍ସି, ଓପିଏସ୍ସି), ୨୦୨୭ ଜାନୁଆରୀ ୧୬ରେ ଦଶମ ଓ ଦ୍ୱାଦଶ ପରେ କେଉଁ କ୍ଷେତ୍ରରେ ପାଠପଢ଼ିବେ, କଣ ବିଷୟ ଚୟନ କରିବେ ସେନେଇ ମାର୍ଗଦର୍ଶନ ଦିଆଯିବ । ଜାନୁଆରୀ ୩୦ରେ ରାଜ୍ୟ ସରକାରୀ କ୍ଷେତ୍ରରେ ଥିବା ପ୍ରଶାସନିକ ସେବା, ପୁଲିସ, ଶିକ୍ଷା, ସ୍ୱାସ୍ଥ୍ୟ, ପବ୍ଲିକ୍ ୱାର୍କ ଆଦି ଉପରେ ମାର୍ଗଦର୍ଶନ ଦିଆଯିବ । ଏହାକୁ ବାଦ୍ ଦେଇ ଅନ୍ୟ କ୍ଷେତ୍ରରେ ମଧ୍ୟ କ୍ୟାରିୟର ପାଇଁ ମାର୍ଗଦର୍ଶନ ଦିଆଯିବ ।