ଅନାଦାୟ ଋଣ ନେଇ ଆର୍ବିଆଇର ନୂଆ ସର୍କୁଲାର; ଏଣିକି ୩୦ ଦିନରେ ଖିଲାପୀ ଚିହ୍ନଟ

ନୂଆଦିଲ୍ଲୀ,୮ା୬: ଅନାଦାୟ ଋଣ(ଏନ୍ପିଏ)କୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଶୁକ୍ରବାର ନୂଆ ସର୍କୁଲାର ଜାରି କରିଛି । ଏହି ସଦ୍ୟ ସର୍କୁଲାର ଅନୁସାରେ ଏଣିକି ୩୦ ଦିନ ମଧ୍ୟରେ ଋଣ ଖିଲାପୀ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁରୁଣା ସର୍କୁଲାର ଅନୁସାରେ ଋଣ ପରିଶୋଧରେ ଦିନେ ଖିଲାପ କରୁଥିବା ସଂସ୍ଥାଙ୍କୁ ବ୍ୟାଙ୍କଗୁଡ଼ିକ ଖିଲାପୀ ବୋଲି ଚିହ୍ନଟ କରି ପ୍ରତିକାର ଯୋଜନା (ରିଜଲ୍ୟୁସନ୍ ପ୍ଲାନ୍) ପ୍ରସ୍ତୁତ କରୁଥିଲେ । ୨୦୧୮ ଫେବ୍ରୁଆରୀ ୧୨ରେ ଜାରି କରାଯାଇଥିବା ଏହି ପୁରୁଣା ସର୍କୁଲାରକୁ ସୁପ୍ରିମ୍କୋର୍ଟ ଚଳିତବର୍ଷ ଏପ୍ରିଲ ୨ରେ ଅବୈଧାନିକ ଦର୍ଶାଇ ରଦ୍ଦ କରିଥିଲେ ।
ନୂଆ ସର୍କୁଲାର ଅନୁସାରେ ଋଣ ଫଇସଲା ଯୋଜନା (ରିଜଲ୍ୟୁସନ୍ ପ୍ଲାନ୍) ପାଇଁ ୭୫% ଋଣ ପ୍ରଦାନକାରୀଙ୍କ ମଞ୍ଜୁରି ଆବଶ୍ୟକ ହେବ । ପୂର୍ବରୁ ଏଥିପାଇଁ ସବୁ ଋଣ ପ୍ରଦାନକାରୀଙ୍କ ସ୍ୱୀକୃତି ନେବାକୁ ପଡୁଥିଲା । ଋଣ ପ୍ରଦାନକାରୀଙ୍କ ନିକଟରେ ପ୍ରତିକାର ଯୋଜନାର ଡିଜାଇନ ଏବଂ ଏହାକୁ କାର୍ଯ୍ୟକାରୀ କରିବାର ସମ୍ପୂର୍ଣ୍ଣ ଅଧିକାର ରହିବ । କିନ୍ତୁ ବୋର୍ଡ ପକ୍ଷରୁ ମଞ୍ଜୁରି ପାଇଥିବା ନୀତି ଆଧାରରେ ହିଁ ଋଣ ପ୍ରଦାନକାରୀମାନେ ଫଇସଲା ଯୋଜନା ପ୍ରସ୍ତୁତ କରିବେ । ସମସ୍ତ ଋଣ ପ୍ରଦାନକାରୀ ଇଣ୍ଟର-କ୍ରେଡିଟର ଏଗ୍ରିମେଣ୍ଟ(ଆଇସିଏ)ରେ ସ୍ୱାକ୍ଷର କରିବାକୁ ବାଧ୍ୟ । ଋଣ ପ୍ରଦାନକାରୀମାନେ ୧୮୦ ଦିନ ମଧ୍ୟରେ ୨୦୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ଏନ୍ପିଏ ଖାତାଗୁଡିକର ଦଫାରଫା କରିବାକୁ ବାଧ୍ୟ ।
ଏହି ୧୮୦ ଦିନ ଅବଧିରେ ପ୍ରତିକାର ଯୋଜନା ଯଦି ଲାଗୁ ନ ହୁଏ, ଆର୍ବିଆଇ ବ୍ୟାଙ୍କଗୁଡିକଠାରୁ ଅତିରିକ୍ତ ୨୦% ଆର୍ଥିକ ବ୍ୟବସ୍ଥା (ପ୍ରୋଭିଜନିଂ) ପାଇଁ କହିବ । ୩୬୫ ଦିନ ମଧ୍ୟରେ ଏହାକୁ ଲାଗୁ କରା ନ ଗଲେ ୩୫% ଅଧିକ ପ୍ରୋଭିଜନିଂ ଦେବାକୁ ହେବ । ୨୦୧୮ ଫେବ୍ରୁଆରୀ ୧୨ରେ ଆର୍ବିଆଇ ଯେଉଁ ସର୍କୁଲାର ଜାରି କରିଥିଲା ସେଥିରେ ୨୦୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଏନ୍ପିଏ ମାମଲାର ଚିହ୍ନଟ ଏବଂ ଏହାର ଫଇସଲାକୁ ନେଇ ବ୍ୟବସ୍ଥା ରହିଥିଲା । ୧୮୦ ଦିନ ମଧ୍ୟରେ ଏଭଳି ମାମଲାର ସମାଧାନ ନ କରିପାରିଲେ ବ୍ୟାଙ୍କଗୁଡିକ ଏହାକୁ ଦେବାଳିଆ ପ୍ରକ୍ରିୟାକୁ ପଠାଉଥିଲେ ।
ଏହି ପୁରୁଣା ସର୍କୁଲାର ଯୋଗୁ ଆର୍ବିଆଇର ତତ୍କାଳୀନ ଗଭର୍ଣ୍ଣର ଉର୍ଜିତ ପଟେଲ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲା । ପଟେଲ ଗତବର୍ଷ ଡିସେମ୍ବରରେ ଆର୍ବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ ।