ନୂଆଦିଲ୍ଲୀ,୨୧।୫: ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଟଙ୍କା ପକାଇବାର ଗତି ଧିମା କରିପାରେ। ଗତ ୬ ମାସରେ ଆରବିଆଇ ପ୍ରାୟ ୮.୫୭ ଲକ୍ଷ କୋଟି (ପ୍ରାୟ ୧୦୦ ବିଲିୟନ ଡଲାର) ଟଙ୍କା ଲିକ୍ବିଡିଟି ସିଷ୍ଟମରେ ପକାଇଛି। ଏବେ ଏକ୍ସପର୍ଟଙ୍କ ମତରେ ସରକାରଙ୍କୁ ମିଳୁଥିବା ଦୁଇଟି ବଡ଼ ସରପ୍ଲସ୍ ଟ୍ରାନ୍ସଫର ପରେ ଆରବିଆଇ ପକ୍ଷରୁ ନଗଦ ପକାଇବାର ଦରକାର ପଡିବନି।
ଆରବିଆଇ ଏହି ସୋମବାର ନିଜର ଶେଷ ଧାର୍ଯ୍ୟ ଓପନ ମାର୍କେଟ ବଣ୍ଡ କିଣିବା କାର୍ଯ୍ୟକ୍ରମ (ଓଏମ୍ଓ) ପୁରା କରିଛି। ଏହାପରେ କୌଣସି ନୂଆ ଓଏମ୍ଓ ଘୋଷଣା କରାଯାଇ ନାହିଁ। ବିଶେଷଜ୍ଞଙ୍କ ମତରେ ସରକାରଙ୍କୁ ମିଳୁଥିବା ଡିବିଡେଡ୍ ଓ ପରେ ସେହି ଟଙ୍କାରେ ହେଉଥିବା ଖର୍ଚ୍ଚ ନିଜେ ହିଁ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ନଗଦ ଆଣିଦେବ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଆରବିଆଇ ଏଥର ସରକାରଙ୍କୁ ୨.୫ଲକ୍ଷ କୋଟିରୁ ୩ ଲକ୍ଷ କୋଟି ପର୍ଯ୍ୟନ୍ତ ସରପ୍ଲସ୍ ଟ୍ରାନ୍ସଫର କରିପାରେ। ସେଭଳି Citi ବିଶେଷଜ୍ଞଙ୍କ ଅନୁମାନ ଯେ,ଏହି ଅର୍ଥ ୩.୫ ଲକ୍ଷ କୋଟିରୁ ୪ ଲକ୍ଷ କୋଟି ପର୍ଯ୍ୟନ୍ତ ହୋଇପାରେ। ଏହି ସରପ୍ଲସ୍ ଟ୍ରାନ୍ସଫର ଚଳିତ ମାସ ଶେଷ ପୂର୍ବରୁ ଘୋଷିତ ହେବାର ସମ୍ଭାବନା ରହିଛି। ଏହାଦ୍ବାରା ସିଷ୍ଟମରେ ଲିକ୍ବିଡିଟି ବୃଦ୍ଧି ପାଇବ। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। କାରଣ ଆରବିଆଇ ବର୍ତ୍ତମାନ ଲିକ୍ବିଡିଟି ବୃଦ୍ଧି କରିବନି। ସରକାରଙ୍କୁ ଅଧିକ ସରପ୍ଲସ୍ ମିଳିବା ଦ୍ବାରା ବଜେଟ୍ ଖର୍ଚ୍ଚ ବଢିଯିବ, ଯାହାଫଳରେ ଇନଫ୍ରାଷ୍ଟ୍ରକଚର ଓ ସାମାଜିକ ଯୋଜନାକୁ ବଳ ମିଳିପାରିବ। ନିବେଶକଙ୍କୁ ଏବେ ସୁଧ ହାର ଓ ବଣ୍ଡ ୟିଲ୍ଡରେ ସ୍ଥିରତା ଦେଖିବାକୁ ମିଳିପାରେ।