ନୂଆଦିଲ୍ଲୀ /ଫରିଦାବାଦ :ଗତ ୧୦ ନଭେମ୍ୱରରେ ଲାଲ୍ କିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣରେ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ଆତଙ୍କୀଙ୍କ ‘ବୋମା ତିଆରି ମେସିନ’ ଜବତ କରାଯାଇଛି। ବିସ୍ଫୋରଣର ସହ ଅଭିଯୁକ୍ତ ଡାକ୍ତର ମୁଜମ୍ମିଲ ବ୍ୟବହୃତ ବିସ୍ଫୋରକ ଗୁଡ଼ିକୁ ପ୍ରସ୍ତୁତ କରୁଥିଲା। ଫରିଦାବାଦରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ କିଛି ମେସିନ ଜବତ କରାଯାଇଛି।

ସୂତ୍ର ମୁତାବିକ , ମୁଜମ୍ମିଲ ଶକିଲ ଗନଇ ବିସ୍ଫୋରକ ଗୁଡ଼ିକ ପାଇଁ କେମିକାଲ ପ୍ରସ୍ତୁତ କରିବାରେ ଏକ ଅଟା ଚକିର ବ୍ୟବହାର କରୁଥିଲା। ଅଟା ଚକି , ଗ୍ରାଇଣ୍ଡର ଓ କିଛି ଇଲେକ୍ଟ୍ରୋନିକ୍ ମେସିନ୍ର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ,ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ଏହି ସବୁ ଜିନିଷ ମିଳିଛି।

ଜମ୍ମୁ-କାଶ୍ମୀରର ପୁଲୱାମାରେ ରହୁଥିବା ଗଇକୁ ଲାଲ୍ କିଲ୍ଲା ବିସ୍ଫୋରଣର ଠିକ୍ ପୂର୍ବରୁ ଗିରଫ କରାଯାଇ ଥିଲା। ସେ ଏହି ମେସିନର ବ୍ୟବହାର ନିଜର ଭଡ଼ା ଘରେ କରୁଥିଲା, ଯେଉଁଠାରୁ ପୁଲିସ ୯ ନଭେମ୍ୱରରେ ୩୬୦ କିଲୋ ଆମୋନିୟମ ନାଇଟ୍ରେଟ୍ ଓ ଅନ୍ୟ ବିସ୍ଫୋରକ ଗୁଡ଼ିକୁ ଜବତ କରି ଥିଲା।

ଯାଞ୍ଚ ସହ ଜଡ଼ିତ ସୂତ୍ର ମୁତାବିକ , ମୁଜମ୍ମିଲ ଅଟା ଚକିର ବ୍ୟବହାର ୟୁରିଆ ପେଶିବା ଏବଂ କେମିକାଲ ପ୍ରସ୍ତୁତ କରିବା ପାଇଁ କରୁଥିଲା। ଫରିଦାବାଦର ଅଲ ଫଲାହ ୟୁନିଭର୍ସିଟିରେ ଡାକ୍ତର ଥିବା ଗନଇ ପଚରାପଚରିରେ କହିଛି ଯେ, ସେ ଦୀର୍ଘ ଦିନରୁ ବିସ୍ଫୋରକ ପ୍ରସ୍ତୁତ କରିବାରେ ଏହି ମେସିନର ବ୍ୟବହାର କରୁଥିଲା।

ଅନ୍ୟପଟେ, ଏନଆଇଏର ଟିମ୍ ଟ୍ୟାକ୍ସି ଡ୍ରାଇଭରକୁ ପଚରାପଚରି ପାଇଁ ହେପାଜତକୁ ନେଇଛି। ଡ୍ରାଇଭର କହିଛନ୍ତି ଯେ, ଗନଇ ସହ ତାଙ୍କର ସାକ୍ଷାତ୍ ପ୍ରଥମ ଥର ସେତେବେଳେ ହୋଇଥିଲା ଯେବେ ସେ ଚାରି ବର୍ଷ ପୂର୍ବେ ନିଜର ପୁଅକୁ ଚିକିତ୍ସା କରିବା ପାଇଁ ଅଲ୍-ଫଲାହ ମେଡିକାଲ କଲେଜ୍ ନେଇ ଯାଇଥିଲେ। ଏନଆଇଏ ଏହି କଥାର ଯାଞ୍ଚ କରୁଛି ଯେ ଟ୍ୟାକ୍ସି ଡ୍ରାଇଭର କିଭଳି ଭାବେ ଗନଇ ସହ ସଂପର୍କରେ ଥିଲେ ଏବଂ ମେସିନ କିପରି ତାଙ୍କ ଘରେ ପହଞ୍ଚିଲା।