ମାଲକାନଗିରି, ୧୦/୧୨ : ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷତିଗସ୍ତଙ୍କୁ ଥଇଥାନ, ବନ୍ୟାକ୍ଷତି ଗସ୍ତଙ୍କୁ ସହାୟତା ପ୍ରଦାନ, ତୁରନ୍ତ ଧାନ ମଣ୍ଡି ଖୋଲିବା ସହିତ ଅନ୍ୟାନ ଦାବି ନେଇ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି ମାନସ ମାଡକାମିଙ୍କ ଅଧ୍ୟକ୍ଷତାରେ ବିଜେଡି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଡକାମି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟଙ୍କୁ ମାଲକାନଗିରି ଜିଲ୍ଲାବାସୀଙ୍କ ତରଫରୁ ସ୍ବାଗତ ଓ ଅଭିନନ୍ଦନ ଜଣାଇବା ସହ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ହୋଇ ଥିବାରୁ ଓ ଗତ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ମାଲକାନଗିରି ବନ୍ୟା କ୍ଷୟକ୍ଷତି ହେବା ସହ ବହୁ ଘର ଦ୍ବାର ନଷ୍ଟ ଓ ଜମିରେ ଫସଲ ନଷ୍ଟ ସହ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ସମୟରେ ମାଲକାନଗିରି ଜିଲ୍ଲାର ବନ୍ୟା ଅଞ୍ଚଳ ହେଲିକପ୍ଟଟରରେ ବୁଲି ସମୀକ୍ଷା କରିଥିଲେ।
ତାଙ୍କ ସାଙ୍ଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂହଙ୍କ ସହ ଆସି ତିଆର୍ଡିଏ ବୈଠକ ଗୃହଠାରେ ସମୀକ୍ଷାରେ ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସାତ ଦିନ ମଧ୍ୟରେ ତଦନ୍ତ କରି ବନ୍ୟା ଅଞ୍ଚଳର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ମିଳିବା ସଙ୍ଗେ ସଙ୍ଗେ ସମସ୍ତ ହିତାଧୀକାରୀଙ୍କୁ ସମସ୍ତ ସାହାଯ୍ୟ ରାଶି ତୁରନ୍ତ ପହଞ୍ଚିବା ପ୍ରତିଶ୍ରୁତି ଦେଇ ଯାଇଥିଲେ । ଏହା ପୂର୍ବରୁ ମଧ୍ୟ ରାଜ୍ୟର ଉଚ୍ଚସ୍ତରୀୟ କମିଟି ରାଜ୍ୟର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠିଙ୍କ ନେତୃତ୍ବରେ ଆସି ବନ୍ୟାର ସ୍ଥିତି ସମୀକ୍ଷା କରିଥିଲେ ।
ଏଥିରେ ମାଲକାନଗିରି ଜିଲ୍ଲାବାସୀ ଓ ମୁଁ ମଧ୍ୟ ଅତ୍ୟନ୍ତ ଖୁସି ଓ ଉତ୍ସାହିତ ହୋଇ ଯାଇଥିଲେ । ଯାହା କି ମୁଖ୍ୟମନ୍ତ୍ରୀ ନିଜେ ଆସିଛନ୍ତି ଜିଲ୍ଲାବାସୀଙ୍କ ସବୁ ଦୁଃଖ ଲାଘବ ହେବ, କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ଚାରି ମାସରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇଥିଲେ ସୁଦ୍ଧା କୌଣସି ଅନୁଦାନ ଗରିବ ଲୋକଙ୍କୁ ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଅସହାୟଙ୍କ ପାଖରେ ଟଙ୍କାଟିଏ ପହଞ୍ଚିପାରିନାହିଁ । ଏହାହିଁ ବିଡମ୍ବନାର ବିଷୟ ।
ଆମ ପ୍ରିୟ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆମର ଏକ କମିଟି ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକର ଚେୟାରମ୍ୟାନ ସହ ବହୁ ବରିଷ୍ଠ ଜିଲ୍ଲା ଓ ବ୍ଲକର କର୍ମକର୍ତ୍ତା କ୍ଷତିଗ୍ରସ୍ଥ ଗାଁକୁ ବୁଲି କିଛି ଶୁଖିଲା ଖାଦ୍ୟ ବଣ୍ଟନ କଲା ସମୟରେ ଆଶା ଥିଲା ଖୁବଶୀଘ୍ର ରାଜ୍ୟର ସାହାଯ୍ୟ ମିଳିବ କିନ୍ତୁ ଆଶା ଆଶାରେ ହିଁ ରହିଗଲା ।
ପୋଲାଭରମ୍ ପ୍ରକଳ୍ପକୁ ୨୦୧୪ ମସିହାରେ କେନ୍ଦ୍ରର ବିଜେପି ସରକାର ଜାତୀୟ ପ୍ରକଳ୍ପ ଭାବେ ମାନ୍ୟତା ଦେଇ ଅଧିକ ଅନୁଦାନ ଦେଇଥିଲେ, ଯାହାକି ଓଡିଶାର ରାଜ୍ୟବାସୀଙ୍କୁ ଘୋର ଅବହେଳା । ସେତେବେଳେ ଓଡିଶା ରାଜ୍ୟରେ ସରକାର ବିଜୁ ଜନତା ଦଳ ଥିଲା କିନ୍ତୁ ବର୍ତ୍ତମାନ ତ ଡବଲ ଇଞ୍ଜିନ ସରକାରୀ ଓ ଆନ୍ଧ୍ରପ୍ରଦେଶର ଭାଗୁଆଳି ସରକାର ଅଛି, ଏବେ ତ ଓଡିଶାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ପୋଲାଭରମ ବନ୍ଦ କର । ପୋଲାଭରମ ପ୍ରକଳ୍ପ ହେଲେ କେତେ ଆଦିମ ଜନଜାତି ଆଦିବାସୀ ତାଙ୍କ ଭିଟାମାଟି ଓ ଜଙ୍ଗଲ ଜମି ହରାଇବା ସହ କେତେ ରାଜସ୍ବ ଜମି ଓ ଗ୍ରାମ ହରାଇବେ ଏହାର ଆକଳନ କଲେ ଏହି ପ୍ରକଳ୍ପ ଦ୍ବାରା ଓଡିଶାକୁ ଟଙ୍କାକର ଲାଭ ହେବନି, ହେଲେ କାହା ସ୍ବାର୍ଥରେ କରାଯାଇଛି ।
ସେହିଭଳି ରାଜ୍ୟ ସରକାର ନିର୍ବାଚନ ସମୟରେ ଧାନକୁ ୩୧୦୦ ଟଙ୍କାରେ କିଣିବା ପାଇଁ ଘୋଷଣା କରିଥିଲେ, ଯାହାକି ଓଡିଶା ସରକାର ଧାର୍ଯ୍ୟ ମୂଲ୍ୟ ପରେ ୮୦୦ ଟଙ୍କା ବୋନସ ଦେବେ, ଆଉ ସମସ୍ତ ଜିଲ୍ଲାରେ ଧାନ ମଣ୍ଡି ମାଧ୍ୟମରେ ଲୋକଙ୍କ ସମସ୍ତ ଧାନ କିଣାଯିବ କିନ୍ତୁ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମଣ୍ଡି ଖୋଲା ଯାଇନାହିଁ । ଦଶହରା ପୂର୍ବରୁ ଚାଷୀ ଧାନ ମଳି ବିକିବା ପାଇଁ ବସ୍ତାରେ ଭର୍ତ୍ତି କରି ଅପେକ୍ଷାରେ ରହିଛନ୍ତି । ଏପଟେ ପ୍ରଶାସନ ମଣ୍ଡି ଆରମ୍ଭ କରିନାହିଁ, ଲୋକମାନେ ବାଧ୍ୟ ହୋଇ କଳାବେପାରୀଙ୍କୁ ମୂଳ ଧାର୍ଯ୍ୟ ମୂଲ୍ୟ ଠାରୁ ଢେର କମ୍ ଦରରେ ବିକୁଛନ୍ତି । ହେଲେ ଚାଷୀ ପାଇଲେ କ’ଣ ? ବୋନସ କାହା ସ୍ବାର୍ଥ ପାଇଁ ? ସରକାର ପ୍ରଚାର ପ୍ରସାରରେ ସୀମିତ ନ ରହି ଲୋକଙ୍କ ପାଖରେ ପହଞ୍ଚିବା ଦରକାର ।
ମାନ୍ୟବର ମୁଖ୍ୟମନ୍ତ୍ରୀ କହିବେକି ଗରିବ ଚାଷୀ ଧାନ ଅମଳ ପରେ ବୋନସ ଟଙ୍କା ପାଇବା ପାଇଁ ଧାନ ନ ବିକ୍ରି କରି କେତେ ଦିନ ଜଗିପାରିବ, ଜଗିବା ପାଇଁ ନା କମ୍ବଳ ଅଛି ନା ବର୍ଷା ପବନ, ମୁଷା ଓ ଚୋରିଭଳି ବିଭିନ୍ନ ଦାଉରୁ ବଞ୍ଚାଇବା ପାଇଁ ସାଧନ ଓ ବ୍ୟବସ୍ଥା ନାହିଁ ହେଲେ ସରକାର କାହା ସ୍ବାର୍ଥରେ କାମ କରୁଅଛି? ଏହି ସବୁ ବିଷୟକୁ ଗୁରୁତର ଭାବେ ଜିଲ୍ଲାର ଗରିବ ଚାଷୀ ଓ ଆଦିବାସୀମାନଙ୍କ ଜୀବନ ଜୀବିକାକୁ ଦୃଢ଼ କରିବା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦଳ ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷା ସମାରୀ ତାଙ୍ଗୁଲୁ, ବିଜେଡି ନେତା ଗୋପାଳ ପଣ୍ଡା ପ୍ରମୁଖ ବିଜେଡି ନେତା ଉପସ୍ଥିତ ଥିଲେ।