ହାଟଡିହି ୧୪/୧୧ : ଶାଳଣିଆଁ ନିକଟରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡାଇ ନେଲେ ସମ୍ପର୍କୀୟ। ଏକ ଠକେଇ ମାମଲାରେ କେନ୍ଦ୍ରାପଡା ସଦର ଥାନା ପୁଲିସ ଶାଳଣିଆଁର ଯୋଗେନ୍ଦ୍ର ବେହେରାଙ୍କୁ ଉଠାଇ ନେଉଥିବା ବେଳେ ଘଟିଛି ଏହି ଘଟଣା। ୧୦ ରୁ ୧୨ ଜଣ ଯୁବକ ସଂଘ ବଦ୍ଧ ଭାବେ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡାଇ ନେଲେ। ୨ ଜଣ ପୁଲିସ ଆହତ ହୋଇଥିବା ସୂଚନା। ନନ୍ଦିପଦା ପୁଲିସ ପକ୍ଷରୁ ଗତକାଲି ରାତି ଠାରୁ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ବସପୁର ଲୁଣା ନଦୀ ବାଲି ଘାଟ, ଡେରାବିଶକୁ ଲିଜ ଧାରୀ ଯୋଗେନ୍ଦ୍ର ବେହେରା ଲିଜ ନେଇଥିଲେ । ବାଲି ଘାଟ ଚଳାଇବା ପାଇଁ ନିକିରାଇ ଥାନା ଇଟିପୁର ଗ୍ରାମର ମାଧବ ଚନ୍ଦ୍ର ପ୍ରଧାନଙ୍କ ନାମରେ ଚୁକ୍ତି କରି ତାଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ଲକ୍ଷ ଟଙ୍କା ଆଣିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କ ନାମରେ ଚୁକ୍ତି ପତ୍ର କରିଦେଇ ଥିଲେ। ଯାହାକୁ ନେଇ ବିବାଦ ଦେଖାଦେବା ସହିତ ମାଧବ ଚନ୍ଦ୍ର ପ୍ରଧାନ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଥିଲେ। ଯୋଗେନ୍ଦ୍ର ଓ ଜଳସରପୁର ଗ୍ରାମର ବରଦା ପ୍ରସନ୍ନ ନାୟକ ତାଙ୍କ ଠାରୁ ମୋଟ ୪୫,୫୪,୯୫୯ ଟଙ୍କା ଠକିନେଇଥିବା ଅଭିଯୋଗ କରିବା ପରେ କେନ୍ଦ୍ରାପଡା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା। ଗୁରୁବାର କେନ୍ଦ୍ରାପଡା ସଦର ଥାନା ପୁଲିସ ନନ୍ଦିପଦା ପୋଲିସ ସହାୟତାରେ ଯୋଗେନ୍ଦ୍ରଙ୍କୁ ଉଠାଇ ଆଣିଥିଲା। ରାତି ୮ଟା ବେଳେ କେନ୍ଦ୍ରାପଡା ପୁଲିସ ଅଭିଯୁକ୍ତ ଯୋଗେନ୍ଦ୍ରକୁ ଧରି ଆଉ ଜଣେ ଅଭିଯୁକ୍ତଙ୍କୁ ଆଣିବାକୁ ଯାଉଥିବା ବେଳେ ଯୋଗେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମର୍ଥକ ମାନେ ପୁଲିସକୁ ଆକ୍ରମଣ କରି ଯୋଗେନ୍ଦ୍ରଙ୍କୁ ଛଡାଇ ନେଇଛନ୍ତି।