ଝାରସୁଗୁଡ଼ା,୨୧/୦୩ (ମେହବୁବ ମାହତାବ): ହସୁଛି ଅନ୍ଧାରୀ ଜଙ୍ଗଲ । ଧର୍ମୀୟ ଆସ୍ଥା, ବିଶ୍ୱାସ, ପରିବେଶ ସଂରକ୍ଷଣ ନିମନ୍ତେ ପ୍ରତିବଦ୍ଧତା ଏବଂ ଗୋଷ୍ଠୀ ସହଭାଗିତାରେ ପୂରି ଉଠିଛି ପ୍ରକୃତିର ସବୁଜ କୋଳ । ୧୫ ଖଣ୍ଡ ଗାଁର ଲୋକଙ୍କ ଦୀର୍ଘ ତିନିଦଶନ୍ଧିର ପରିଶ୍ରମର ଫଳ ସାକାର ହୋଇଛି । ବନ୍ୟଜନ୍ତୁଙ୍କ ଉଜୁଡ଼ା ପ୍ରାକୃତିକ ଆବାସ ସଂରକ୍ଷଣ ହୋଇଛି । ଘରକୁ ବାହୁଡ଼ିଛନ୍ତି ବିଲୁପ୍ତପ୍ରାୟ ପ୍ରାଣୀ । ମା’ ଅନ୍ଧାରୀ ଦେବୀଙ୍କ ଉପାସନା ସହ ଜଙ୍ଗଲ ସଂରକ୍ଷଣକୁ ଯୋଡ଼ି ଦିବଂଗତ ଇଂ. ସୁବ୍ରତ କୁମାର ନାଏକ ଏବଂ ତାଙ୍କ ବାପା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସ୍ୱର୍ଗତ ଡ. ଧ୍ରୁବରାଜ ନାଏକ କରିଥିବା ପ୍ରୟାସକୁ ଝୁରି ହେଉଛନ୍ତି ଅଞ୍ଚଳବାସୀ ।
ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଏବଂ କିର୍ମିରା ବ୍ଲକକୁ ବ୍ୟାପିଛି ଅନ୍ଧାରୀ ଜଙ୍ଗଲ । ଅନ୍ଧାରୀ ପର୍ବତକୁ ଲାଗି ରହିଥିବା ୭ଟି ଡୁଙ୍ଗୁରୀ ଏବଂ ଜଙ୍ଗଲ ଅଞ୍ଚଳରେ ଗଢ଼ି ଉଠିଥିବା ୧୫ ଖଣ୍ଡ ଗାଁର ଲୋକେ ପ୍ରାୟ ୨୫ ବର୍ଗ କିମି ପରିମିତ ଜଙ୍ଗଲ ସଂରକ୍ଷଣ ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି । ଅଶୀ ଦଶକରେ ସଂରକ୍ଷଣ ଅଭାବରୁ ଜଙ୍ଗଲ ଉଜୁଡ଼ି ଯାଇଥିଲା । ୧୯୯୦ ବେଳକୁ ସରକାରୀ ପ୍ରୋତ୍ସାହନରେ ସମ୍ପୃକ୍ତ ଗାଁରେ ଗଠିତ ହୋଇଥିଲା ବନ ସୁରକ୍ଷା ସମିତି । ମାତ୍ର ସଚେତନତା ଅଭାବରୁ ଏହା ପ୍ରଭାବୀ ହୋଇ ନ ଥିଲା । ଏହି ସମୟରେ କୁଅଁରମାଲ ଗ୍ରାମର ଉଚ୍ଚ ଶିକ୍ଷିତଯୁବକ ଇଂ. ସୁବ୍ରତ ନାଏକ ସାଜିଥିଲେ ଦେବଦୂତ । ତାଙ୍କ ନେତୃତ୍ୱରେ ୧୯୯୪ରେ ଗଠିତ ହୋଇଥିଲା ‘ମା’ ଅନ୍ଧାରୀ ବନ ସୁରକ୍ଷା ସମିତି ମହାସଂଘ' ।
ସଂଘର ସଦସ୍ୟମାନେ ଗାଁ ଗାଁରେ ସଭାସମିତି ଆୟୋଜନ କଲେ । ପାହାଡ଼ ଶୀର୍ଷ ଚଉନାବନ୍ଧରେ ପୂଜିତ ଅଧିଷ୍ଠାତ୍ରୀ ଦେବୀ ମା’ଅଷ୍ଟଭୂଜା ବନଦୁର୍ଗାଙ୍କ ପ୍ରତି ଆସ୍ଥା ସୃଷ୍ଟି କରି ଲୋକଙ୍କ ମାନସିକତାରେ ବିରାଟ ପରିବର୍ତ୍ତନ ଆଣିଲେ । ସେହିବର୍ଷ ସୁବ୍ରତ ଏବଂ ଅଞ୍ଚଳବାସୀଙ୍କ ମିଳିତ ପ୍ରୟାସରେ ଆରମ୍ଭ ହୋଇଥିଲା ମା’ ଅନ୍ଧାରୀ ବନଦୁର୍ଗାଙ୍କ ପୂଜା ଓ ଯାତ୍ରା । ସେବେଠାରୁ ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳପକ୍ଷ ଅଷ୍ଟମୀରେ ମା’ଙ୍କ ପୂଜାର୍ଚ୍ଚନା ହେଉଛି । ଅଞ୍ଚଳବାସୀ କଷ୍ଟ ସ୍ୱୀକାର କରି ପାହାଡ଼ ଚଢ଼ି ଏଥିରେ ସାମିଲ ହେଉଛନ୍ତି । ଜଙ୍ଗଲକୁ ସୁରକ୍ଷା ଦେବାର ସଂକଳ୍ପ ଦୋହରାଉଛନ୍ତି । ଯାତ୍ରା ସମୟରେ ଛାତ୍ରଛାତ୍ରୀ, ଉତ୍ସାହୀ ଯୁବକ, ସ୍ୱେଚ୍ଛାସେବୀଙ୍କୁ ନେଇ ବନ ବିଭାଗ ସମନ୍ୱୟରେ ସାଇକେଲ ଯାତ୍ରା ଆୟୋଜିତ ହେଉଛି । ଅଁଳା ନବମୀରେ ବିଗ୍ରହ ପାକେଲଖୋଲ କୁଅଁରମାଲ ହାଟଦାଣ୍ଡରେ ଥିବା ପୂଜା ମଣ୍ଡପକୁ ଅଣାଯାଇ ମେଳା ଅନୁଷ୍ଠିତ ହେଉଛି ।
ଆହୁରି ପଢନ୍ତୁ -ଅନ୍ତର୍ଜାତୀୟ ଜଙ୍ଗଲ ଦିବସ;କଳାହାଣ୍ଡି ଜଙ୍ଗଲ ସମ୍ପଦକୁ ବନାଗ୍ନି ବିପଦ,ଲୋପ ପାଉଛି ଜୈବ ବିବିଧତା
ଅନ୍ଧାରୀ ସଂରକ୍ଷିତ ଜଙ୍ଗଲ ସହ ୧୫ ଗାଁର ହଜାର ହଜାର ଲୋକଙ୍କ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଛି । ସେମାନେ ବନ୍ୟପ୍ରାଣୀ, ବୃକ୍ଷରାଜି ସୁରକ୍ଷାକୁ ନୈତିକ ଦାୟିତ୍ୱ ବୋଲି ମାନି ନେଇଛନ୍ତି । ଏକ ଦୁଃଖଦ ଘଟଣାକ୍ରମେ ୨୦୦୮ରେ ସଡ଼କ ଦୁର୍ଘଟଣାରେ ସୁବ୍ରତଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ସେ ଲୋକଙ୍କ ମଧ୍ୟରେ ଜଙ୍ଗଲ ପ୍ରତି ଯେଉଁ ଭାବଗତ ସମ୍ପର୍କ ସୃଷ୍ଟି କରିଥିଲେ³ ତାହା ମଳିନ ପଡ଼ି ନ ଥିଲା । ପରବର୍ତ୍ତୀ ସମୟରେ ପିତା ପ୍ରଫେସର ଡ. ଧ୍ରୁବରାଜ ନାଏକ ବନସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଇତିମଧ୍ୟରେ ୨୦୨୧ ଜୁନ ୨୭ରେ ଘଟିଥିଲା ଅପ୍ରତ୍ୟାଶିତ ଘଟଣା । ଧ୍ରୁବରାଜଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା । ଏହାପରେ ସାନପୁଅ ସୁଜିତ ପିତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ମା’ ଅନ୍ଧାରୀ ଦେବୀଙ୍କ ପ୍ରତି ରହିଥିବା ଆସ୍ଥା ଏବଂ ଅନ୍ଧାରୀ ଜଙ୍ଗଲର ସୁରକ୍ଷା ଦିଗରେ ଅଞ୍ଚଳବାସୀଙ୍କ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇଛି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅନ୍ଧାରୀ ଜଙ୍ଗଲର ସୁରକ୍ଷା ପ୍ରତି ଗୋଷ୍ଠୀ ସହଭାଗିତାକୁ ପ୍ରଶଂସା ମିଳିଛି ।