ପୁରୀ,୨୬/୬ : ଆସନ୍ତା ୨୯ ତାରିଖରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାମ ଆରମ୍ଭ କରିବ ଏଏସ୍ଆଇ । ପ୍ରତିଦିନ ସକାଳ ୮ରୁ ରାତି ୧୦ ଯାଏଁ କାମ କରି ବାକି କାର୍ଯ୍ୟକୁ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଶେଷ କରାଯିବ । ଏହି ସମୟରେ ବଡ଼ଦେଉଳ, ଗର୍ଭଗୃହ, ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପର ମଧ୍ୟ ବୈଷୟିକ ଯାଞ୍ଚ ହେବ । ଏଏସ୍ଆଇର ଅଧିକାରୀ, କୋର୍ କମିଟି ସଦସ୍ୟଙ୍କ ସମେତ ବିଭିନ୍ନ ସଂସ୍ଥାର ବୈଷୟିକ ଦଳ ଏହି ଯାଞ୍ଚରେ ସାମିଲ ହେବେ । ମରାମତି ମଧ୍ୟ ଏହି ସମୟରେ ସରିବ । ବୁଧବାର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ବସିଥିବା ଜରୁରି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ବୈଠକରେ ରତ୍ନଭଣ୍ଡାର ଖୋଲିବା ପାଇଁ ସମ୍ପୃକ୍ତ ସେବକ, ମରାମତି ଦାୟିତ୍ୱରେ ଥିବା ଏଏସ୍ଆଇ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି, ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ହେବ । ବିଶେଷ ଭାବେ ବାହାର ରତ୍ନଭଣ୍ଡାରରେ ରହିଥିବା ବାକି କାମ ଶେଷ ହେବ । ବାହାର ଭଣ୍ଡାରରେ ଅନେକ ପଥର ପରିବର୍ତ୍ତନ ହେବ । ଷ୍ଟେନ୍ଲେସ୍ ଷ୍ଟିଲ ବିମ୍ ଲାଗିବ । ଚଟାଣରେ ପଥର ପଡ଼ିବ । ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ପାଳନ ହେବ । ଦୁଇଟି ସିଫ୍ଟରେ କର୍ମଚାରୀ କାମ କରିବେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଥପତି ଏବଂ ୱେଲଡରମାନେ କାମ କରିବେ ।
ସେହିପରି ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଯାଞ୍ଚ ସହ ଆବଶ୍ୟକ ମରାମତି ପ୍ରତିବର୍ଷ ଭଳି ହେବ । ଏଥିପାଇଁ ୨୮ ତାରିଖରେ ଭାରା ବନ୍ଧା ଯିବ । ୨୯ରେ ବୈଷୟିକ ଟିମ୍ ଓ ଦିଲ୍ଲୀରୁ ଆସିବାକୁ ଥିବା ଏଏସ୍ଆଇର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ସଂସ୍ଥାର ବିଶେଷଜ୍ଞମାନେ ମିଳିତ ଭାବେ ଭାରା ଉପରେ ଚଢ଼ି ଏହି ସ୍ଥାନଗୁଡ଼ିକ ତଦାରଖ କରିବେ । ଆବଶ୍ୟକ ସ୍ଥଳେ ମରାମତି ଓ ସଂରକ୍ଷଣ କାମ ହେବ । ସେହିପରି ପେରିଫେରି କାମ ମଧ୍ୟ ହେବ । ରତ୍ନଭଣ୍ଡାର ମରାମତି କାମ ୨୯ ଏପ୍ରିଲରୁ ବିଭିନ୍ନ ବିଶେଷ ନୀତିକାନ୍ତି ଯୋଗୁ ବନ୍ଦ ରହିଥିଲା । ନାଟମଣ୍ଡପ ମରାମତି ଗତବର୍ଷରୁ ସରିଥିବାରୁ ଏହାର ବିଶେଷ କାମ ନାହିଁ ବୋଲି ଅଧିକାରୀ କହିଛନ୍ତି ।