ଗଣତନ୍ତ୍ର ଦିବସ ଅବସରରେ ବୀରତ୍ବ ପୁରସ୍କାର ଘୋଷଣା, ମେଜର୍ ଶୁଭାଙ୍ଗ ଡୋଗରା ଓ ଜିତେନ୍ଦ୍ର ସିଂହଙ୍କୁ କୀର୍ତ୍ତି ଚକ୍ର

ନୂଆଦିଲ୍ଲୀ ୨୫/ ୦୧: ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଅର୍ଥାତ୍ ବୁଧବାର ବୀରତ୍ବ ପୁରସ୍କାର ଘୋଷଣା କରାଯାଇଛି । ଦେଶ ପାଇଁ ବଳିଷ୍ଠ ଅବଦାନ ଦେଇଥିବା ସୈନିକଙ୍କ ପାଇଁ ଏହି ସ୍ବତନ୍ତ୍ର ସମ୍ମାନର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଦୁଇ ଜଣଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି । ମେଜର ଶୁଭାଙ୍ଗ ଡୋଗରା ଏବଂ ମେଜର ଜିତେନ୍ଦ୍ର ସିଂହ ରାଜପୁତଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ। ଜାମ୍ମୁ କାଶ୍ମୀର ବଡଗାମରେ ଏକ ଅପରେସନ ବେଳେ ବୀରତ୍ବ ପ୍ରଦର୍ଶନ କରି ଜଣେ ଆତଙ୍କବାଦୀକୁ ନିହତ କରିଥିବା ଏବଂ ଆହତ ସୈନ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା କାରଣରୁ ଶୁଭାଙ୍ଗ ଡୋଗରାଙ୍କୁ ଏହି ସମ୍ମାନ ମିଳିଛି।
ସାଧାରଣତନ୍ତ୍ର ଦିବସ ଅବସରରେ ଆଉ କିଛି ବୀର ଯୋଦ୍ଧାଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯିବ । ୧୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯିବାକୁ ଥିବାବେଳେ ୩ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମଡେଲ, ଜଣଙ୍କୁ ଓ୍ବାର୍ ଟୁ ଅତି ବିଶିଷ୍ଟ ସେବା ମେଡାଲ, ୩୨ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯିବ ।
ସେହିଭଳି ୭ଜଣଙ୍କୁ ସୌର୍ଯ୍ୟ ଚକ୍ର, ୮ଜଣଙ୍କୁ ଯୁଦ୍ଧ ସେବା ମେଡାଲ, ଜଣଙ୍କୁ ଓ୍ବାର୍ ଟୁ ସେନା ମେଡାଲ, ୯୨ ଜଣଙ୍କୁ ସେନା ପଦକ (ବୀରତ୍ବ), ୪ ଜଣଙ୍କୁ ଓ୍ବାର୍ ଟୁ ସେନା ମେଡାଲ (ପ୍ରତିଷ୍ଠିତ), ୩୬ଜଣଙ୍କୁ ସେନା ମେଡାଲ (ପ୍ରତିଷ୍ଠିତ) ଏବଂ ୨ ଜଣଙ୍କୁ ଓ୍ବାର୍ ଟୁ ବିଶିଷ୍ଟ ସେନା ମେଡାଲରେ ସମ୍ମାନିତ କରାଯିବ ।