କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର, ୨୭ ।୫ (ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ରେଟିନା ଅସ୍ତ୍ରୋପଚାର । ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏହି ସୁବିଧା କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ଧତ୍ୱ ଦୂରୀକରଣ ଲକ୍ଷ୍ୟ ହାସଲ ଦିଗରେ ଏହା ଅନେକ ମାତ୍ରାରେ ସହାୟକ ହେବ ।
ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ନିର୍ଦ୍ଦେଶ ପରେ ସୁନେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଆବଶ୍ୟକ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି କ୍ୟାପିଟାଲ ହସ୍ପିଟାଲ ସମେତ ମେଡିକାଲ କଲେଜ ଗୁଡିକୁ ଯୋଗାଇ ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅଶ୍ୱିନୀ ମେହେର୍ଦ୍ଦା ଦିଲ୍ଲୀ ଏମ୍ସକୁ ଯାଇ ତାଲିମ ନେଇଥିଲେ । ସେଠାରୁ ଫେରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଚଳିତ ମାସ ୨୬ ତାରିଖରୁ ଏହା ଆରମ୍ଭ ହୋଇଛି । ଉଲ୍ଲେଖନୀୟ ଯେ ବେସରକାରୀ ସ୍ତରରେ ରେଟିନା ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ୬୦ରୁ ୭୦ ହଜାର ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲାବେଳେ କ୍ୟାପିଟାଲ ହସ୍ପିଟାଲରେ ଏହା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି । ଖାଲି ରେଟିନା ଅସ୍ତ୍ରୋପଚାର ନୁହେଁ, ଗ୍ଲୁକୋମା ରୋଗୀଙ୍କ ପାଇଁ ମଧ୍ୟ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକସନ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି । ଗୋଟିଏ ଇଞ୍ଜେକସନର ମୂଲ୍ୟ ଖୋଲା ବଜାରରେ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡୁଛି ।