ଗୋପାଳପୁର ୭/୭: ନୂଆ ଗୋଳାବନ୍ଧ ଗାଁରୁ ଦୁଇଜଣ ମହିଳା ସଂଘର ବ୍ୟାଙ୍କ ଲୋନ ଡିପୋଜିଟ ନିମନ୍ତେ ୭୦ ହଜାର ଟଙ୍କା ଲକ୍ଷ୍ମୀ ବସ୍ ଯୋଗେ ଗୋପାଳପୁର ଇଣ୍ଡିଆନ ବ୍ୟାଙ୍କକୁ ଆସୁଥିବା ବେଳେ ଭୂଲ ବଶତଃ ବ୍ୟାଗଟି ବସରେ ଛାଡି ଦେଇଥିଲେ। ଏହା ଜାଣିବା ପରେ ସେମାନଙ୍କ ଟଙ୍କା ବସରେ ଛାଡି ଦେଇଥିବା ଜାଣିପାରି ତୁରନ୍ତ ଗୋପାଳପୁର ଥାନାରେ ନୂଆ ଗୋଳାବନ୍ଧ ଗ୍ରାମର ଶ୍ରୀୟା ଶକ୍ତି ମହିଳା ସଂଘର ସଭାନେତ୍ରୀ ଓ ଜଣେ ସଦସ୍ୟ ଏସ. କାଲlମ୍ମା ଓ ଏସ. କରଲାମ୍ମା ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ସବ ଇନ୍ସପେକ୍ଟର ଭବାନୀ ଶଙ୍କର ନାୟକ, ଜି ବି ରେଡି ଓ ଏମ. ମଧୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ଲକ୍ଷ୍ମୀ ବସର ଡିପୋ ମ୍ୟାନେଜରକୁ ଘଟଣା ନେଇ ଅବଗତ କରାଇବା ସହ ବସକୁ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଉକ୍ତ ବସ ଗଞ୍ଜୁରେ ଅଟକି ରହିଥିଲା।
ପୁଲିସ ସେଠାରେ ପହଞ୍ଚି ବସରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ୍ କରିଥିଲେ। ଯାଞ୍ଚ ସମୟରେ କରାପଲ୍ଲୀ ଛକରେ ମହିଳା ଦୁଇ ଜଣ ଓହ୍ଲାଇବା ପରେ ଉକ୍ତ ବସରେ ଜଣେ ବ୍ୟକ୍ତି ଚଢିବା ସହ ଟଙ୍କା ଥିବା ବ୍ୟାଗକୁ ଧରି ରଙ୍ଗେଇଲୁଣ୍ଡା ଠାରେ ଓହ୍ଲାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ପୁଲିସ ସିସିଟିଭି ଫୁଟେଜ ସାହାଯ୍ୟରେ ପ୍ରଥମେ ରଙ୍ଗେଇଲୁଣ୍ଡା ଛକରେ ପଚରାଉଚରା ସମୟରେ ବ୍ୟକ୍ତି ଜଣକ ଅନ୍ତରବାଟିଆ ଗ୍ରାମର ବୃନ୍ଦାବନ ଦାସ ବୋଲି ସୂଚନା ପାଇଥିଲେ।
ପରେ ଅନ୍ତରବାଟିଆରେ ଚଢ଼ାଉ କରି ବୃନ୍ଦାବନକୁ ଘରୁ କାବୁ କରିବା ସହ ତାହା ନିକଟରୁ ୬୬ ହଜାର ଟଙ୍କା ଜବତ କରିବା ସହ ବ୍ୟାଗ ଏବଂ ବ୍ୟାଙ୍କ ପାସ ବୁକ୍ ଓ ଅନ୍ୟାନ୍ୟ ନଥିପତ୍ର ଜବତ କରିଛି। ଟଙ୍କା ଉଦ୍ଧାର ପରେ ପୁଲିସ ପକ୍ଷରୁ ଉଭୟ ମହିଳାଙ୍କୁ ଟଙ୍କା ସହ ଅନ୍ୟାନ୍ୟ ନଥିପତ୍ର ଫେରସ୍ତ କରିଛନ୍ତି। ପୁଲିସ ପକ୍ଷରୁ ଅଭିଯୋଗ ପାଇବା ପରେ ତ୍ୱରିତ ପଦକ୍ଷେପ ନେଇ ଥିବାରୁ ହଜିଥିବା ଟଙ୍କାକୁ ଉଦ୍ଧାର କରି ଫେରସ୍ତ କରିଥିବାରୁ ସାଧାରଣରେ ପୁଲିସକୁ ସାବାସି ଜଣାଇଛନ୍ତି।