ଭୁବନେଶ୍ବର,୧୧।୧୧ : ଗତ ସେପ୍ଟେମ୍ବର ୩ ଓ ୪ ତାରିଖରେ ଅନୁଷ୍ଠିତ ହୋଇଥିବା ସଂଯୁକ୍ତ ଉପକୂଳ ସୁରକ୍ଷା ଅଭ୍ୟାସ ସାଗର କବଚ ଉପରେ ଏକ ସମୀକ୍ଷା ବୈଠକ ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଅଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଉପକୂଳ ସୁରକ୍ଷା "ସାଗର କବଚ" ଅଭ୍ୟାସ ସମୟରେ ନିଆ ଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରା ଯାଇଥିଲା

ଅଭ୍ୟାସ ସମୟରେ ଯାହା କିଛି ତ୍ରୁଟି ବିଚ୍ୟୁତି ସାମନାକୁ ଆସିଛି ପରବର୍ତ୍ତୀ ଅଭ୍ୟାସ ଗୁଡିକରେ ସେ ସବୁକୁ ସମାଧାନ କିପରି କରା ଯାଇପାରିବ ସେ ସମ୍ବନ୍ଧରେ ଅଧିକାରୀମାନଙ୍କଠାରୁ ଶ୍ରୀ ସାହୁ ପଚାରି ବୁଝିଥିଲେ। ଏଥି ସହ ତ୍ୱରିତ ସମାଧାନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏ ଦିଗରେ ରାଜ୍ୟ ତରଫରୁ ଅଧିକ ସତର୍କତା ଅବଲମ୍ବନ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାର ସମସ୍ତ ଆରକ୍ଷୀ ଅଧିକାରୀମାନଙ୍କୁ ନିବେଦନ କରିଥିଲେ। ସମ୍ଭାବ୍ୟ ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ତଟ ସୁରକ୍ଷା) ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ମତ୍ସ୍ୟ ମିତ୍ର ଓ ସାଗର ମିତ୍ର ସମେତ ତଟବର୍ତ୍ତୀ ଧିବର ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସମ୍ପୃକ୍ତିକୁ ତ୍ଵରାନ୍ୱିତ କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସାଗର କବଚ ଅଭ୍ୟାସ ଆସନ୍ତା ୨୦୨୬ ଫେବୃଆରୀ ପ୍ରଥମ ସପ୍ତାହରେ ହେବ । ଇଣ୍ଡିଆନ କୋଷ୍ଟ ଗାର୍ଡ ସିପ (ICGS) ଗୋପାଳପୁରକୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ।

ବୈଠକରେ ତଟରକ୍ଷୀ ବାହିନୀ, ନୌସେନା, ମେରାଇନ ପୋଲିସ, କେନ୍ଦ୍ରୀୟ ପାରମିଲିଟାରୀ ବାହିନୀ, ମତ୍ସ୍ୟ ବିଭାଗ, ଗୃହ ବିଭାଗର ବରିଷ୍ଠ ଅଧିକରୀ, ଉପକୂଳ ଜିଲ୍ଲାମାନଙ୍କର ଆରକ୍ଷୀ ଅଧିକ୍ଷକ  ଯୋଗ ଦେଇଥିଲେ।