ବଡ଼ୋଦରା : ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଉପରେ ୧କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କାର ପୁରସ୍କାର ରଖି ଥିବା ଡା.ରାଜ ଶେଖାୱତ ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ ଶେଖାୱତ କହିଛନ୍ତି ଯେ, ଯେଉଁ ପୁଲିସକର୍ମୀ ଲରେନ୍ସ ବିଷ୍ଣୋଇର ଏନକାଉଣ୍ଟର କରି ଦେବ, ତାକୁ କରଣୀ ସେନା ପକ୍ଷରୁ ଏହି ପୁରସ୍କାର ଦିଆଯିବ। ଶେଖାୱତ ସରକାରଙ୍କୁ ଦାବି କରିଛନ୍ତି ଯେ, ଜେଲ୍ରେ ବନ୍ଦୀ ଥିବା ଲରେନ୍ସର ଏନକାଉଣ୍ଟର କରି ଦିଆ ଯାଉ।
ଡା. ରାଜ ଶେଖାୱତ କ୍ଷତ୍ରିୟ କରଣୀ ସେନାର ସଂସ୍ଥାପକ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ। ଗୁଜରାଟର ବଡୋଦରାରୁ ସଙ୍ଗଠନ ଚଲାଉଥିବା ଶେଖାୱତ ନିଜର ଏକ୍ସ ବାୟୋରେ କହିଛନ୍ତି ଯେ, ସେ ବିଏସଏଫ୍ରେ ସେବା ଦେଇ ସାରିଛନ୍ତି। ଶେଖାୱତଙ୍କର କହିବାନୁସାରେ, ସେ କାର୍ଗିଲ ଯୁଦ୍ଧ ଲଢି ସାରିଛନ୍ତି ଏବଂ କାଶ୍ମୀର ଘାଟୀରେ ୮ ବର୍ଷ ଯାଏ ଆତଙ୍କରୋଧି ଅଭିଯାନର ସଦସ୍ୟ ରହି ସାରିଛନ୍ତି।
ଡା.ରାଜ ଶେଖାୱତ ଲରେନ୍ସ ବିଷ୍ଣୋଇର ଏନକାଉଣ୍ଟରର ଦାବି କରିବାର କାରଣ ମଧ୍ୟ କହିଛନ୍ତି। ତାଙ୍କର କହିବାନୁସାରେ, କରଣୀ ସେନାର ବଡ଼ ନେତା ସୁଖଦେବ ଗୋଗାମେଡିଙ୍କର ହତ୍ୟା ଲରେନ୍ସ ବିଷ୍ଣୋଇ ହିଁ କରାଇ ଥିଲା ଏବଂ ଏହି କାରଣରୁ ସେ ଚାହୁଁଛନ୍ତି ଯେ, ତାର ଏନକାଉଣ୍ଟର କରି ଦିଆଯାଉ।
ଶେଖାୱତ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ମୋତେ କେବଳ ଏତିକି ଜଣା କି ଆମର ପରମ ଆଦରଣୀୟ ଅମର ସହିଦ ସୁଖଦେବ ସିଂହ ଗୋଗାମେଡିଙ୍କର ହତ୍ୟା ଲରେନ୍ସ ବିଷ୍ଣୋଇ ଦ୍ୱାରା କରାଯାଇ ଥିଲା। ଯେଉଁ ପୁଲିସକର୍ମୀ ଲରେନ୍ସ ବିଷ୍ଣୋଇର ଏନକାଉଣ୍ଟର କରିବ, ସେହି ପୁଲିସକର୍ମୀଙ୍କୁ ଏକ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ଟଙ୍କାର ପୁରସ୍କାର କରଣୀ ସେନା ଦ୍ୱାରା ପ୍ରଦାନ କରାଯିବ। ଦେଶବାସୀଙ୍କୁ ଏକ ଭୟଭୀତ ନୁହେଁ ଭୟମୁକ୍ତ ଭାରତର ଆବଶ୍ୟକତା ରହିଛି।
ଉଲ୍ଲେଖନୀୟ ଯେ, ସୁଖଦେବ ଗୋଗାମେଡିଙ୍କର ଗତ ବର୍ଷ ଡିସେମ୍ୱରରେ ହତ୍ୟା କରାଯାଇ ଥିଲା। ଜୟପୁର ସ୍ଥିତ ତାଙ୍କର ନିବାସରେ ଦୁଇ ଜଣ ଲୋକ ସାକ୍ଷାତ ପାଇଁ ଆସି ଥିଲେ ଏବଂ କଥାବାର୍ତ୍ତା କରିବା ବେଳେ ହଠାତ୍ ତାଙ୍କ ଉପରେ ଫାୟାରିଂ କରି ଥିଲେ। ବିଦେଶରେ ରହି ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ସମ୍ଭାଳୁଥିବା ଗୋଲଡି ବରାଡ ଗୋଗାମେଡିର ହତ୍ୟାରେ ନିଜକୁ ଦାୟୀ କରି ଥିଲା।