ନୂଆଦିଲ୍ଲୀ: ଆପଣଙ୍କ ବାହାଘର ହୋଇପାରୁନି କି ? ତାହେଲେ ବିଧାୟିକାଙ୍କୁ ଦିଅ ବାୟୋଡାଟା । ସେ କରାଇଦେବେ ବାହାଘର । ଏମିତି ଏକ ଅଜବ ଘୋଷଣା କରି ଚର୍ଚ୍ଚାରେ ରହିଛନ୍ତି ହରିୟାଣା ରେଓ୍ବାଡିର ବିଜେପି ବିଧାୟିକା ବିମଳା ଚୌଧୁରୀ । ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଛି । ତଥାପି ବିଧାୟିକାଙ୍କ ଏଭଳି ଘୋଷଣା ଏବେ ବେଶ ଚର୍ଚ୍ଚାରେ ରହିଛି । କାରଣ ନିର୍ବାଚନ ସମୟରେ ନେତାମାନେ ବିଭିନ୍ନ ପ୍ରତିଶୃତିମାନ ଦେଇଥାନ୍ତି । କିନ୍ତୁ ବିଧାୟକ ଜଣକ ପଦବୀ ପାଇବା ପରେ ଏକ ଏଭଳି ଘୋଷଣା କରିଛନ୍ତି ।

ରେଓ୍ବାଡିରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିମଳା । ଗୁରୁବାର ଅନୁଷ୍ଠିତ ଏକ ଧନ୍ୟବାଦ ସଭାରେ ବିଧାୟିକା ଅଭିଭାଷଣ ଦେବା ସମୟରେ କହିଥିଲେ କି, ଯଦି କେହି ବାଡ଼ୁଅ ପୁଅ ଅଛ ତାହେଲେ ସେମାନେ ତାଙ୍କର ବାୟୋଡାଟା ଦିଅନ୍ତୁ ସେମାନଙ୍କ ବିବାହ କରାଇବି । ସଭାମଞ୍ଚରେ ପ୍ରଥମେ ଏଭଳି ଘୋଷଣା କରିବା ପରେ ଗଣମାଧ୍ୟମରେ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ କି, ଆମେ ପୂର୍ବରୁ ମଧ୍ୟ ଏଭଳି ଅନେକଙ୍କ ବିବାହ କରାଇଛୁ । ଯଦି କେହି ଅଛନ୍ତି ତାହେଲେ ଆମକୁ ଜଣାନ୍ତୁ । କାରଣ ଯେଉଁମାନେ ଅବିବାହିତ ରହିଛନ୍ତି ସେମାନଙ୍କୁ ବିବାହ କରାଇବା ମୋର ଦାୟିତ୍ବ ।

ସେପଟେ ମଞ୍ଚରୁ ଯେତେବେଳେ ବିଧାୟିକା ଏଭଳି ଘୋଷଣା କରିଥିଲେ ସେଠାରେ ଉପସ୍ଥିତ ଜନତା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ହସିଥିଲେ । କିନ୍ତୁ ସେ ପୁଣିଥରେ କହିଥିଲେ କି, ଏଥିରେ ଲାଜ କରିବାର କୌଣସି ଅସୁବିଧା ନାହିଁ । ମନଖୋଲି ଆପଣମାନେ ଜଣାଇପାରିବେ । ତେବେ ହରିୟାଣା ରାଜନୀତିରେ ବିବାହ କରାଇବା କଥା କିଛି ନୁଆ ନୁହେଁ । ପୂର୍ବରୁ ଅଥବା ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେପି ନେତା ଓମ ପ୍ରକାଶ ଧନଖର ଦେଇଥିବା ସମାନ ପ୍ରତିକ୍ରିୟା ପାଇଁ ବିବାଦରେ ରହିଥିଲେ । ସେ କହିଥିଲେ କି, କେହି ମଧ୍ୟ ଅବିବାହିତ ରହିବେ ନାହିଁ । ଆମ ରାଜ୍ୟରେ ଝିଅ ନ ମିଳିଲେ ବିହାରରୁ ଝିଅ ଆଣି ବାହା କରାଇବୁ । ଯାହାକୁ ନେଇ ସେ ବିବାଦରେ ମଧ୍ୟ ଫସିଥିଲେ ।

ସେପଟେ ଆମେ ଯଦି ବିମଳା ଚୌଧୁରୀଙ୍କ ସମ୍ପର୍କରେ କହିବା ତାହେଲେ ସେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ପ୍ରଥମଥର ବିଧାୟିକା ହୋଇଥିଲେ । ଏକ ସଂରକ୍ଷିତ ଏସସି ଆସନରେ ଜିତିଥିଲେ । ସେହି ସମୟରେ ସେ ନିଜକୁ ନିରକ୍ଷର ବୋଲି କହିଥିଲେ । ପରେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ମିଳିନଥିଲା । ମାତ୍ର ୨୦୨୪ରେ ତାଙ୍କୁ ପୁଣି ତାଙ୍କୁ ଟିକେଟ ମିଳିଥିବାବେଳେ ବିଜୟୀ ହୋଇଥିଲେ ।

ଏହାସହ ପଢ଼ନ୍ତୁ: ପେଟ୍ରୋଲ-ଡିଜେଲରେ ଟ୍ୟାକ୍ସ, ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?