ଚଣ୍ଡିଗଡ଼, ୧୮।୪: "ବାପା, ଆମେ ଏଠି ବହୁତ ଖରାପ ଭାବେ ଫସିଯାଇଛୁ । ଏବେ ଆଉ କଥା ହେଇପାରିବିନି, ହୁଏତ ତିନି ମାସ ପରେ କଥା ହେବି ।" ପୁଅ ମୁହଁରୁ ଶୁଣିଥିବା ଶେଷ ଏଇ କେଇ ପଦ କଥା ଆଜି ଜଣେ ବାପାଙ୍କ ପାଇଁ କାଳ ସାଜିଛି । ଯେଉଁ ପୁଅ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲା, ସେ ଫେରିଲା ସତ, କିନ୍ତୁ ଚାରି କାନ୍ଧରେ ବୁହା ହୋଇ ଏକ କଫିନ୍ ଭିତରେ । ହରିୟାଣା ରେୱାଡ଼ି ଜିଲ୍ଲା କାଠୁବାସ ଗାଁର ଯୁବକ ଅଂଶୁ । ଏମବିଏ ପଢ଼ିବାକୁ ସ୍ୱପ୍ନ ଦେଖି ରୁଷ ଯାଇଥିବା ଅଂଶୁ ଗତ ୧୪ ଅକ୍ଟୋବର, ୨୦୨୫ରେ ୟୁକ୍ରେନ ସୀମାରେ ଯୁଦ୍ଧ ଲଢ଼ୁଥିବା ସମୟରେ ପ୍ରାଣ ହରାଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ତାଙ୍କ ମରଶରୀର ନିଜ ମାଟିକୁ ଫେରିବା ପାଇଁ ଦୀର୍ଘ ୬ ମାସ ସମୟ ଲାଗିଗଲା । ଶୁକ୍ରବାର ଯେତେବେଳେ ତ୍ରିରଙ୍ଗାରେ ଗୁଡ଼ା ହୋଇ ଅଂଶୁଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଲା, ସେତେବେଳେ ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ପାଠ ପଢ଼ିବାକୁ ଯାଇ ପହଞ୍ଚିଲେ ଯୁଦ୍ଧ ମଇଦାନରେ:

ଅଂଶୁଙ୍କ ପରିବାର କେବେ ଭାବି ନଥିଲେ ଯେ, ସେମାନଙ୍କ ଗେହ୍ଲା ପୁଅ ରୁଷ ସେନାରେ ସାମିଲ ହେବ । ୨୦୨୪ ଅଗଷ୍ଟ ମାସରେ ସେ ରୁଷ ସେନାରେ ଯୋଗ ଦେଇଥିଲେ । ପରିବାର ସହ ତାଙ୍କର ଶେଷ କଥାବାର୍ତ୍ତା ୨୦୨୫ ଅଗଷ୍ଟ ୧୮ରେ ହୋଇଥିଲା । ସେହିଦିନ ହିଁ ସେ ନିଜ ବିପଦ ସମ୍ପର୍କରେ ବାପା ରାକେଶ କୁମାରଙ୍କୁ ସୂଚନା ଦେଇଥିଲେ । ପରିବାର ପାଖକୁ ଗତ ଏପ୍ରିଲ ୪ ତାରିଖରେ ଭାରତୀୟ ଦୂତାବାସରୁ ଫୋନ୍ ଆସିଥିଲା, ଯେଉଁଥିରେ ଅଂଶୁଙ୍କ ମୃତ୍ୟୁ ଖବର ନିଶ୍ଚିତ କରାଯାଇଥିଲା ।

ଗାଁରେ ଶୋକର ଛାୟା:

ଶୁକ୍ରବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ଶବ ଗ୍ରହଣ କରିବା ପରେ ଯେତେବେଳେ ପାର୍ଥିବ ଶରୀର ଗାଁରେ ପହଞ୍ଚିଲା, ପରିବାର ଲୋକେ କାନ୍ଦିବାକୁ ଲାଗିଲେ । ବଡ଼ ଭାଇ ମୋହିତ ମୁଖାଗ୍ନି ଦେବା ବେଳେ ଉପସ୍ଥିତ ସମସ୍ତଙ୍କ ଆଖି ଛଳଛଳ ହୋଇଯାଇଥିଲା । ଅଂଶୁଙ୍କ ମା’ଙ୍କର ପୂର୍ବରୁ ଦେହାନ୍ତ ହୋଇସାରିଥିଲା, ଏବେ ପୁଅକୁ ହରାଇ ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏବେ ବି ଅନେକ ଭାରତୀୟ ଯୁବକ ନିଖୋଜ ଅଛନ୍ତି । ଅଂଶୁଙ୍କ ଭଳି ଅନେକ ଭାରତୀୟ ଯୁବକ ରୁଷ-ୟୁକ୍ରେନ ଯୁଦ୍ଧର ଜାଲରେ ଫସି ରହିଛନ୍ତି । ୨୬ ଜଣ ଭାରତୀୟ ଯୁବକ ଏବେ ବି ନିଖୋଜ ଅଛନ୍ତି, ଯେଉଁଥିରୁ ୭ ଜଣ କେବଳ ହରିୟାଣାର । ରୁଷ ସେନାରେ ପ୍ରାୟ ୧୧୦ ଜଣ ଭାରତୀୟ ଯୁବକ ସାମିଲ ହୋଇଥିଲେ, ଯେଉଁଥିରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ସୁପ୍ରିମକୋର୍ଟରେ ଏନେଇ ଏକ ମାମଲା ମଧ୍ୟ ଚାଲିଛି, ଯାହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୪ ରେ ହେବ । ଏହି ଘଟଣା ସେହି ହଜାର ହଜାର ଯୁବକଙ୍କ ପାଇଁ ଏକ ଚେତାବନୀ, ଯେଉଁମାନେ ଭବିଷ୍ୟତ ଗଢ଼ିବା ଆଶାରେ ବିଦେଶ ଯାଉଛନ୍ତି କିନ୍ତୁ ଅଜାଣତରେ ମୃତ୍ୟୁର ଫାଶରେ ପଡ଼ିଯାଉଛନ୍ତି ।

ଆହୁରି ପଢ଼ନ୍ତୁ... Peace Talk; ପାକିସ୍ତାନ ପୁଣି କରିବ ମଧ୍ୟସ୍ଥତା; ଏହି ଦିନ ଆମେରିକା-ଇରାନ ବୈଠକ, ଶାନ୍ତି ଆଲୋଚନା ପ୍ରସ୍ତୁତି ଜୋରଦାର​​​​​​​