କୋକସରା ପେକ୍ସରେ ରବି ଧାନ କ୍ରୟ ଆରମ୍ଭ, ପ୍ରଥମ ଦିନରେ ୪ ଚାଷୀଙ୍କ ୩୮୦ କେଜି ଧାନ କ୍ରୟ

କୋକସରା ୨୬/୫- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ ଆରମ୍ଭ ହେବାପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ କୋକସରା ବ୍ଲକ ଅଞ୍ଚଳର ଚାଷୀମାନେ ଡାଲୁଅ ଧାନ ଚାଷ କରିଥିଲେ। କୋକସରା ବ୍ଲକ ର ମୋଟ ୫୩୩୦ ହେକ୍ଟର ଚାଷଜମିରେ ଚଳିତ ବର୍ଷ ରବି ଧାନ ଫସଲ ଅମଳ ହୋଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ ପରେ କୋକସରା ବ୍ଲକରେ ଗୁରୁବାର ବ୍ଲକର କୋକସରା, ଲଡୁଗାଁ, କାଶିବାହଲ, ଫୁଫଗା, ଟେମରା ପେକ୍ସ ଡୁଡୁକାଠେଙ୍ଗା ଠାରେ ଡାଲୁଅ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଛି। କୋକସରା ପେକ୍ସ ପକ୍ଷରୁ ଗୁରୁବାର ମଣ୍ଡି ଆରମ୍ଭ ହୋଇଥିବା ବେଳେ କୋକସରା, ରେଙ୍ଗାଳପାଲି ଓ ମାଝୀଗୁଡା ପଞ୍ଚାୟତ ର ୫୯୪ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଜଣାପଡ଼ିଛି। କୋକସରା ପେକ୍ସ ପାଇଁ ୩୫ ହଜାର ୫ ଶହ କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ରହିଛି ଓ ୪ ଜଣ।ମିଲ କୁ ଟେଗ କରାଯାଇଛି। ମଣ୍ଡି ଆରମ୍ଭର ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ୩ ଶହ ୮୦ କେଜି ଧାନ କ୍ରୟ ହୋଇଥିବା ଜଣାପଡିଛି। ମଣ୍ଡି ଉଦଘାଟନ ଅବସରରେ କୋକସରା ପେକ୍ସ ସଭାପତି ନିରଞ୍ଜନ ପ୍ରସାଦ ବାଗଙ୍କ ଉପସ୍ଥିତିରେ କୋକସରା ସମବାୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ପେକ୍ସର ଡ଼ାଇରେକ୍ଟର ସମୁହ, ପେକ୍ସ କର୍ମଚାରୀ, ଆର.ଏମ.ସି କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ରହିଥିଲେ।