ନୂଆଦିଲ୍ଲୀ,୨୪/୦୫: ଗତ ଏକ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ବିରାଟ କୋହଲି ନିଜ ଖେଳ ଏବଂ ଫିଟନେସକୁ ନେଇ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି । କେବଳ ଦେଶ ନୁହଁ, ବିଦେଶରେ ମଧ୍ୟ ତାଙ୍କର କୋଟି କୋଟି ଅନୁଗାମୀ । ସୋସିଆଲ ମିଡିଆରେ କୋହଲିଙ୍କର ବେଶ ଦବଦବା ରହିଛି । ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଲୋକପ୍ରିୟତା ବି କିଛି କମ୍ ନୁହେଁ । ମାତ୍ର କିମ୍ବଦନ୍ତୀ ସଚିନ ତେନ୍ଦୁଲକର ୨୦୧୩ରୁ କ୍ରିକେଟରୁ ଦୂରେଇ ରହିଛନ୍ତି । ନୂଆ ପିଢ଼ି ନୂଆ ଖେଳାଳିଙ୍କ ସହ ଜଡ଼ିତ । ତଥାପି ସେ ଭାରତରେ ସବୁଠୁ ଦାମୀ କ୍ରିକେଟର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । କୋହଲି ଦ୍ୱିତୀୟ ଏବଂ ଧୋନି ତୃତୀୟ ସ୍ଥାନରେ ରହିଛନ୍ତି ।
କ୍ରିକେଟ୍ ଖେଳାଳିଙ୍କର ରୋଜଗାର ହେଉଛି ବିସିସିଆଇର ବାର୍ଷିକ ଚୁକ୍ତି, ଅନ୍ତର୍ଜାତୀୟ ମ୍ୟାଚ୍ (ଦିନିକିଆ, ଟେଷ୍ଟ, ଟି-ଟ୍ୱେଣ୍ଟି) ଏବଂ ବିଜ୍ଞାପନ। ସଚିନ ୧୨ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଲେଣି । ସେମିତି ଆଇପିଏଲ ବି ସେ ଖେଳୁ ନାହାନ୍ତି। କେବଳ ବିଜ୍ଞାପନରୁ ରୋଜଗାର କରନ୍ତି । କୋହଲି ଟେଷ୍ଟ ଓ ଟିଟ୍ୱେଣ୍ଟି ଛାଡ଼ିଥିଲେ ବି ଦିନିକିଆ ଓ ଆଇପିଏଲ ଖେଳିବା ଜାରି ରଖିବେ । ଧୋନି ମଧ୍ୟ ଆଇପିଏଲ୍ ଖେଳୁଛନ୍ତି । କୋହଲି ଓ ଧୋନିଙ୍କ ଠାରୁ ସଚିନଙ୍କ ବାର୍ଷିକ ରୋଜଗାର ବହୁତ କମ୍ । ୨୦୨୩ ସେଲିବ୍ରିଟି ବ୍ରାଣ୍ଡ୍ ତାଲିକାରେ କୋହଲି ୧ ନମ୍ବର ସ୍ଥାନରେ ରହିଥିଲେ । ସେମିତି ଧୋନି ସପ୍ତମ ଓ ସଚିନ ଅଷ୍ଟମ ସ୍ଥାନରେ ଥିଲେ ।
କ୍ରିକେଟରଙ୍କ ମଧ୍ୟରେ ମୋଟ୍ ସମ୍ପତ୍ତି ତାଲିକାରେ ସଚିନ କିନ୍ତୁ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଶାଇଲେ ୧୨୫୦ରୁ ୧୬୦୦ କୋଟି ଟଙ୍କା ହେବ । କୋହଲି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୧୦୫୦ କୋଟି ଟଙ୍କା । ପୁମା, ମାନ୍ୟବର, ମନ୍ତ୍ରା, ଏମ୍ଆରଏଫ୍ ଭଳି ବହୁ ବଡ଼ ବଡ଼ କମ୍ପାନୀ ସହ ସେ ଜଡ଼ିତ ରହିଛନ୍ତି । ଏତଦବ୍ୟତୀତ ଅନ୍ୟ କମ୍ପାନୀମାନଙ୍କର ମଧ୍ୟ ବିଜ୍ଞାପନ କରୁଛନ୍ତି । ଧୋନି ୧୦୦୦ କୋଟି ଟଙ୍କାର ମାଲିକ । ତାଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-ଟ୍ୱେଣ୍ଟି, ୨୦୧୧ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ ହୋଇଥିଲା । କୋହଲିଙ୍କ ଭଳି ସେ ମଧ୍ୟ ବହୁ ବ୍ରାଣ୍ଡ୍ ସହ ଜଡ଼ିତ। ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବା ପରେ ଧୋନି ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି ।
ଧୋନିଙ୍କ ପଛକୁ ଚତୁର୍ଥ ସ୍ଥାନରେ ରହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ୭୦୦ କୋଟି ଟଙ୍କାର ମାଲିକ । ଖେଳରୁ ଦୂରେଇ ରହିଥିଲେବି ଆଇପିଏଲରେ ଗତ ସିଜନରେ ସେ ଦିଲ୍ଲୀର ମେଣ୍ଟର ଭାବେ କାର୍ଯ୍ୟ କରୁଥିଲେ । ପଞ୍ଚମ ସ୍ଥାନରେ ରହିଛନ୍ତି ବୀରେନ୍ଦ୍ର ସେହ୍ୱାଗ । ସେ ୩୪୨ କୋଟି ଟଙ୍କାର ମାଲିକ ଅଟନ୍ତି । ଯୁବରାଜ ସିଂ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୯୧ କୋଟି ଟଙ୍କା ।
ସେମିତି ସପ୍ତମ ସ୍ଥାନରେ ଗୌତମ ଗମ୍ଭୀର । ସେ ୨୬୫ କୋଟି ଟଙ୍କାର ମାଲିକ । ଏବେ ସେ ଭାରତୀୟ ଦଳର ମୁଖ୍ୟ କୋଚ୍ ରହିଛନ୍ତି । ସୁରେଶ ରାଇନାଙ୍କ ପାଖରେ ୨୧୫ କୋଟି ଟଙ୍କା ରହିଛି । ସେ ଧନୀ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ସେହିପରି ରୋହିତ ଶର୍ମା ୨୧୪ କୋଟି ଏବଂ ରାହୁଲ ଦ୍ରାବିଡ଼ ୧୯୭ କୋଟି ଟଙ୍କା ରଖିଛନ୍ତି । ରୋହିତ ମୁମ୍ବାଇ ଇଣ୍ଡିଆନ୍ସରେ ରହିଛନ୍ତି । ନିକଟରେ ସେ ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ । ଦ୍ରାବିଡ଼ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଅଛନ୍ତି ।