ମରାମତି ହେଉନି ସିର୍କାବର୍ଗ ରାସ୍ତା ,ରାସ୍ତାରୋକ ପାଇଁ ଗ୍ରାମବାସୀଙ୍କ ସଜବାଜ

ଦାରିଙ୍ଗବାଡ଼ି,୨୭/୧୧(ଆପ୍ର): ଗାଁ କୁ ଗାଁ ସଂଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନୂତନ ରାସ୍ତା ନିର୍ମାଣ କରୁଛନ୍ତି ସରକାର । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ରାସ୍ତା ନିର୍ମାଣର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣା କରିବା ନେଇ ସରକାରୀ ନିୟମ ରହିଥିବା ସହ ଅର୍ଥ ମଧ୍ୟ ଥାଉଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତାର ରକ୍ଷଣାବେକ୍ଷଣା ହୋଇପାରୁନାହିଁ । ଏପରିକି ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କାମ ହେଉନାହିଁ । ବରଂ ରାସ୍ତାରେ ମେଟାଲ ଓ ଗୋଡି ବାହାରିଥିବା ଯୋଗୁଁ ପ୍ରତି ଦିନ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଉଛି । ତିନି ଦିନ ମଧ୍ୟରେ ଦୁଇ ଜଣ ମହିଳାଙ୍କ ସମେତ ୬ ଜଣ ଲୋକେ ଗାଡ଼ିରେ ଦୁର୍ଘଟଣା ଘଟି ଆହତ ହୋଇସାରିଲେଣି । ରାସ୍ତାର ବୁଲାଣିରେ ଗୋଡ଼ି ବାହାରି ରହିଥିବା ଯୋଗୁଁ ଗାଡ଼ି ଗୁଡିକ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହେଉଛି । ହେଲେ ଏସବୁ ଜାଣି ସୁଦ୍ଧା ବିଭାଗୀୟ ଅଧିକାରୀ ଚେତୁନାହାନ୍ତି ।
ସିର୍କାବର୍ଗକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଯେଉଁ ରାସ୍ତା ଯାଇଛି ତାହା ପାହାଡିଆ ଓ ଘାଟି ରାସ୍ତା । ଉକ୍ତ ଘାଟି ରାସ୍ତାରେ ରହିଛି ଅନେକ ବୁଲାଣି ଓ ଘାଟି । ରାସ୍ତା ହୋଇ ତିନି ବର୍ଷ ମଧ୍ୟରେ ମେଟାଲ ଗୋଡ଼ି ଉଠିଗଲାଣି ହେଲେ ରାସ୍ତାର ରକ୍ଷଣାବେକ୍ଷଣା ହେଉନାହିଁ । ଜାହାରି ଫଳରେ ପ୍ରତି ବୁଲାଣି ରାସ୍ତାରେ ମେଟାଲ ଓ ଗୁଡ଼ି ବାହାରି ରହିଥିବା ଯୋଗୁଁ ପ୍ରତି ଦିନ ଦୁର୍ଘଟଣା ଘଟୁଛି । କେତେବେଳେ କିଏ ବାଇକରେ ପଡୁଛନ୍ତି ତ ଆଉ କିଏ ସାଇକେଲରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ଏନେଇ ଗ୍ରାମବାସୀ ରାସ୍ତାର ମରାମତି କରିବା ପାଇଁ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣେଇ ଥିଲେ ସୁଦ୍ଧା ରାସ୍ତା ମରାମତି ହେଉନାହିଁ । ଏଣୁ ଗ୍ରାମବାସୀ ରାସ୍ତା ରୋକ କରି ନିଜର ଦାବି ଉପସ୍ଥାପନ କରିବେ ବୋଲି ପ୍ରଶାସନକୁ ଚେତେଇ ଦେଇଛନ୍ତି ।