ପାନଗୁଡ଼ା, ହରଗୁଡ଼ା ଓ ରାମ୍ବୁଲି ଗ୍ରାମକୁ ରାସ୍ତା ନିର୍ମାଣ ଦାବି, ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୬/୫ : ଦାରିଙ୍ଗବାଡ଼ି ବ୍ଳକ କାଟିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାନଗୁଡ଼ା, ହରଗୁଡ଼ା ଓ ରାମ୍ବୁଲୀ ଗ୍ରାମକୁ ରାସ୍ତା ନିର୍ମାଣ ଦାବି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କଲେ ଗ୍ରାମବାସୀ। ଉକ୍ତ ୩ଟି ଗ୍ରାମ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଗ୍ରାମକୁ ରାସ୍ତା ହୋଇଥିଲେ ସୁଦ୍ଧା ରାସ୍ତାଟି ବର୍ଷା ଦିନେ ଧୋଇ ଯାଉଛି। ଫଳରେ ସାଇକେଲ, ବାଇକ୍ ଓ ଚାରିଚକିଆ ଯାନ ଯିବା କଥା ଦୂରରେ ଥାଉ ପାଦରେ ଚାଲିବା କଷ୍ଟକର ହୋଇଛି।
ପାନଗୁଡା ଗ୍ରାମରେ ଅନୁସୂଚିତ ଜନଜାତିର ୧୧ ପରିବାର ବସବାସ କରୁଥିଲା ବେଳେ ଉକ୍ତ ଗ୍ରାମ ମୁଖ୍ୟ ରାସ୍ତା ଠାରୁ ୨କିଲୋମିଟର ଦୂରରେ ଅବସ୍ଥିତ । ସେହିପରି ହରଗୁଡା ଗ୍ରାମରେ ୪୦ଟି ଅନୁସୂଚିତ ଜନଜାତିର ପରିବାର ବସବାସ କରୁଛନ୍ତି। ଏହି ଗ୍ରାମ ମୂଖ୍ୟ ରାସ୍ତା ଠାରୁ ୩ କିଲୋମିଟର ଦୂରରେ ରହିଛି ଓ ରାମ୍ବୁଲି ଗ୍ରାମରେ ୩୪ ପରିବାର ମୂଖ୍ୟ ରାସ୍ତା ଠାରୁ ୭ କିଲୋମିଟର ଦୂରରେ ରହିଛନ୍ତି । ମୁଖ୍ୟ ରାସ୍ତା ତଥା ମିଞ୍ଜାପଙ୍କା ଗ୍ରାମରୁ ପାନଗୁଡା଼, ହରଗୁଡା ଦେଇ ରାମ୍ବୁଲି ଗ୍ରାମକୁ ଯିବାକୁ ପଡ଼ୁଛି । ଏଣୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୭ କିଲୋମିଟର ରାସ୍ତା ନିର୍ମାଣ ହେଲେ ପାନଗୁଡ଼ା, ହରଗୁଡ଼ା ଓ ରାମ୍ବୁଲି ଗ୍ରାମର ୮୫ ପରିବାରର ୪୦୦ ଲୋକଙ୍କ ଗମନାଗମନରେ ସମସ୍ୟା ସମାଧାନ ହୋଇପାରିବ ।
ଉକ୍ତ ୩ଟି ଗ୍ରାମରେ ଗମନାଗମନ ସମସ୍ୟା ଥିବାରୁ ଏଠାରେ ପ୍ରସୂତୀ , ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ନେବା ପାଇଁ ମୁଖ୍ୟ ରାସ୍ତାକୁ ଆଣିବା ପାଇଁ ଖଟିଆରେ ବୋହି ନେବାକୁ ପଡୁଛି। ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ରହି ଆସୁଛନ୍ତି । ଅନେକ ସମୟରେ ଖଟିଆରେ ପ୍ରସବ କରି ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରି ଗର୍ଭବତୀ ମାଆମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରେ ଘର ନିର୍ମାଣ କରିବା ପାଇଁ ଆନୁସଙ୍ଗିକ ଉପକରଣ ଆଣିବାରେ ବାଧକ ସାଜିଛି । ଫଳରେ ଆଜି ସଯ୍ୟନ୍ତ ଘର ଗୁଡ଼ିକର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁ ନାହୁଁ । ଏଥିପାଇଁ ଆବାସ ଯୋଜନାରେ ଘର ମଧ୍ୟ ହିତାଧିକାରୀଙ୍କୁ ଯୋଗାଇଦେବାରେ ପ୍ରଶାସନ ଅନିଚ୍ଛା ପ୍ରକାଶ କରିଥିବାରୁ ଘର ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ ।
ଭଲ ରାସ୍ତା ନଥିବାରୁ ତିନୋଟି ଗ୍ରାମବାସୀ ଅନେକ ଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦି ଏହି ତିନୋଟି ଗ୍ରାମର ୭ କିଲୋମିଟର ରାସ୍ତା ନିର୍ମାଣ କରାନଯାଏ ତେବେ ଆଗାମୀ ୨୦୨୪ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବୁ ବୋଲି ଲିଖିତ ଅଭିଯୋଗରେ ଚେତାବନୀ ଦେଇଛନ୍ତି ।