PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

୫୫ ନମ୍ଵର ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ, ପ୍ରତିବାଦରେ ଧାରଣା, ସାମିଲ ହେଲେ ବିଜେଡି ସାଂସଦ

ଢେଙ୍କାନାଳ, ୧୮/୧୧ : ମରଣଯନ୍ତା ପାଲଟିଛି ଢେଙ୍କାନାଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ। ଆଜିକୁ ୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଏହାର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଏଯାଏଁ ସରିବାର ନାଁ ଧରୁନି। ରାସ୍ତା କାମରେ ଅହେତୁକ ବିଳମ୍ବ ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ଶେଷ ହୋଇନପାରି ଖାଲଖମଣା ହୋଇ ପଡ଼ି ରହିଛି। ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଢେଙ୍କାନାଳର ବିଭିନ୍ନ ସଙ୍ଗଠନ ପକ୍ଷରୁ ଏକାଧିକ ଥର ଆନ୍ଦୋଳନ ହୋଇଥିଲେ ମଧ୍ୟ ରାସ୍ତାକାମ ଯେପରି ଅଗ୍ରଗତି ହେବା କଥା ସେପରି ହୋଇପାରୁନାହିଁ । ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ପୁନଶ୍ଚ ରାସ୍ତା ସମ୍ପ୍ରସାରଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଧାରଣାରେ ଖୋଦ ବିଜେଡ଼ି ସାଂସଦ ମହେଶ ସାହୁ ସାମିଲ ହୋଇଛନ୍ତି। ଏହି ଘଟଣାରେ ସାଂସଦ ମହେଶ ସାହୁ ଉଭୟ ଜିଲ୍ଲା ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି l

ଆମ ପ୍ରତିଭା ଆମ ସମ୍ମାନ ଓ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମିଳିତ ଆହ୍ୱାନରେ ଦିଆଯାଇଥିବା ଏହି ଧାରଣାରେ ଢେଙ୍କାନାଳର ଓକିଲ ସଙ୍ଘ, ଜିଲ୍ଲା ସାମ୍ବାଦିକ ସଙ୍ଘ, ବ୍ୟବସାୟୀ ସଙ୍ଘ, ମିଳିତ ବଜାର ପୂଜା କମିଟି ସଦସ୍ୟ, ବଜାର କମିଟି ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମିଲ ହୋଇଛନ୍ତି । ଏହି ଧାରଣା ପରେ ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯଦି ଜାତୀୟ ରାଜପଥ କାର୍ଯ୍ୟକୁ ତ୍ୱରାନ୍ୱିତ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଢେଙ୍କାନାଳ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।