କଟକ,୨୨/୦୩: ସମଗ୍ର ରାଜ୍ୟରେ ଅମାନିଆ ଗାଡ଼ି ଚାଳକଙ୍କ ବିରୋଧରେ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ୍ । ପ୍ରଥମ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟର ଯାନ ଆଇନ ଉଲ୍ଲଂଘନ ଯୋଗୁଁ ଅମାନିଆଙ୍କ ବିରୋଧରେ ୧୭ ହଜାର ୮୩୧ ଟି ଇ-ଚାଲାଣ କଟାଯାଇଛି । ଏ ବାବଦରେ ୯ କୋଟି ୫୭ ଲକ୍ଷ ୫୯ ହଜାର ୫୦୪ ଟଙ୍କାର ଜରିମାନା ଲାଗୁ କରାଯାଇଛି । ସେହିପରି ୬୪ଟି ଗାଡ଼ିକୁ ଅଟକ ରଖାଯାଇଛି । ଆସନ୍ତା ୩୧ ଯାଏ ପ୍ରତ୍ୟେହ ଏଭଳି ଏନ୍‌ଫୋର୍ସମେଣ୍ଟ୍ ଜାରି ରହିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟି ଏ) ପକ୍ଷରୁ ସୂଚନା ଦିଆଯାଇଛି ।

ସଡ଼କ ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ଏହି ଅଭିଯାନ ଅଧୀନରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ଏବଂ ଅତିରିକ୍ତ ଆର୍ଟିଓମାନେ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏନଫୋର୍ସମେଣ୍ଟ ଅଧିକ କରାଯାଉଛି । ଏହାସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀ ଯାନଗୁଡ଼ିକର ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଅଭିଯାନକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରିବହନ ବିଭାଗ ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ସାମିଲ ହୋଇ ମିଳିତ ଭାବେ ଏନ୍‌ଫୋର୍ସମେଣ୍ଟ୍ କରାଯାଉଛି । ଏଥିସହିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ହେଲମେଟ୍, ସିଟବେଲ୍ଟ ସଚେତନତା, ଦ୍ରୁତଗତିର ଭୟାବହତା ଇତ୍ୟାଦି ସଂପର୍କରେ ଗାଡ଼ି ଚାଳକଙ୍କୁ ବୁଝାଯାଇଥିଲା । ଭୁବନେଶ୍ୱରରେ ଦୂରଗାମୀ ବସ୍ ଚାଳକ ଓ କର୍ମଚାରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସେହିଭଳି ଯାଜପୁରରେ ପରିବେଶ ସୁରକ୍ଷା ପାଇଁ ଯାନବାହନ ପ୍ରଦୂଷଣ ରୋକିବାକୁ ଏକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଢେଙ୍କାନାଳରେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚକୋଲେଟ୍, ଫୁଲ ଦେଇ ସଚେତନ କରାଯାଇଥିଲା । ଏଥିସହ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଚାଳକ ଓ ଯାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ପରାମର୍ଶ କାର୍ଯ୍ୟକ୍ରମ, ଗାଡ଼ି ମାଲିକ ସଂଘ ଓ ପରିବହନ ୟୁନିଅନ୍ ସହିତ ଆଲୋଚନା ଏବଂ ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ପାଇଁ ନିଷ୍ପତ୍ତି ହୋଇଛି।

ଅଧିକ ପଢ଼ନ୍ତୁ :-  ଟାଇଁ ଟାଇଁ ଖରାକୁ ଜମିଲାଣି ଲସି ବେପାର: ବଡ଼ ସାନଙ୍କ ନାହିଁ ବାଛ ବିଚାର, ଢୋକେ ମାରିଦେଲେ ପେଟ ଥଣ୍ଡା...