ଭୁବନେଶ୍ୱର,୨୨/୦୩: ଖରା ଟାଇଁ ଟାଇଁ ମାରିଲାଣି । ମୁଣ୍ଡ ଉପରକୁ ସୂର୍ଯ୍ୟ ଆସିଲେ ଗରମରୁ ରକ୍ଷା ପାଇବା ପାଇଁ ମନ ଖୋଜୁଛି ଥଣ୍ଡା ପାନୀୟ । ଏଣୁ ରାଜଧାନୀର ରାସ୍ତା କଡ଼ରେ ପସରା ମେଲାଇ ଦେଲେଣି ଅନେକ ଲସି ଷ୍ଟଲ୍ । ଲସି ଦୋକାନର ନାଁ ଏବଂ ସାଜସଜ୍ଜା ଲୋକଙ୍କୁ ଆକର୍ଷିତ କରୁଛି । ପ୍ରଚାର ପ୍ରସାରର ମୁଖ୍ୟ ମାଧ୍ୟମ ପାଲଟିଥିବା ସାମାଜିକ ଗଣମାଧ୍ୟମରେ ଫୁଡ ବ୍ଲଗରମାନେ ଯେଉଁପରି ଭାବେ ଲସିକୁ କ୍ୟାମେରାରେ ଜୁମ୍ଇନ୍ ଜୁମ୍ଆଉଟ୍ କରି ଭିଡ଼ିଓ ଛାଡୁଛନ୍ତି ଓ ବିସ୍ତୃତ ଭାବେ ବ୍ୟାଖ୍ୟା କରୁଛନ୍ତି, ତାହା ଖାଦ୍ୟ ପ୍ରେମୀ ମନକୁ ଟାଣିନେଉଛି । ଖରା ଦିନେ ରାଜଧାନୀର ସନ୍ଧ୍ୟାର ଏକ ଆକର୍ଷଣ ଥାଏ ଲସି ପିଇବା । ପ୍ରମୁଖ ଲସି ଷ୍ଟଲ୍ ନିକଟକୁ ଯାଇ ଗୋଟେ ଗ୍ଲାସ୍ ପିଇ ଦେଲେ ଲସି ମନ ପୂରା ଖୁସି । ଲସି ପିଇବା ଏକ ପ୍ରକାର ସୌକ ପାଲଟି ଗଲାଣି ରାଜଧାନୀବାସୀଙ୍କର । ବଡ଼ ଓ ସାନର ନାହିଁ ବାଛ ବିଚାର, ସବୁ ଲସି ଦୋକାନରେ ଲାଗୁଛି ଲୋକଙ୍କ ଆସର ।
ମାଟିହାଣ୍ଡି ରାବିଡ଼ି ଲସି
ମାଟି ପାତ୍ରରେ ପରସା ହେଉଛି ଲସି । ଯାହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ମଧ୍ୟ ସେତିକି ସୁସ୍ୱାଦୁ । ବିଶେଷକରି ଏହି ରାବିଡ଼ି ଲସିକୁ ଖୁଆ, ରାବିଡ଼ି, ଆଇସ୍କ୍ରିମ୍, କାଜୁ, ଚେରି, ଚକୋଚିପ୍, ଚକୋଲେଟ୍ ସିରମ୍ ପକେଇ ତିଆରି କରାଯାଉଛି । ଏଥିରେ ଏତେ ମାତ୍ରାରେ ସାମଗ୍ରୀ ପଡ଼ୁଛି ଯାହାକୁ ଲୋକମାନେ ପିଇବେ ନା ଖାଇବେ ଭାବି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି । ଏହି ଓଭର ଲୋଡେଡ୍ ଲସିର ମୂଲ୍ୟ ୬୦ ଟଙ୍କା ରହୁଛି । କଳ୍ପନା ଛକରେ ମାଟି ହାଣ୍ଡି ଲସି ବିକ୍ରି କରୁଥିବା ଓମ୍ ସାଇରାମ ଲସି ସେଣ୍ଟର ମୁଖ୍ୟ ସୁନିଲ କୁହନ୍ତି, ଗରମ ଧୀରେ ଧୀରେ ବଢ଼ୁଥିବାରୁ ଲୋକମାନେ ଦୋକାନ ଆଡ଼କୁ ମୁହାଁଇବା ଆରମ୍ଭ କଲେଣି । କିଛି ନିର୍ଦ୍ଦିଷ୍ଟ ଲୋକେ ମାଟିହାଣ୍ଡି ଲସିକୁ ଖୋଜିଥାନ୍ତି । ବିନା ବରଫରେ ନାଚୁରାଲ ଲସି ଆପଣ ଲସି ତ ନିଶ୍ଚୟ ପିଇଥିବେ । ଯେଉଁଥିରେ ବରଫ ପଡ଼ିବାଟା ଥୟ । ହେଲେ କେବେ ବିନା ବରଫରେ ଲସି ପିଇଛନ୍ତି ।
ଏମିତିକା ଲସି ଦୋକାନ ଦେଖିବାକୁ ମିଳେ ଜୟଦେବ ବିହାର ମେଫେୟାର ରୋଡରେ । ଯାହାର ନା ରହିଛି ନାଚୁରାଲ ଲସି । ଏହି ଲସିର ବିଶେଷତ୍ୱ ହେଉଛି ଏଥିରେ କୌଣସି ରଙ୍ଗ କିମ୍ବା ବରଫ ବ୍ୟବହାର କରାଯାଏ ନାହିଁ । ଏଥିରେ ମୁଖ୍ୟତଃ ଦହି, ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ୍, କେଶର, ହର୍ଲିକ୍ସ, ଭଳି ସାମଗ୍ରୀ ପଡ଼ିଥାଏ । ଏହି ଲସି ଷ୍ଟଲ୍ରେ ୭ ପ୍ରକାରର ଲସି ମିଳିଥାଏ ଯଥା-କେଶର ଲସି, ବର୍ଣ୍ଣବିଟା କେଶର ଲସି, ଗୁଡ଼ ଲସି, ଚିନି ଲସି, ବନ୍ବିଟା ଲସି, ହର୍ଲିକ୍ସ ଲସି, ସୁଗର ଫ୍ରି ଲସି । ଲସିର ମୂଲ୍ୟ ୬୦ ଟଙ୍କାରୁ ଆରମ୍ଭ ହୋଇ ୯୫ ଟଙ୍କା ପର୍ଯ୍ୟନ୍ତ ରହୁଛି ।
ଅମୃତସର ପେଡ଼ା ଲସି
ସେହିପରି ରାଜଧାନୀବାସୀଙ୍କ ପସନ୍ଦକୁ ଦେଖି ପାଲଟିଛି ଅମୃତସର ପେଡ଼ା ଲସି । ଯାହାକୁ ଦୋକାନୀମାନେ ଷ୍ଟିଲ୍ ବଡ଼ ଗ୍ଲାସ୍ରେ ପରସୁଛନ୍ତି । ଯାହାକୁ ଗୋଟେ ପିଇବା ମଧ୍ୟ କଷ୍ଟକର । କାରଣ ଗୋଟେ ଗ୍ଲାସ୍ରେ ରହୁଛି ୭୫୦ ଏମ୍ଏଲ୍ ଲସି । ରେଗୁଲାର ଲସିର ମୂଲ୍ୟ ୧୫୦ ଟଙ୍କା ଥିବା ବେଳେ ପ୍ରିମିୟମ୍ ଲସିର ମୂଲ୍ୟ ୨୦୦ ଟଙ୍କା । ଏହି ପ୍ରକାର ଲସି ଷ୍ଟଲ କଳିଙ୍ଗନଗରରେ ଦେଖିବାକୁ ମିଳୁଛି । ଖାଲିସେତିକି ନୁହେଁ ସହିନଗରରେ ଥିବା ଶ୍ରୀ ଲିଙ୍ଗରାଜ ଲସି ନିକଟରେ ମଧ୍ୟ ଲୋକମାନଙ୍କର ଲାଗୁଛି ଗହଳି । ଲୋକମାନେ ଯେତିକି ଲସି ପିଉଛନ୍ତି ତା’ଠୁ ଅଧିକ ପାର୍ସଲ ନେଉଛନ୍ତି । ଏହାବାଦ୍ ଅନ୍ଲାଇନ୍ ମଧ୍ୟ ଏହି ଲସି ଉପଲବ୍ଧ ରହୁଛି । ସକାଳ ୯ଟାରୁ ରାତି ସାଢ଼େ ୧୦ ପର୍ଯ୍ୟନ୍ତ ଅଧିକାଂଶ ଲସି ଦୋକାନ ଖୋଲାରହୁଛି ।
ଅଧିକ ପଢ଼ନ୍ତୁ :- ଅଧଘଣ୍ଟା ବ୍ୟବଧାନରେ ଚାଲିଗଲେ ମା’ ପୁଅ, ଦୁଃଖରେ ଭିଜିଲା ସହଲା ଗ୍ରାମ