ନୂଆଦିଲ୍ଲୀ, ୧୭।୩: ଆଧୁନିକ ଯୁଗରେ ରୋବୋଟଙ୍କ ଦବଦବା ବଢ଼ିବାରେ ଲାଗିଛି । ହେଲେ ଚୀନ୍ର ମକାଉ ସହରରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ । ବିଶ୍ୱ ଇତିହାସରେ ପ୍ରଥମ ଥର ପାଇଁ ଏକ ରୋବୋଟକୁ ଗିରଫ କରାଯାଇଛି । ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ସହ 'ଖରାପ ବ୍ୟବହାର' ଓ ତାଙ୍କୁ ହଇରାଣ କରିବା ଅଭିଯୋଗରେ ପୁଲିସ ଏହି ପଦକ୍ଷେପ ନେଇଛି । ସୂଚନା ଅନୁସାରେ, ମକାଉର ପଟାନେ ଅଞ୍ଚଳରେ ଜଣେ ୭୦ ବର୍ଷୀୟା ବୃଦ୍ଧା ରାସ୍ତା କଡ଼ରେ ଛିଡ଼ା ହୋଇ ଫୋନ୍ ଦେଖୁଥିଲେ । ଠିକ୍ ସେହି ସମୟରେ Unitree G1 ମଡେଲର ଏକ ହ୍ୟୁମାନଏଡ୍ ରୋବୋଟ୍ ଆସି ତାଙ୍କ ପଛରେ ଛିଡ଼ା ହୋଇଗଲା । ବୃଦ୍ଧା ଜଣକ ହଠାତ୍ ପଛକୁ ଚାହିଁ ରୋବୋଟକୁ ଦେଖି ଭୟଭୀତ ହୋଇଯାଇଥିଲେ । ମହିଳା ଜଣକ ଭୟରେ ଚିତ୍କାର କରି ଏ ରୋବୋଟଟା ପାଗଳ ହୋଇଯାଇଛି ବୋଲି କହିଥିଲେ । ରୋବୋଟଟି ସେଠାରୁ ନହଟିବାରୁ ବୃଦ୍ଧା ଜଣକ ପାଟିତୁଣ୍ଡ କରିଥିଲେ, ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୋବୋଟକୁ ନିଜ ହେପାଜତକୁ ନେଇଥିଲା । ଏହି ହଙ୍ଗାମା ଯୋଗୁଁ ବୃଦ୍ଧା ଜଣକ ମାନସିକ ସ୍ତରରେ ଆଘାତ ପାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହା ବି ପଢ଼ନ୍ତୁ... ଗ୍ୟାସ୍ ସିଲିଣ୍ଡର ପାଇଁ ଭାଙ୍ଗିଲା ସଂସାର ! ସ୍ୱାମୀଙ୍କୁ ଛାଡ଼ି ବାପଘର ଚାଲିଗଲେ ସ୍ତ୍ରୀ
କାହିଁକି ଛିଡ଼ା ହୋଇଥିଲା ରୋବୋଟ ?
ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି Unitree G1 ରୋବୋଟରେ ଅତ୍ୟାଧୁନିକ ସେନ୍ସର ଓ କ୍ୟାମେରା ଲାଗିଛି । ଏହା ରାସ୍ତାରେ ଯିବା ସମୟରେ କୌଣସି ଜିନିଷ ସହ ଧକ୍କା ହୁଏ ନାହିଁ । ସେଦିନ ରୋବୋଟଟି ବୃଦ୍ଧାଙ୍କ ପଛରେ କେବଳ ସେତିକି ବେଳେ ଅଟକି ଯାଇଥିଲା, ଯେତେବେଳେ ସେ ରାସ୍ତା ଅବରୋଧ କରିଥିଲେ । ରୋବୋଟଟି କେବଳ ବୃଦ୍ଧା ଜଣକ ରାସ୍ତାରୁ ହଟିବାକୁ ଅପେକ୍ଷା କରୁଥିଲା, କିନ୍ତୁ, ବୃଦ୍ଧା ଜଣକ ଏହାକୁ ଭୁଲ୍ ବୁଝି ଭୟଭୀତ ହୋଇଯାଇଥିଲେ ।
ସୋସିଆଲ ମିଡିଆରେ ଚର୍ଚ୍ଚା:
ଏହି ଘଟଣାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ଏହାକୁ ଏକ ମଜାଦାର ଘଟଣା କହୁଥିବା ବେଳେ, ଅନ୍ୟ କିଛି ବ୍ୟକ୍ତି ସାର୍ବଜନୀନ ସ୍ଥାନରେ ରୋବୋଟଙ୍କ ବ୍ୟବହାରକୁ ନେଇ ସୁରକ୍ଷା ପ୍ରଶ୍ନ ଉଠାଇଛନ୍ତି । ପୁଲିସ ରୋବୋଟର ମାଲିକଙ୍କୁ ଡକାଇ କଡ଼ା ଚେତାବନୀ ଦେଇଛି । ଭବିଷ୍ୟତରେ ସର୍ବସାଧାରଣ ସ୍ଥାନରେ ରୋବୋଟ ଛାଡ଼ିବା ପୂର୍ବରୁ ସାବଧାନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ରୋବୋଟକୁ ତା'ର ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।