ନୂଆଦିଲ୍ଲୀ, ୧୭।୩: ରୋଷେଇ ଗ୍ୟାସ୍ ପାଇଁ ମହାଭାରତ । କଥା ଏମିତି ହେଲା ଯେ, ଶେଷରେ ସ୍ୱାମୀଙ୍କୁ ଛାଡ଼ି ସ୍ତ୍ରୀ ନିଜ ବାପଘରକୁ ଚାଲିଗଲେ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଗ୍ରେଟର ନୋଏଡ଼ାର ରବୁପୁରା ଅଞ୍ଚଳରୁ । ଗ୍ୟାସ୍ ସିଲିଣ୍ଡରର ଅଭାବ ଏବେ କେବଳ ରୋଷେଇ ଘରେ ସୀମିତ ନ ରହି ପାରିବାରିକ କଳହର କାରଣ ସାଜିଛି । ମିଳିଥିବା ସୂଚନା ଅନୁଯାୟୀ, ରବୁପୁରା ସ୍ଥିତ ଭୁନ୍ନାତଗା ଗାଁର ବିନେଶ ଜଣେ ଟ୍ରାକ୍ଟର ଚାଳକ ଭାବେ କାମ କରନ୍ତି । ପ୍ରାୟ ୭ ବର୍ଷ ପୂର୍ବେ ତାଙ୍କର ବିବାହ ରାଜଲତାଙ୍କ ସହ ହୋଇଥିଲା ଏବଂ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ପ୍ରାୟ ଏକ ସପ୍ତାହ ପୂର୍ବରୁ ସେମାନଙ୍କ ଘରେ ରୋଷେଇ ଗ୍ୟାସ୍ ଶେଷ ହୋଇଯାଇଥିଲା । ସ୍ୱାମୀ ବିନେଶ ଗ୍ୟାସ୍ ଏଜେନ୍ସିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ ସହରରେ ଚାଲିଥିବା ଗ୍ୟାସ୍ ସଂକଟ ଯୋଗୁଁ ତାଙ୍କୁ ନୂଆ ସିଲିଣ୍ଡର ମିଳିପାରିନଥିଲା ।
ଚୂଲି ଧୂଆଁରେ ଅତିଷ୍ଠ ହେଲେ ସ୍ତ୍ରୀ:
ଗ୍ୟାସ୍ ସରିଯିବା ପରେ ପତ୍ନୀ ରାଜଲତା ବାଧ୍ୟ ହୋଇ କାଠ ଓ ଗୋବର ଘଷିରେ ରୋଷେଇ କରୁଥିଲେ । କିନ୍ତୁ, ପ୍ରତିଦିନର ଏହି କଷ୍ଟକୁ ସେ ସହ୍ୟ କରିପାରିନଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସ୍ୱାମୀ ବିନେଶ ଗ୍ୟାସ୍ ଆଣିବାରେ ଅବହେଳା କରିବା ସହ ପ୍ରତିଦିନ କାମକୁ ପଳାଉଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । "ଯେ ପର୍ଯ୍ୟନ୍ତ ଘରକୁ ଗ୍ୟାସ୍ ସିଲିଣ୍ଡର ଆସିନି, ସେ ପର୍ଯ୍ୟନ୍ତ ମୁଁ ଶାଶୁଘରକୁ ଫେରିବି ନାହିଁ ।" ପତ୍ନୀ ରାଜଲତା ସ୍ୱାମୀଙ୍କୁ ଏଭଳି ଚେତାବନୀ ଦେଇ ନିଜ ବାପଘରକୁ ଚାଲିଯାଇଛନ୍ତି ।
ଏହା ବି ପଢ଼ନ୍ତୁ... ଗ୍ୟାସ୍ ସଙ୍କଟ : ଭାରତରେ ବଢିଲା ରେଡିମେଡ୍, ଫ୍ରୋଜେନ୍ ଖାଦ୍ୟ ଚାହିଦା
ସ୍ୱାମୀଙ୍କୁ ଛାଡ଼ି ବାପଘର ଚାଲିଗଲେ:
ଗତ ସୋମବାର ଦିନ ସ୍ୱାମୀ-ସ୍ତ୍ରୀ ଭିତରେ ଏହି ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା । ସ୍ୱାମୀ କାମକୁ ଯିବା ପରେ ରାଜଲତା ନିଜ ଜିଦ୍ରେ ଅଟଳ ରହି ପିଲାମାନଙ୍କୁ ଧରି ବାପଘରକୁ ପଳାଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ରୋଷେଇ ଘରକୁ ଗ୍ୟାସ୍ ନ ଆସିଲେ ସେ ଶାଶୁଘରେ ପାଦ ବି ପକାଇବେ ନାହିଁ । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କହିରଖୁଛୁ ଯେ, ଗୌତମବୁଦ୍ଧ ନଗର, ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ାରେ ଗତ କିଛି ଦିନ ହେବ ଗ୍ୟାସ୍ର ପ୍ରବଳ ଅଭାବ ଦେଖାଦେଇଛି । ଲୋକମାନେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେଉଥିଲେ ମଧ୍ୟ ସିଲିଣ୍ଡର ପାଇବାରେ ବିଫଳ ହେଉଛନ୍ତି ।