ନୂଆଦିଲ୍ଲୀ,୩୦/୧୨: ବିଶ୍ୱର ସବୁଠୁ ଛୋଟ ରୋବୋ।  ଯାହାର ଆକାର ଚାଉଳ ଦାନାଠୁ ବି ଛୋଟ । ଏହା ସତ୍ୱେ ଏଥିରେ ଏକାଧିକ ସେନ୍ସର ଓ ସୋଲାର ସିଷ୍ଟମ୍‌ ଲାଗିଛି । ରୋବୋର ଚଉଡ଼ା ୨୦୦ଙ୍ଘ୩୦୦ ମାଇକ୍ରୋମିଟର । ମୋଟେଇ ୫୦ ମାଇକ୍ରୋମିଟର । 

ସୂଚନା ଅନୁଯାୟୀ, ଗୋଟିଏ ଚାଉଳ ଦାନାର ମୋଟେଇ ୫,୫୦୦ରୁ ୧୦ ହଜାର ମାଇକ୍ରୋମିଟର ଯାଏ ହୋଇଥାଏ । ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟ ଓ ମିଶିଗାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ରୋବୋ ପ୍ରସ୍ତୁତ କରିଛନ୍ତି । ଏହାଠୁ ଛୋଟ କାର୍ଯ୍ୟକ୍ଷମ ରେବୋ ଅଦ୍ୟାବଧି ପ୍ରସ୍ତୁତ ହୋଇନାହିଁ ବୋଲି ସେମାନେ ଦାବି କରିଛନ୍ତି । ଗବେଷକଙ୍କ ଅନୁସାରେ, ଏହା କେବଳ ତରଳ ପଦାର୍ଥରେ ବୁଡ଼ିବା ପରେ ହିଁ କାମ କରେ । ଏହା ଗତି କରିପାରେ, ସମ୍ବେଦନଶୀଳ ଓ ପ୍ରତିକ୍ରିୟାଶୀଳ ମଧ୍ୟ । ଉର୍ଜ୍ଜା ଲାଗି ଏଥିରେ ସୋଲାର ସେଲ୍‌ ସଂଲଗ୍ନ ହୋଇଛି । ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ ହୋଇପାରିବ ବୋଲି ପ୍ରସ୍ତୁତକର୍ତ୍ତା ଦାବି କରିଛନ୍ତି ।

ଔଷଧର ପ୍ରତିକ୍ରିୟାକୁ ଯାଞ୍ଚ୍‌ କରିବାରେ ମଧ୍ୟ ରୋବୋକୁ ପ୍ରୟୋଗ କରାଯାଇପାରେ । ଏହା ତାପମାତ୍ରା ଯାଞ୍ଚ୍‌ କରିପାରିବ । ମହୁମାଛିର ଯୋଗାଯୋଗ ଦ୍ୱାରା ପ୍ରେରିତ ହୋଇ ଏହାକୁ ପ୍ରସ୍ତୁତ କରାଯାଇଛି । ବିଶ୍ୱବିଦ୍ୟାଳୟର ନାନୋରୋବୋଟିକ୍ସ ଇଞ୍ଜିନିୟର ମାର୍କ ମିସ୍କିନଙ୍କ ଅନୁସାରେ, ଏହା ପ୍ରଥମ ପର୍ଯ୍ୟାୟ । ଛୋଟ ଡିଭାଇସ୍‌ରେ କିଭଳି ମସ୍ତିଷ୍କ, ସେନ୍ସର ଓ ମୋଟର ସଂଲଗ୍ନ କରାଯାଇ ପାରିବ ଏବଂ ତାହା ମାସ ମାସ ଧରି କାମ କରିପାରିବ, ସେମାନେ ରୋବୋ ମାଧ୍ୟମରେ ତାହା ଦର୍ଶାଇଛନ୍ତି ।