.୨୦୨୩ ବିଶ୍ୱକପ ପରାଜୟ ପରେ କିପରି ଥିଲା ରୋହିତଙ୍କ ଅବସ୍ଥା ?

.ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି ଅବସର ନେବାକୁ ଚିନ୍ତା କରିଥିଲି : ରୋହିତ

.ପରାଜୟର ଯନ୍ତ୍ରଣା ତାଙ୍କୁ ଗଭୀର ଆଘାତ ଦେଇଥିଲା

ନୂଆଦିଲ୍ଲୀ,୨୨/୧୨; ଭାରତୀୟ ଦଳର ଅଭିଜ୍ଞ ଖେଳାଳି ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମା ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟ ପରର ଯନ୍ତ୍ରଣା ବଖାଣିଛନ୍ତି । ଅଷ୍ଟ୍ରେଲିଆଠାରୁ ହାରିବାର କଷ୍ଟକୁ ମନେ ପକାଇ ବଡ଼ ଖୁଲାସା କରିଛନ୍ତି । ରୋହିତ କହିଛନ୍ତି କି, ପରାଜୟ ପରେ ସେ ଅବସର ନେବାକୁ ମଧ୍ୟ ଚିନ୍ତା କରିଥିଲେ । କାରଣ ସେ ମାନସିକ ଏବଂ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ଭାବରେ ଦୁର୍ବଳ ଅନୁଭବ କରୁଥିଲେ ।

'ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲ'- ୨୦୨୩ ବିଶ୍ୱକପ ପରାଜୟରେ ରୋହିତଙ୍କ ମାନସିକ ଅବସ୍ଥା କିପରି ଥିଲା ସେ ବିଷୟରେ ନିକଟରେ ଏକ ଇଭେଣ୍ଟରେ କହିଛନ୍ତି ରୋହିତ ଶର୍ମା । ସେ କହିଛନ୍ତି, '' ସେ ସମୟ ଭାରି କଷ୍ଟକର ଥିଲା । ୨୦୨୨ରେ ଅଧିନାୟକ ହେବା ପରଠାରୁ ଏହି ବିଶ୍ୱକପରେ ନିଜର ସବୁକିଛି ଲଗାଇ ଦେଇଥିଲି । ମୋର ଏକମାତ୍ର ଲକ୍ଷ୍ୟ ଥିଲା ବିଶ୍ୱକପ୍ ଜିତିବା । ଯେତେବେଳେ ତାହା ହୋଇପାରିଲା ନାହିଁ, ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି । ମୋ ଶରୀରରେ ଆଉ କିଛି ଶକ୍ତି ରହିଲା ନାହିଁ । ଲାଗୁଥିଲା ଯେମିତି ସବୁ କିଛି ହରାଇଛି । ଆଉ ଖେଳିବାକୁ ଇଚ୍ଛା ନଥିଲା । ନିଜକୁ ଏକାଠି କରି ପୁଣି ଥରେ ନିଜ ପାଦରେ ଠିଆ ହେବାକୁ ମୋତେ କିଛି ମାସ ଲାଗିଗଲା । ରୋହିତ ଶର୍ମା ସ୍ୱୀକାର କରିଛନ୍ତି ଯେ, ଯଦିଓ ତାଙ୍କୁ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଶୀଘ୍ର ପ୍ରସ୍ତୁତ ହେବାକୁ ପଡିଥିଲା, ପରାଜୟର ଯନ୍ତ୍ରଣା ଏତେ ଗଭୀର ଥିଲା ଯେ ତାଙ୍କୁ ଲାଗିଲା ଯେ ଦେବା ପାଇଁ ଆଉ କିଛି ନାହିଁ । "

'ଅବସର ନେବାକୁ ଚିନ୍ତା କରିଥିଲି'- ରୋହିତ କହିଛନ୍ତି ଯେ, ବିଶ୍ୱକପ୍ ହାରିବାର ନିରାଶା ଏତେ ତୀବ୍ର ଥିଲା ଯେ ସେ କ୍ରିକେଟରୁ ଅବସର ନେବାକୁ ମଧ୍ୟ ଚିନ୍ତା କରିଥିଲେ । ସେ କହିଥିଲେ, "ଗୋଟିଏ ସମୟରେ, ମୋତେ ପ୍ରକୃତରେ ଲାଗୁଥିଲା ଯେ ମୁଁ ଆଉ ଏହି ଖେଳ ଖେଳିବାକୁ ଚାହୁଁନାହିଁ କାରଣ ଏହା ମୋଠାରୁ ସବୁକିଛି ନେଇଯାଇଥିଲା ଏବଂ ମୋତେ ଲାଗୁଥିଲା ଯେ ମୋର ଆଉ କିଛି ବାକି ନାହିଁ।" ତଥାପି, ସେ ପରେ ଆତ୍ମ-ପ୍ରତିଫଳନ ଏବଂ ଦୃଢ଼ ନିଷ୍ପତ୍ତି ସହିତ ଖେଳକୁ ଫେରିଥିଲେ ।

'ଜୀବନ ଏଠାରେ ଶେଷ ହୁଏ ନାହିଁ...' ଭାରତୀୟ ଓପନର କହିଛନ୍ତି, "ମୁଁ ଭାବୁଛି ଯେତେବେଳେ ଆପଣ କୌଣସି ଜିନିଷରେ ଏତେ ବିନିଯୋଗ କରନ୍ତି ଏବଂ ଇଚ୍ଛିତ ଫଳାଫଳ ପାଆନ୍ତି ନାହିଁ, ଏହା ଏକ ସ୍ୱାଭାବିକ ପ୍ରତିକ୍ରିୟା । ମୋ ସହିତ ଠିକ୍ ସେହିପରି ଘଟିଥିଲା । କିନ୍ତୁ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଜୀବନ ସେଠାରେ ଶେଷ ହୁଏ ନାହିଁ । ନିରାଶାର ମୁକାବିଲା କରିବା, ନିଜକୁ ପ୍ରସ୍ତୁତ କରିବା ଏବଂ ନୂଆ ଭାବରେ ଆରମ୍ଭ କରିବା ମୋ ପାଇଁ ଏକ ବଡ଼ ଶିକ୍ଷା ଥିଲା । ମୁଁ ଜାଣିଥିଲି ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଛି, ତେଣୁ ମୁଁ ଏହା ଉପରେ ଧ୍ୟାନ ଦେଇଥିଲି । ଏବେ କହିବା ସହଜ, କିନ୍ତୁ ସେତେବେଳେ ଏହା ବହୁତ କଷ୍ଟକର ଥିଲା ।

କହି ରଖୁଛୁ କି, ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିଲା । ଲିଗରୁ ଫାଇନାଲ ଯାଏ ଅପରାଜେୟ ରହିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ, ଦଳ ଫାଇନାଲ ପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଜିତିଥିଲା। କିନ୍ତୁ, ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା ଯାହା ଲକ୍ଷ ଲକ୍ଷ ଭାରତୀୟଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥିଲା । ରୋହିତ ଟୁର୍ଣ୍ଣାମେଣ୍ଟରେ ୫୪.୨୭ର ପ୍ରଭାବଶାଳୀ ହାରରେ ବ୍ୟାଟିଂ କରି ୫୯୭ ରନ୍ କରିଥିଲେ ।