PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ସିବିଆଇ ଜାଲରେ ବଙ୍ଗଳା ଫିଲ୍ମ ନିର୍ମାତା

ଭୁବନେଶ୍ୱର,୨୪ା୧(ବ୍ୟୁରୋ): କିଛି ମାସର ବ୍ୟବଧାନ ପରେ ପୁଣି ରୋଜଭ୍ୟାଲି ଚିଟ୍‌ଫଣ୍ଡ ତଦନ୍ତ ଜୋର୍‌ ଧରିଛି । ସିବିଆଇ ଜାଲରେ ଫସିଛନ୍ତି ଜଣେ ପ୍ରଖ୍ୟାତ ବଙ୍ଗଳା ଫିଲ୍ମ ନିର୍ମାତା ଏବଂ ବିତରକ ଶ୍ରୀକାନ୍ତ ମେହେଟ୍ଟା । ଫିଲ୍ମ ନିର୍ମାଣ ପାଇଁ ସେ ରୋଜଭ୍ୟାଲି ସଂସ୍ଥାଠାରୁ ୨୪ କୋଟି ଟଙ୍କ ଉଠାଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ ସିବିଆଇ ଅଧିକାରୀମାନେ ତାଙ୍କୁ ଆଜି କୋଲକାତାରୁ ଗିରଫ କରିଛନ୍ତି । ସେଠାରୁ ବିମାନରେ ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ତାଙ୍କୁ ସ୍ୱତନ୍ତ୍ର ସିଜେଏମ୍‌ (ସିବିଆଇ) କୋର୍ଟରେ ହାଜର କରାଯିବ ।
ସିବିଆଇ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଶ୍ରୀକାନ୍ତଙ୍କର ‘ଶ୍ରୀ ଭେଙ୍କେଟଶ ଫିଲ୍ମସ୍‌ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ ଲିମିଟେଡ୍‌’ ନାଁରେ ଫିଲ୍ମ ନିର୍ମାତା ସଂସ୍ଥା ରହିଛି । ସେ ଚୋଖରବାଲି, ରେନ୍‌କୋର୍ଟ, ମେମୋରିଜ୍‌ ଇନ୍‌ ମାର୍ଚ୍ଚ, ଅଟୋଗ୍ରାଫ୍‌ ଭଳି ଅନେକ ଜାତୀୟ ପୁରସ୍କାର ଜିତିଥିବା ସିନେମା ବନାଇଛନ୍ତି । ଫିଲ୍ମ ନିର୍ମାଣ ପାଇଁ ଟଙ୍କା ଠକିବା ଲକ୍ଷ୍ୟରେ ରୋଜଭ୍ୟାଲିର ଅଧ୍ୟକ୍ଷ ଗୌତମ କୁନ୍ଦୁଙ୍କ ସହ ମିଳାମିଶା କରିଥିଲେ । ଫିଲ୍ମ କରିବାକୁ କହି ଗୌତମଙ୍କୁ ଫୁସୁଲାଇ ଏକାସାଙ୍ଗରେ ୨୪ କୋଟି ଟଙ୍କା ଉଠାଇଥିଲେ । ଫିଲ୍ମରୁ ଉପାର୍ଜିତ ଲାଭାଂଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରୋଜଭ୍ୟାଲି ଗ୍ରୁପ୍‌ ନାଁରେ ଏହି ଟଙ୍କା ବିନିଯୋଗ କରି ଶ୍ରୀକାନ୍ତ ଏକାଧିକ ସିନେମା ନିର୍ମାଣ କରିଥିଲେ । ଗୌତମ ଟଙ୍କା ଫେରସ୍ତ ମାଗିବା ବେଳେ ଶ୍ରୀକାନ୍ତ ତାଙ୍କୁ ଧରାଛୁଆଁ ଦେଉନଥିଲେ । ଏପରିକି ସେ ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତାଙ୍କ ନାଁରେ ଧମକ ଦେଉଥିବା ଅଭିଯୋଗ ହୋଇଛି । ଆସନ୍ତାକାଲି କୋର୍ଟରେ ହାଜର ପରେ ରିମାଣ୍ଡ ଆବେଦନ କରାଯିବ ବୋଲି ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା ଓ ପଶ୍ଚିମବଙ୍ଗରୁ ଲୋକଙ୍କଠାରୁ ପାଖାପାଖି ୧୫ ହଜାର କୋଟି ଠକି ନେଇଥିଲା । ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାର ତଦନ୍ତ ଚଳାଇଛି । ସଂସ୍ଥାର ଅଧ୍ୟକ୍ଷ ଗୌତମଙ୍କୁ ୨୦୧୫ ମାର୍ଚ୍ଚ ୧୫ରେ ଇଡି ଗିରଫ କରିଥିଲା । ସେହିପରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ତଥା ପୂର୍ବତନ ସାଂସଦ ସୁଦୀପ ବନ୍ଦୋପାଧ୍ୟୟଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି ।