ବେଙ୍ଗାଲୁରୁ,୨୪/୦୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିଛି । ଚଳିତ ସିଜିନରେ ବାଙ୍ଗାଲୋରର ଏହା ପଞ୍ଚମ ବିଜୟ। ସାଇ ସୁଦର୍ଶନଙ୍କ ଶତକୀୟ ଇନିଂସ ପରେ ମଧ୍ୟ ଗୁଜରାଟ ଆଜିର ମ୍ୟାଚ ଜିତିବାରେ ବିଫଳ ହୋଇଥିଲା। RCB ପାଇଁ ବିରାଟ କୋହଲି ଏବଂ ଦେବଦତ୍ତ ପାଡିକ୍କଲ ଧମାକାଦାର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚ୍ ରେ କୋହଲି ମାତ୍ର ୪୪ ବଲ୍ ରେ ୮୧ ରନର ଏକ ଦର୍ଶନୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ଦ୍ୱାରା ବିରାଟ ପୁଣି ଥରେ ଆଇପିଏଲ୍ ୨୦୨୬ରେ ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି।ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ, ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ୨୦୫ ରନ୍ କରିଥିଲା। ଜବାବରେ, ଆରସିବି ୭ ବଲ୍ ବାକି ଥାଇ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଏହି ବିଜୟ ବେଙ୍ଗାଲୁରୁକୁ ପଏଣ୍ଟ ଟେବୁଲ୍ରେ ଦ୍ୱିତୀୟ ସ୍ଥାନକୁ ନେଇଛି।ଫିକା ପଡ଼ିଗଲା ସୁଦର୍ଶନଙ୍କ ଶତକ: ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟାନ୍ସ ମୋଟ ୨୦୫ ରନ ସଂଗ୍ରହ କରିଥିଲା। ସାଇ ସୁଦର୍ଶନଙ୍କ ୧୦୦ ରନର ଶତକୀୟ ଇନିଂସ ଗୁଜରାଟର ଏହି ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା। ସେ ୫୮ ବଲରୁ ୧୦୦ ରନ କରିଥିଲେ। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ତୃତୀୟ ଶତକ ଥିଲା। ବେଙ୍ଗାଲୁରୁ ଦଳ ଏହି ବଡ଼ ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇଥିଲା। ଜାକବ ବେଥେଲ ୧୦ ବଲରୁ ୧୪ ରନ କରି ଶୀଘ୍ର ଆଉଟ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ, ବିରାଟ କୋହଲି ଏବଂ ଦେବଦତ୍ତ ପାଡିକଲ ୫୯ ବଲରୁ ୧୧୫ ରନର ଭାଗୀଦାରି କରିଥିଲେ। ପାଡିକଲ ମାତ୍ର ୨୦ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସମଗ୍ର ମ୍ୟାଚ୍ ମଧ୍ୟରେ, ସେ ୨୭ ବଲରୁ ୫୫ ରନ କରିଥିଲେ।ଗୁଜରାଟ ପକ୍ଷରୁ ରଶିଦ ଖାନ ୨ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ଶିରାଜ, ଜସନ ହୋଲ୍ଡର ଏବଂ ମାନବ ସୁଥାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ତେବେ ତମାମ ପ୍ରୟାସ ସତ୍ତ୍ବେ ବେଙ୍ଗାଲୁରୁକୁ ହରାଇବାରେ ବିଫଳ ହୋଇଥିଲା ଗୁଜରାଟ ।